Categories: ଖେଳ

ଇଣ୍ଡିଆ ଲିଜେଣ୍ଡ୍ସର ସହଜ ବିଜୟ: ସେହ୍ବାଗ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ସେହ୍ବାଗ ମୁମ୍ବାଇ, ୮ା୩-ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତାନେଇ ‘ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ’ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଆରମ୍ଭ ହୋଇଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡ୍ସ ୭ ଉଇକେଟରେ ବ୍ରାଏନ ଲାରାଙ୍କ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ଦ୍ୱାରା ଧାର୍ଯ୍ୟ ୧୫୧ ରନର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୩ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଓପନ ବୀରେନ୍ଦ୍ର ସେହ୍ବାଗଙ୍କ ଅପରାଜିତ ୭୪ ରନ (୫୭ବଲ୍‌, ୧୧ ଚୌକା) ଯୋଗୁ ଦଳ ସହଜରେ ମ୍ୟାଚ ଜିତିନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତେନ୍ଦୁଲକର ୨୯ବଲ୍‌ରେ ୭ ଚୌକା ସହ ୩୬ ରନ କରିଥିଲେ। ମହମ୍ମଦ କୈଫ୍‌ ୧୪ରନ କରିଥିବାବେଳେ ଯୁବରାଜ ସିଂ ସେହ୍ବାଗଙ୍କ ସହ ୧୦ରନ କରି ଅପରାଜିତ ରହିଥିଲେ। ତେନ୍ଦୁଲକର ସୁଲିମାନ ବେନ୍‌ଙ୍କ ବଲ୍‌ରେ ରିଡଲେ ଜାକବଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ପକ୍ଷରୁ କାର୍ଲ ହୁପର ୨ଟି ଏବଂ ସୁଲିମାନ ବେନ ଗୋଟିଏ ଉଇକେଟ ନେଇଥିଲେ। ସେହ୍ବାଗ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ମ୍ୟାଚରେ ଟସ୍‌ ଜିତି ଭାରତ ଲିଜେଣ୍ଡ୍ସ ପ୍ରଥମେ ବୋଲିଂ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୨୦ଓଭରରେ ୮ଉଇକେଟ ବିନିମୟରେ ୧୫୦ ରନ କରିଥିଲା। ଦଳ ପକ୍ଷରୁ ଓପନର ଶିବନାରିନ ଚନ୍ଦରପଲ ସର୍ବାଧିକ ୬୧ ରନ କରିଥିଲେ। ସେ ୪୧ଟି ବଲ୍‌ର ସାମ୍ନା କରିଥିବାବେଳେ ୬ ଚୌକା ଓ ୨ ଛକା ଲଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାରେନ ଗଙ୍ଗା ୩୨ ଓ ଅଧିନାୟକ ଲାରା ୧୭ ରନ (୧୫ବଲ୍‌ ୪ଚୌକା) କରିଥିଲେ। ଇଣ୍ଡିଆ ଲିଜେଣ୍ଡ୍ସ ତରଫରୁ ଜାହିର ଖାଁ, ମୁନାଫ ପଟେଲ ଓ ପ୍ରଜ୍ଞାନ ଓଝା ଦୁଇଟି ଲେଖାଏଁ ଏବଂ ଇର୍ଫାନ ପଠାନ ଗୋଟିଏ ଉଇକେଟ ନେଇଥିଲେ। ରବିବାର ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ଓ ଶ୍ରୀଲଙ୍କା ଲିଜେଣ୍ଡ୍ସ ମଧ୍ୟରେ ହେବ।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ: ୨୦ ଓଭରରେ ୧୫୦/୮ (ଚନ୍ଦରପଲ-୬୧, ଡାରେନ ଗଙ୍ଗା-୩୨; ମୁନାଫ-୨/୨୪, ଓଝା-୨/୨୭, ଜାହିର-୨/୩୦)।
ଇଣ୍ଡିଆ ଲିଜେଣ୍ଡ୍ସ: ୧୮.୨ ଓଭରରେ ୧୫୧/୩ ( ସେହ୍ବାଗ-୭୪*, ତେନ୍ଦୁୁଲକର-୩୬; ହୁପର-୨/୧୯, ବେନ୍‌-୧/୨୬)।

Share