Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଜାମ୍‌ସେଦପୁର ବିଜୟୀ

ମାରଗାଓ,୨୭।୧୧(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଜାମ୍‌ସେଦପୁର ଏଫ୍‌ସି ୧-୦ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସର୍ଗିଓ କ୍ୟାସଲ ୧୭ତମ ମିନିଟ୍‌ରେ ଗୋଲ ସ୍କୋର କରି ଜାମସେଦ୍‌ପୁରକୁ ଅଗ୍ରଣୀ କରାଇଥିଲେ। ଏଥିସହିତ ସର୍ଗିଓ ସେସନର ଚତୁର୍ଥ ଗୋଲ ସ୍କୋର କରିଛନ୍ତି। ସର୍ବାଧିକ ଗୋଲ ସ୍କୋରର ତାଲିକରେ ସର୍ଗିଓ ଶୀର୍ଷକୁ ଉଠିଛନ୍ତି। ଏହି ବିଜୟ ସହ ଜାମସେଦପୁର ଦ୍ୱିତୀୟ ସ୍ଥାନକୁ ଉଠିଛି। ଜାମସେଦପୁର ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୩ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୧୦ ପଏଣ୍ଟ ପାଇଛି। ସମାନ ୧୦ ପଏଣ୍ଟ ପାଇଥିଲେ ମଧ୍ୟ ଏଟିକେ ଗୋଲ ବ୍ୟବଧାନରେ ଆଗରେ ରହି ଶୀର୍ଷ ସ୍ଥାନରେ ରହିଛି। ସେହିପରି ଗୋଆ ୫ଟି ମ୍ୟାଚ୍‌ ଖେଳି ୨ ବିଜୟ, ୧ ପରାଜୟ ଓ ୨ଟି ଡ୍ର ସହ ୮ ପଏଣ୍ଟ ପାଇ ତଳକୁ ଖସି ଚତୁର୍ଥ ସ୍ଥାନରେ ରହିଛି। ଘରୋଇ ପରିବେଶରୁ ଫାଇଦା ଉଠାଇ ଗୋଆ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା। ଉଭୟ ଦଳ କେତୋଟି ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ ସମ୍ଭବ ହୋଇପାରି ନ ଥିଲେ। ସର୍ଗିଓ ଉଭୟ ଦଳ ମଧ୍ୟରେ ଫରକ ଆଣିଥିଲେ। ୭୨ତମ ମିନିଟରେ ଗୋଆର ଅହମ୍ମଦ ଜାହୋଉ ରେଡ କାର୍ଡ ଦେଖାଯାଇଥିଲା। ଫଳରେ ମ୍ୟାଚ୍‌ର ଅନ୍ତିମ ଭାଗରେ ଗୋଆ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଗୋଆ ତା’ର ପରବର୍ତ୍ତୀ ମ୍ୟାଚ୍‌ ୧ ତାରିଖର ରବିବାର ଦିନ କେରଳ ବ୍ଲାଷ୍ଟର୍ସକୁ ଭେଟିବ। ସେହିପରି ଜାମ୍‌ସେଦପୁର ୨ ତାରିଖ ସୋମବାର ଦିନ ନର୍ଥ ଇଷ୍ଟ ୟୁନାଇଟେଡକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share