Posted inଫୁରସତ

ଇଂଲିଶ ନାଁ ଓଡ଼ିଆ ଗାଁ: ସେମିତି କିଛି ଗାଁ ଓ ଗଳି କଥା; ନାମକରଣ ପଛର କାହାଣୀ

ଗ୍ରାମ୍ୟ ସଂସ୍କୃତିକୁ ନେଇ ସମୃଦ୍ଧ ଓଡ଼ିଶାର ସଂସ୍କୃତି । ଆଉ ପ୍ରତ୍ୟେକ ଗାଁର ପରମ୍ପରା ଓ ସଂସ୍କୃତିରେ ରହିଛି ସ୍ବତନ୍ତ୍ରତା। ତେବେ ସବୁଠୁ ଆଶ୍ଚର୍ଯ୍ୟ କରେ ଗାଁର ନାମକରଣ। କାରଣ ପ୍ରତ୍ୟେକ ଗାଁର ନାଁ ପଛରେ ରହିଛି କିଛି କଥା ଓ କାହାଣୀ। ସେ କାହାଣୀ ପଛରେ କେବେ ମନ୍ଦିର କି ଗ୍ରାମଦେବତୀ ଥାଆନ୍ତି ତ କେବେ କୌଣସି ବ୍ୟକ୍ତି ବିଶେଷଙ୍କ ନାଁ ବା କିଛି ଘଟଣା ବା ଦୁର୍ଘଟଣାର ସ୍ମୃତି । ସେମିତି କିଛି ଗାଁ ଓ ଗଳି ଅଛି ଯାହାର ନାଁ ରହିଛି ଇଂଲିଶରେ । ଏଠାକାର ପରିବେଶ, ଚାଲିଚଳନ, ସଂସ୍କୃତି ସବୁ କିଛି ଓଡ଼ିଆ କିନ୍ତୁ କେବଳ ନାଁ ହିଁ ଇଂଲିଶ। ତେବେ କ’ଣ ରହିଛି ଏହା ପଛର କାହାଣୀ…

ସ୍କଟଲାଣ୍ଡପୁର:

କଳାହୀରାର ସହର ତାଳଚେରଠାରୁ ମାତ୍ର ୫କିମି ଦୂରରେ ସ୍କଟ୍‌ଲାଣ୍ଡପୁର ଗାଁ । ଅନୁଗୋଳ ଜିଲା ତାଳଚେର ବ୍ଲକ ଧର୍ମପୁର ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ପରିବେଶ ମଧ୍ୟରେ ରହିଛି ଏହି ଗାଁ।  ଏହା ମଧ୍ୟରେ ରହିଛି ୨୬ ହେକ୍ଟର ପରିମିତ ଜମିରେ ତାଳଚେର ରାଜାଙ୍କ ରାଜପ୍ରାସାଦ । ଏହି ଗାଁରେ ପାଖାପାଖି ୧୦୦ ପରିବାର ବସବାସ କରୁଥିବା ବେଳେ ଲୋକସଂଖ୍ୟା ୫ଶହରୁ ଅଧିକ ହେବ । ସମସ୍ତେ ଚାଷୀ, ଦିନମଜୁରିଆ ା ଅଧିକାଂଶ ପରିବାର ହରିଜନ ସଂପ୍ରଦାୟର । ଏବେ ଗ୍ରାମକୁ ପକ୍କାରାସ୍ତା ନିର୍ମାଣ କରାଯାଇଛି ା ପ୍ରାଥମିକ ସ୍କୁଲ ଏବଂ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ ରହିଛି । ଗ୍ରାମର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଏକ ପାନୀୟଜଳ ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯାଇଛିି । ଦେଖିବାକୁ ଗଲେ ଆଗ ଅପେକ୍ଷା ଏବେ ଗ୍ରାମର ଛବି ବଦଳି ଯାଇଛି ।

ନାଁ ପଛର କାହାଣୀ:

ତାଳଚେର ମହାରାଜ କିଶୋର ଚନ୍ଦ୍ର ଦେବହରିଚନ୍ଦନ ବୀରବୀରଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ହୃଦୟଚନ୍ଦ୍ର ଦେବ, ପ୍ରମୋଦଚନ୍ଦ୍ର ଦେବ ଓ ଝିଅ ସୁଚାରୁ ମାଳୀ ଦେବୀ । ହୃଦୟଚନ୍ଦ୍ର ରାଜବାଟୀରେ ରହିଲେ ଏବଂ ପ୍ରମୋଦ ଚନ୍ଦ୍ର ଦେବଙ୍କ ନିମନ୍ତେ ସହରଠାରୁ କିଛି ଦୂରରେ ଏକ ପ୍ରମୋଦ ପ୍ରାସାଦ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ପ୍ରାସଦ ତାଙ୍କୁ ଭଲ ଲାଗି ନ ଥିଲା। ଦିନେ ହେଲେ ସେ ସେଠାରେ ରହି ନ ଥିଲେ । ଏହାକୁ ଷ୍ଟେଟ ଗେଷ୍ଟହାଉସ କରି ଦିଆଯାଇଥିଲା। ସ୍କଟ୍‌ଲାଣ୍ଡପୁର ଅଞ୍ଚଳରେ ୧୦ଏକର ଜମି ଉପରେ ରାଜା ଏକ ନୂତନ ଉଆସ ନିର୍ମାଣ କଲେ, ଯେଉଁଠାରେ ଏବେ ରାଜାଙ୍କର ପରବର୍ତ୍ତୀ ବଂଶଧର ରହୁଛନ୍ତି । ୧୯୩୦ରେ ବଣପାହାଡ ଘେରା ପରିବେଶ ମଧ୍ୟରେ ଯେତେବେଳେ ଏହି ପ୍ରାସାଦ ନିର୍ମାଣ ହେଲା ସେତେବେଳେ ଏହି ଗେଷ୍ଟହାଉସକୁ ବିିଭନ୍ନ ରାଜନେତାମାନେ ଆସି ରହୁଥିଲେ । ସେମାନେ ଏହି ଘର ଦେଖିବା ପରେ ରାଜାଙ୍କୁ କହିଲେ ଏହା ସ୍କଟଲାଣ୍ଡ ଭଳି ହୋଇଛି । ଏ ଭିତରେ ଥରେ ରାଜା ପ୍ରମୋଦଚନ୍ଦ୍ର ଦେବ ସ୍କଟଲାଣ୍ଡ ବୁଲିବାକୁ ଯାଇଥିଲେ। ସେଠାକାର ପରିବେଶ ଭଲଲାଗିବାରୁ ସେଠାରେ ସେ କିଛି ଦିନ ଅବସ୍ଥାନ କରିଥିଲେ। ସେଠାରୁ ଫେରିବା ପରେ ରାଜା ନିଜ ଅଞ୍ଚଳର ନାଁ ଦେଲେ ସ୍କଟଲାଣ୍ଡପୁର ଓ ପ୍ରାସାଦର ନାଁ ଦେଲେ ସ୍କଟଲାଣ୍ଡପୁର ପ୍ରାସାଦ। ଏହାକୁ ସେ ସ୍କଟଲାଣ୍ଡ ପରି ସୁନ୍ଦର ଭାବେ ଗଢିବାକୁ ଚାହୁଁଥିଲେ। ପ୍ରଥମେ ରାଜପ୍ରାସାଦ ଗଢି ଉଠିଲା ଓ ପରେ ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଆଣି ଜନବସତି ସ୍ଥାପନ କରାଗଲା । ରାଜାଙ୍କର ଦୈନନ୍ଦିନ କାମ ନିମନ୍ତେ ପ୍ରାସାଦ ନିକଟରେ ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଆଣି ଏକ ଛୋଟ ଜନବସତି ସ୍ଥାପନ ମଧ୍ୟ କରାଇଥିଲେ ା ପ୍ରଥମେ ୨୦ରୁ ୩୦ଟି ପରିବାର ଥିଲେ। ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ଶହେରେ ପହଞ୍ଚିଲାଣି ା ଏବେ ଗାଁର କିଛି ଲୋକ ଚାକିରିଆ ଥିବା ବେଳେ ଆଉ କିଛି ଚାଷୀ। ତେବେ ଦିନ ମଜୁରିଆଙ୍କ ସଂଖ୍ୟା ଅଧିକ। ଏବେ ରାଜପ୍ରାସାଦରେ ପ୍ରମୋଦ ଚନ୍ଦ୍ର ଦେବଙ୍କର ଦୁଇ ନାତି ଅଖିଳ ଚନ୍ଦ୍ର ଦେବ ଓ ଶରତ ଚନ୍ଦ୍ରଦେବ ଏଠାରେ ନିଜର ପରିବାର ସହ ରହୁଛନ୍ତି ।

ଶରତ ଚନ୍ଦ୍ର ଦେବ କୁହନ୍ତି- ମୋ ଜେଜେଙ୍କୁ ସେତେବେଳର ରାଜନେତାମାନେ ଘରଟି ସ୍କଟଲାଣ୍ଡ ଭଳି ଦେଖାଯାଉଛି ଓ ଏହାର ନାମ ସ୍କଟଲାଣ୍ଡ ଦେବାକୁ କହିଥିଲେ । ପରେ ଜେଜେ ସ୍କଟଲାଣ୍ଡ ବୁଲିବାକୁ ଯାଇଥିଲେ । ଫେରିବା ପରେ ଏହାର ନାମ ଦେଲେ ସ୍କଟଲାଣ୍ଡପୁର ପ୍ରାସାଦ । ସ୍କଟଲାଣ୍ଡ ଅର୍ଥ ହେଉଛି ଏକ ବଡ ଘର ଚାରିପଟେ ଛୋଟଛୋଟ ପାହାଡ।ଏହି ଗାଁରେ ରହୁଥିବା ଜଣେ ଗ୍ରାମବାସୀ ଡିଲେଶ୍ୱର ସାହୁ କୁହନ୍ତି- ରାଜାଙ୍କ ପ୍ରାସାଦର ନାମ ଅନୁସାରେ ଏହାର ନାମ ସ୍କଟଲାଣ୍ଡପୁର ରହିଛି । ଏଠାରେ ଆମର କୌଣସି ଅସୁବିଧା ନାହିଁ । ସମସ୍ତ ସରକାରୀ କାଗଜପତ୍ରରେ ଏହି ନାଁ ରହିଛି । ରାଜପ୍ରାସାଦ ହେବା ପରେ ରାଜା ଲୋକଙ୍କୁ ଆଣି ଏଠାରେ ରଖିଥିଲେ । ସେହିଦିନ ଠାରୁ ଏହି ଗାଁ ରହି ଆସିଛି । ଆଗରୁ ଗାଁକୁ ପକ୍କାରାସ୍ତା ନଥିଲା, ଯିବା ଆସିବାରେ ଅସୁବିଧା ହେଉଥିଲାା ଏବେ ପକ୍କା ରାସ୍ତା ଯୋଗୁ ଯିବା ଆସିବାରେ ଆଉ ଅସୁବିଧା ହେଉ ନାହିଁ ।

ଆଉ ଜଣେ ଗ୍ରାମବାସୀ ଶଶି ବେହେରା କୁହନ୍ତି – ଆମ ପୂର୍ବପୁରୁଷ ଏଠାରେ ରହୁଥିଲେ, ଆମେ ମଧ୍ୟ ଏଠାରେ ରହୁଛୁ । ରାଜା ବିଦେଶରୁ ବୁଲି ଫେରିବା ପରେ ଏହାର ନାମ ଦେଇଥିଲେ ବୋଲି ବାପା ଜେଜେଙ୍କଠାରୁ ଶୁଣିଛୁା ଛୋଟ ଜାଗା ହେଲେ ମଧ୍ୟ ଅତି ସୁନ୍ଦର ଏ ସ୍ଥାନ । ଇଂଲିଶ ନାମହେଲେ ମଧ୍ୟ କୌଣସି ଅସୁବିଧା ହେଉ ନାହିଁ ା ସରକାରୀଠାରୁ ବେସରକାରୀ ପଯର୍‌ୟନ୍ତ ସବୁଠାରେ ଏହି ନାଁ ରହିଛି । ଇଂଲିଶ ନାମ ରହିଛି ବୋଲି ଏହି ସ୍ଥାନ ଏକ ସ୍ବତନ୍ତ୍ର ପରିଚୟ ଲାଭ କରିଛି ବୋଲି ଆମେ ଅନୁଭବ କରୁଛୁ। ରାଜଧାନୀ ଭୁବନେଶ୍ୱରଠାରୁ ୧୧୬ କିମି ଦୂର ଅନୁଗୋଳ ଓ ଢେଙ୍କାନାଳ ଜିଲାର ସୀମାନ୍ତରେ ଅବସ୍ଥିତ ଏହି ଗାଁ ଭାରତୀୟ ଡାକସେବା ମାନଚିତ୍ରରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିପାରିଛି। ଏହାର ନିକଟସ୍ଥ ପୋଷ୍ଟ ଅଫିସ ଧରମପୁର ହୋଇଥିବା ବେଳେ ୭୫୯୧୦୦ ପିନ୍‌କୋଡ ଏହି ଗ୍ରାମକୁ ପ୍ରଦାନ କରାଯାଇଛି। ଏଠାକୁ ଆସିବା ପାଇଁ ରେଳଷ୍ଟେଶନ ଓ ବସ୍‌ଷ୍ଟପ ତାଳଚେରରେ ରହିଛି।

ଇଂଲିଶ ନାଁରେ କଟକର ଗଳି
ବହୁ ପ୍ରାଚୀନ ସହର କଟକ। ମହାନଦୀ ଓ କାଠଯୋଡ଼ିର ତ୍ରିକୋଣଭୂମିରେ ଏହି ସଭ୍ୟତା କେବେ ଗଢ଼ି ଉଠିଛି ତାହାର ଠିକ୍‌ ହିସାବ କାହା ପାଖରେ ନାହିଁ। ଏକ ହଜାର ବର୍ଷର ସହରର ମାନ୍ୟତା ପାଇଥିବା କଟକରେ ଇଂରେଜ ସରକାରଙ୍କ ରାଜୁତି ଦୀର୍ଘବର୍ଷ ରହିଥିଲା। ଫଳରେ ସହରରେ ଏବେ ବି ଛାପ ରହିଯାଇଛି ଇଂରେଜମାନଙ୍କର। ଅନେକ ସାହି କିମ୍ବା ରାସ୍ତାର ନାମ ରହିଛି ଯାହା ଇଂଲିସ ନାମରେ ନାମିତ।

କ୍ୟାଣ୍ଟନମେଣ୍ଟ ରୋଡ୍‌: ଇଂଲିଶ ଶବ୍ଦ କ୍ୟାଣ୍ଟନମେଣ୍ଟର ଅର୍ଥ ହେଉଛି ବ୍ରିଟିଶମାନଙ୍କ ସ୍ଥାୟୀ ସେନା ଶିବିର। ଭାରତରେ ବ୍ରିଟିଶ ସରକାରଙ୍କ ଶାସନ ଚାଲୁଥିବା ବେଳେ ବାରବାଟୀ ଦୁର୍ଗରୁ କିଛି ଦୂରରେ ତଥା ମହାନଦୀ ପଠା ନିକଟରେ ହିଁ ସେମାନଙ୍କ ସେନାର ଶିବିର ରହିଥିଲା । ଏହାକୁ ନେଇ ଏହି ସ୍ଥାନର ନାମ ଏପରି ହୋଇଛି । ଏବେ ଭିଭିଆଇପି ଅଞ୍ଚଳ ଭାବେ ଏହା ପରିଚିତ। ଜଷ୍ଟିସଙ୍କଠାରୁ ଆରମ୍ଭକରି ଅନେକ କ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କ କ୍ବାର୍ଟର କ୍ୟାଣ୍ଟନମେଣ୍ଟ ରୋଡରେ ରହିଛି । ବାରବାଟୀ ଷ୍ଟାଡିୟମ ଓ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରେ ଏହି ରାସ୍ତା।

ଷ୍ଟିୱାର୍ଟ ପାଟଣା: କନିକାଛକରୁ ସତୀଚଉରା ଆଡକୁ ଯିବା ବେଳେ ଡାହାଣଭାଗରେ ପଡ଼େ ଷ୍ଟିୱାର୍ଟ ପାଟଣା । ଏକ ଛୋଟ ଜନବସତି ଭାବେ ପରିଚିତ ଏହି ସ୍ଥାନ ବ୍ରିଟିଶର ଜଣେ ଡାକ୍ତରଙ୍କ ନାମରେ ନାମିତ ହୋଇଛି ବୋଲି କୁହାଯାଏ । ବ୍ରିଟିଶ ସରକାରଙ୍କର ଷ୍ଟିୱାର୍ଟ ନାମରେ ଜଣେ ସର୍ଜନ ଥିଲେ । ତାଙ୍କରି ନାମ ଅନୁସାରେ ସେ ସମୟରେ ଉକ୍ତ ଅଞ୍ଚଳର ନାମକରଣ କରାଯାଇଥିଲା । ସବୁ ସମ୍ପ୍ରଦାୟର ଲୋକ ଏଠାରେ ଭାଇଚାରାରେ ବାସ କରନ୍ତି। ଷ୍ଟିଓ୍ବାର୍ଟ ପାଟଣା ଅଞ୍ଚଳ ସଂଯୋଗ କରୁଛି ବିଜୁ ପଟ୍ଟନାୟକ ଛକକୁ, ଯେଉଁଠି ଅଛି ପ୍ରବଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘର।

ପେନ୍‌ସନ୍‌ ଲେନ୍‌: ପେନସନ କାର୍ଯ୍ୟାଳୟ ଥିବା ହେତୁ ବକ୍ସିବଜାର ନିକଟ ଅଞ୍ଚଳର ନାମ ପେନ୍‌ସନ୍‌ ଲେନ୍‌ ରଖାଯାଇଛି। ଏବେ ଏହି ଅଞ୍ଚଳରେ ତେଲୁଗୁ ସମ୍ପ୍ରଦାୟର ଲୋକେ ଅଧିକମାତ୍ରାରେ ବସବାସ କରୁଛନ୍ତି । କଦଳୀ ବ୍ୟବସାୟ ଏବଂ ଖାଡି କବାବ ପାଇଁ ଏହି ସ୍ଥାନଟି ପ୍ରସିଦ୍ଧ।

ରେଭେନ୍‌ଶା କଲେଜ ସ୍କୋୟାର୍‌: ରେଭେନ୍‌ଶା କଲେଜର ଇତିହାସ ବହୁତ ପୁରୁଣା। ଏହା ପଛରେ ରହିଛି ୧୫୦ବର୍ଷ ତଳର ଇତିହାସ। ଯୋବ୍ରା ନିକଟରେ ଚକ୍ରି ପଡ଼ିଆ ଭାବେ ଏକ ବିରାଟ ସ୍ଥାନ ଥିଲା। ଯୋବ୍ରା ଘାଟ ଦେଇ ବ୍ରିଟିଶ ପଦାଧିକାରୀମାନେ କଟକରେ ପହଞ୍ଚୁଥିଲେ। ଚକ୍ରିପଡ଼ିଆରେ ଘୋଡା ବନ୍ଧା ଯାଇଥାଏ। ଏଠାରୁ ସେମାନେ କଟକର ବିଭିନ୍ନ ସ୍ଥାନକୁ ଘୋଡା ଦ୍ୱାରା ଯାଇଥାନ୍ତି । ଏହି ଚକ୍ରିପଡ଼ିଆ ସ୍ଥାନରେ ଏବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛିଡ଼ା ହୋଇଛି । ରେଭେନ୍‌ଶା କଲେଜର ନାମ ଅନୁସାରେ କଲେଜସ୍କୋୟାର ନାମକରଣ କରାଯାଇଥିବା ଜଣାପଡ଼ିଛି । ସେହିପରି ଯୋବ୍ରା ଘାଟ ଦେଇ ପୂର୍ବରୁ ଲୋକେ ଏଠାକୁ ଆସୁଥିଲେ ।

ପିଲିଗ୍ରିମ୍‌ ରୋଡ: ଯୋବ୍ରାରେ ପହଞ୍ଚିବା ପରେ ପିଲିଗ୍ରିମ୍‌ ରୋଡ ଦେଇ ଛତ୍ରବଜାର ଓ ମାଲଗୋଦାମକୁ ଯାତାୟାତ କରୁଥିଲେ । ଛତ୍ରବଜାର ଓ ମାଲଗୋଦାମ ଥିଲା ବାଣିଜ୍ୟର ମୁଖ୍ୟସ୍ଥଳ। ଏଣୁ ଅତିଥିମାନଙ୍କୁ ସ୍ବାଗତ ଜଣାଇବା ଉଦ୍ଦେଶ୍ୟରେ ଉକ୍ତ ରୋଡର ନାମ ପିଲିଗ୍ରିମ ରୋଡ ରଖାଯାଇଛି । ଲୁହା ବ୍ୟବସାୟ ପାଇଁ ଏହି ସ୍ଥାନଟି ପ୍ରସିଦ୍ଧ।

ସେଲ୍ଟର ଛକ- କଟକକୁ ଚହଟାଘାଟ ଦେଇ ଆସୁଥିବା ଲୋକ ଏଠାରେ ରାତ୍ରିଯାପନ କରୁଥିଲେ। ପ୍ରାୟତଃ ବଙ୍ଗାଳି ଲୋକ ଏହି ଘାଟ ଦେଇ ବାଣିଜ୍ୟ ସାମଗ୍ରୀ ଧରି ଆସନ୍ତି ଓ ଏଠାରେ ରୁହନ୍ତି। ଆଶ୍ରୟ ଦେବା ଦୃଷ୍ଟିରୁ ଏହାର ନାମ ଏପରି ହୋଇଛି।

ମିଶନ୍‌ ରୋଡ୍‌-ଓଡ଼ିଆ ଭାଷାର ବିକାଶ ପାଇଁ ୧୮୩୪ ମସିହାରେ କଟକରେ ମିଶନ୍‌ ପ୍ରେସ୍‌ ପ୍ରତିଷ୍ଠା ହୋଇଥିଲା, ଯେଉଁଠାରେ ଅନେକ ଓଡିଆ ପୁସ୍ତକ ପ୍ରକାଶନ ହୋଇଛି। ଏହାର ନାମ ଅନୁସାରେ ମିଶନ୍‌ ରୋଡ ହୋଇଛି। ଏଠାରେ ଅଧିକାଂଶ ଖ୍ରୀଷ୍ଟିୟାନ ଲୋକ ରୁହନ୍ତି।

କଟକର ଏହିସବୁ ଗଳିର ନାଁ ଇଂରେଜ ଅମଳରୁ ରହିଆସିଛି। ଅବଶ୍ୟ ଏହାଛଡ଼ା ଆଉ ବି କିଛି ଗଳିର ନାଁ ଇଂଲିଶରେ ଅଛି। ଯାହାକୁ ସ୍ବାଧୀନତା ପରବର୍ତ୍ତୀ ସମୟରେ ଲୋକମାନେ ଦେଇଛନ୍ତି। ସେହିପରି କଟକ ଛଡ଼ା ଭୁବନେଶ୍ୱରରେ ମଧ୍ୟ ଇଂଲିଶ ନାଁରେ କିଛି ସ୍ଥାନ ରହିଛି, ଯେମିତିକି ଓଲ୍ଡ ଟାଉନ୍‌। ଓଲ୍ଡଟାଉନର ଜଣେ ବୟୋଜ୍ୟେଷ୍ଠ ବାସିନ୍ଦା କାଶୀନଥ ପୂଜାପଣ୍ଡା କୁହନ୍ତି, ‘୧୯୩୬ ମସିହା, ଏପ୍ରିଲ ପହିଲାରେ ଆମ ରାଜ୍ୟ ସ୍ବତନ୍ତ୍ର ପ୍ରଦେଶ ହେଲା। ସେତେବେଳେ ଭୁବନେଶ୍ୱରର ଜନବସତି ଖୁବ୍‌ କମ୍‌ ଥିଲା। ଆମ ଅଞ୍ଚଳ ଏକ ଗାଁ ଥିଲା, ଯେଉଁଠି ସହରର ସବୁ ସୁବିଧା ଉପଲବ୍ଧ ହେଉଥିଲା। ଖୋର୍ଦ୍ଧା, ପୁରୀ, ବାଲିପାଟଣା, କଟକରୁ ବସ୍‌ ଯାତାୟତ କରୁଥିଲା। ସାହିଗୁଡିକରେ ଭାଈଚାରା ରହିଥିଲା। ପର୍ଯ୍ୟଟକମାନେ ବି ଆସୁଥିଲେ। ତେଣୁ ଏହାର ନାମ ଓଲ୍ଡଟାଉନ ହେଲା। ଆଇଆର୍‌ସି ଭିଲେଜ୍‌, ଆନି ହାଉସ୍‌ ଛକ, ଫରେଷ୍ଟ ପାର୍କ ଆଦି ପରି ଆଉକିଛି ଗାଁ ଓ ଗଳି ଇଂଲିଶ ନାଁରେ ଏବେବି ରହିଛି।

ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତଥା ଚାନ୍ଦବାଲି ତହସିଲ ଅଧୀନସ୍ଥ ଧାମରା ଉପକୂଳରେ ସମୁଦ୍ରରେ ହ୍ବିଲର ଦ୍ୱୀପପୁଞ୍ଜ ନାମରେ ୫ଟି ବାଲିଦ୍ୱୀପ ରହିଛି । ଏହାର ସୃଷ୍ଟି ନେଇ କୌଣସି ପ୍ରାମାଣିକ ତଥ୍ୟ ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ବିଭିନ୍ନ ବାଲିଚଢ଼ା ନାମରେ ପରିଚିତ । ଏହାର ଏକ ମୁଖ୍ୟ ଦ୍ୱୀପକୁ ଏପିଜେ ଅବଦୁଲ କାଲାମ ଆଇଲାଣ୍ଡ ନାମରେ ନାମିତ କରାଯାଇ ଥିବାବେଳେ ଅନ୍ୟ ୪ଟିର ନାଁ ଇଂଲିଶ ନାମରେ ରହିଛି ଯଥା- କକୁଆନଟ୍‌ ଆଇଲାଣ୍ଡ, ଲଙ୍ଗ୍‌ ହ୍ବିଲର୍‌ ଆଇଲାଣ୍ଡ, ସର୍ଟ୍‌ସ ଆଇଲାଣ୍ଡ, ସ୍ମଲ ହ୍ବିଲର ଆଇଲାଣ୍ଡ। ଏପିଜେ ଅବଦୁଲ୍‌ କଲାମ୍‌ ଆଇଲାଣ୍ଡରେ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ(ଡିଆରଡିଓ)ର ଲଞ୍ଚପ୍ୟାଡ ଓ ଗବେଷଣା କେନ୍ଦ୍ର ରହିଛି ା ଏଠାରେ ବିଭାଗୀୟ କର୍ମଚାରୀଙ୍କ ବସତି ରହିଥିବା ବେଳେ ଅନ୍ୟ ଦ୍ୱୀପଗୁଡିକରେ ଜନ ବସତି ନାହିଁ। ଏଠାରେ ବାଲିଚଢ଼ା ଓ ଲୁଣା ଜଙ୍ଗଲ ରହିଛି । ଏକଦା ଏହି ଦ୍ୱୀପଗୁଡିକ ଅଜ୍ଞାତ ଥିବାବେଳେ ଡିଆରଡିଓର ପୂର୍ବତନ ନିର୍ଦ୍ଦେଶକ ତଥା ମିସାଇଲ୍‌ମ୍ୟାନ୍‌ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଉଦ୍ୟମରେ ବିଶ୍ୱରେ ଏକ କ୍ଷେପଣାସ୍ତ୍ର ଘାଟି ଭାବରେ ଏହା ପରିଚିତ ହୋଇଛି ।

ନାଁ କେବଳ ପରିଚୟର ଗୋଟିଏ ମାଧ୍ୟମ। ପ୍ରଥମରୁ ଯାହାବି ନାଁ ରହିଥାଏ ସେଇଥିରେ ଲୋକ ଅଭ୍ୟସ୍ତ ହୋଇଥାଆନ୍ତି। ଆଉ ବଦଳେଇବା କଥା ମନରେ ଆସେନି। ସେଇଥିପାଇଁ ବୋଧେ ଇଂରେଜମାନେ ରହିଥିବା ଅଧିକାଂଶ ସ୍ଥାନରେ ଇଂଲିଶ ନାଁ ଶୁଣିବାକୁ ମିଳୁଥିବାବେଳେ ଅନ୍ୟସ୍ଥାନରେ ଲୋକମାନେ କହି କହି କିଛି ସ୍ଥାନର ନାଁ ଇଂଲିଶରେ ରହିଯାଇଛି।

-ରୋଜାଲିନ୍‌ ମହାନ୍ତି
କୁମାରଶ୍ରୀ ସାହୁ, ମନୋଜ ନନ୍ଦ, ସୁବାସ ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ୧୦ ବର୍ଷ ପରେ ଇଂଲଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍, ରଦରଫୋର୍ଡଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୩୦ ରନ୍‌ରେ ଚମତ୍କାର ବିଜୟ ହାସଲ କରିଛି। ୨୦୧୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରେ…

FIH Hockey Pro League: ରାଉରକେଲାରେ ଭାରତକୁ ୩-୧ରେ ହରାଇଲା ବେଲଜିୟମ

ରାଉରକେଲା,୧୧।୨: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ୨୦୨୫-୨୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ବେଲଜିୟମ ନିକଟରୁ ପରାଜିତ ହୋଇଛି।…

ରାସ୍ତା ପାର୍‌ ହେଉଥିଲେ ମହିଳା, ଦ୍ରୁତଗତିରେ ଆସି ପିଟିଦେଲା ବାଇକ୍‌, ଆଉ ତା’ ପରେ…

କେନ୍ଦୁଝର,୧୧ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପୁଟୁଳିଆ କ୍ରସିଙ୍ଗ ନିକଟରେ (ଓଡି-୧୧-ଏ-କେ-୧୧୬୩) ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସର ଏନକାଉଣ୍ଟ, ପୋଲିସକୁ ଗୁଳିମାଡ଼ ପରେ….

ପିପିଲି,୧୧।୨: ପିପିଲିରେ ପୋଲିସର ଏନକାଉଣ୍ଟର । କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି । ଗତ ୧ ତାରିଖରେ ସିଫା ନିକଟରେ…

ଧାନବିକ୍ରିରେ ଅବ୍ୟବସ୍ଥା, ବ୍ଲକ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି ।…

ଟି-୨୦ ବିଶ୍ୱକପ୍‌ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର

ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍‌ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ତେବେ ଜାଣନ୍ତୁ ସୁପର…

IAS ସ୍ତରରେ ଅଦଳବଦଳ କଲେ ସରକାର, MSME ସଚିବ ହେଲେ ରଶ୍ମିତା ପଣ୍ଡା

ଭୁବନେଶ୍ବର,୧୧।୨: ସଚିବ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅନେକ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଦିଆଯାଇଛି । ଭୂପେନ୍ଦ୍ର ସିଂ ପୁନିଆ କ୍ରୀଡ଼ା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri