Categories: ଖେଳ

ଇଂଲଣ୍ଡ କବ୍‌ଜାରୁ ଟାଇଟଲ ଛଡ଼ାଇଲେ ଶରଥ

କଟକ ଅଫିସ,୨୦ା୭- ପୁରୁଷ ବିଭାଗରେ ଭାରତର ସ୍ବର୍ଣ୍ଣ ପଦକ ଜିତିବାର ଆଶା କିଛି ସମୟ ପାଇଁ ମଉଳି ଯାଇଥିଲା। ପ୍ରାରମ୍ଭରୁ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଅନ୍ତିମ ସେଟରେ ପୁରୁଷ ଦଳର ଅଧିନାୟକ ତଥା ଭେଟେରାନ ଖେଳାଳି ଅଚନ୍ତ ଶରଥ କମଲ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ସ୍ବର୍ଣ୍ଣିମ ଭେଟି ଦେଇଥିଲେ । ପ୍ରଥମ ସେଟରେ ଶରଥ କମଲ ଇଂଲଣ୍ଡର ଜାର୍ଭିସ ଥୋମାସଙ୍କୁ ଭେଟିଥିଲେ । ଜାର୍ଭିସ ୧୧-୭, ୧୧-୮ ଓ ୧୧-୪ ଗେମରେ ଜିତି ପ୍ରଥମ ସେଟ ପଏଣ୍ଟ ଇଂଲଣ୍ଡକୁ ପ୍ରଦାନ କରିଥିଲେ । ପରବର୍ତ୍ତୀ ସେଟ ମଧ୍ୟ ଇଂଲଣ୍ଡ ଅକ୍ତିଆରକୁ ଯାଇଥିଲା । ଏଥିରେ ସାମୁଏଲ ୱାକର ୫-୧୧, ୯-୧୧ ପ୍ରଥମ ଦୁଇ ଗେମରେ ଜି ସାଥିୟାନଙ୍କ ଠାରୁ ହାରିଥିଲେ ସୁଦ୍ଧା ବଳକା ୩ଟି ଗେମକୁ ୧୧-୪, ୧୧-୮ ଓ ୧୧-୮ ମେଗରେ ଜିତିଥିଲେ । ହରମିତ ଦେଶାଇ ୩ୟ ସେଟକୁ ଜିତି ଭାରତୀୟ ଶିବିରରେ ଆଶା ସଞ୍ଚାର କରିଥିଲେ । ହରମିତ ୪-୧୧, ୧୧-୫, ୮-୧୧, ୧୧-୮,୧୧-୮ ଗେମରେ ଡେଭିଡ ମ୍ୟାକବେଥଙ୍କୁ ହରାଇ ମ୍ୟାଚ୍‌ ସ୍ଥିତିକୁ ୨-୧ ସେଟରେ ପହଞ୍ଚାଇଥିଲେ। ୪ର୍ଥ ସେଟରେ ଜି ସାଥିୟାଁ ୧୧-୨, ୬-୧୧, ୧୧-୪, ୧୧-୪ ଗେମରେ ଜାର୍ଭିସ ଥୋମାସଙ୍କୁ ପରାସ୍ତ କରିଥିଲେ । ସେଟର ସ୍ଥିତି ୨-୨ରେ ପହଞ୍ଚିଥିଲା । ୫ମ ତଥା ନିର୍ଣ୍ଣାୟକ ସେଟରେ ଶରଥ କମଲଙ୍କର ମୁକାବିଲା ହୋଇଥିଲା ଇଂଲଣ୍ଡର ପ୍ରମୁଖ ଖେଳାଳି ସାମୁଏଲ ୱାକରଙ୍କ ସହ । ପ୍ରଥମ ମେଗରୁ ହିଁ ଏହି ସେଟ ରୋମାଞ୍ଚକର ହୋଇଥିଲା । ୱାକର ଅଗ୍ରଣୀ ନେଉଥିବା ବେଳେ ଶରଥ ଏହି ଗେମରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଥମ ଗେମ ୧୫-୧୩ରେ ଶରଥ ବିଜୟୀ ହୋଇଥିଲେ । ପରବର୍ତ୍ତୀ ୨ଟି ଯାକ ଗେମ ୧୨-୧୦ ଓ ୧୧-୬ରେ ବିଜୟୀ ହୋଇ ଭାରତ ପାଇଁ ଦଳଗତ ଟାଇଟଲ ନିଶ୍ଚିତ କରିଥିଲେ ଶରଥ ।

Share