Categories: ଖେଳ

ଇଂଲଣ୍ଡରେ ରହିବାକୁ ଯୋଜନା କରୁଛନ୍ତି ଅମିର

କରାଚୀ, ୨୮।୭- ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ବାମହାତୀ ପେସର ମହମ୍ମଦ ଅମିର ଏବେ ବ୍ରିଟିଶ ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ ଚଲାଇ ଥିବା ସୂତ୍ରରୁ ଜଣାପଡ଼ିଛି। ଅମିର ୨୦୧୬ ସେପ୍ଟେମ୍ବରରେ ଜଣେ ବ୍ରିଟିଶ ମହିଳାଙ୍କୁ ବିବାହ କରିଥିଲେ। ଫଳରେ ସେ ପତିଙ୍କ ଭିଜା ଲାଗି ଯୋଗ୍ୟ ହୋଇଛନ୍ତି। ଏହି ଭିଜା ତାଙ୍କୁ ଇଂଲଣ୍ଡରେ ୩୦ ମାସ ରହିବାକୁ ଅନୁମତି ଦେଉଛି। ଏହି ସମୟରେ ସେ ଇଂଲଣ୍ଡର ନାଗରିକଙ୍କ ଭଳି ସମସ୍ତ ଅଧିକାରର ଫାଇଦା ଉଠାଇ ପାରିବେ। ତେବେ ସେ ଇଂଲଣ୍ଡରେ ଏକ ଘର କିଣିବାକୁ ଚାହୁଁଛନ୍ତି। ୨୭ ବର୍ଷୀୟ ବୋଲରଙ୍କ ନିକଟରେ ବହୁତ କ୍ରିକେଟ ବାକି ଅଛି। ଏବେଠାରୁ ଇଂଲଣ୍ଡରେ ସ୍ଥାୟିତ୍ୱ ପାଇଁ ଉଦ୍ୟମ କରିବା ପ୍ରଶଂସକଙ୍କୁ ଚକିତ କରି ଦେଇଛି। ସେ ନିୟମିତ ବ୍ୟବଧାନରେ ଇଂଲଣ୍ଡ ଯାଆନ୍ତି। ଗତବର୍ଷଠାରୁ ସେଠାରେ କାଉଣ୍ଟି କ୍ରିକେଟ ମଧ୍ୟ ଖେଳୁଛନ୍ତି। ଅମିର ବୁଧବାର କ୍ରିକେଟର ଲମ୍ବା ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହାପରେ ଶୋଏବ ଅଖତର, ଓ୍ବାସିମ ଆକ୍ରମ, ଓ୍ବାକର ୟୁନିସ, ରମିଜ ରାଜଙ୍କ ଭଳି ବହୁ ପୂର୍ବତନ କ୍ରିକେଟର ତାଙ୍କୁ ସମାଲୋଚନା କରିଥିଲେ।

Share