Categories: ଖେଳ

ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ଆଣ୍ଡରସନ

ଲଣ୍ଡନ, ୨୩।୭ (ଏଏଫ୍‌ପି)- ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ ଡାହାଣ ଗୋଡ଼ର ମାଂସପେଶୀରେ ଆଘାତଜନିତ ସମସ୍ୟା ଲାଗି ଇଂଲଣ୍ଡ ଦଳର ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ଏହି ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଛି। ଜୁଲାଇ ୨ରେ ଲଙ୍କାଶାୟର ଓ ଡର୍‌ହାମ ମଧ୍ୟରେ ଖେଳାଯାଉଥିବା କାଉଣ୍ଟି ମ୍ୟାଚ୍‌ ସମୟରେ ଆଣ୍ଡରସନ ଆଘାତ ପାଇଥିଲେ ମଧ୍ୟ ଏଥିରୁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରି ନାହାନ୍ତି। ଅଗଷ୍ଟ ୧ରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଥିବା ଐତିହାସିକ ଆଶେସ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ପର୍ଯ୍ୟନ୍ତ ଏହି ଭେଟେରାନ ବୋଲରଙ୍କ ଆଘାତଜନିତ ସମସ୍ୟା ଉପରେ ନଜର ରଖାଯିବ ବୋଲି ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ଗତ ସପ୍ତାହରେ ଆୟର୍ଲାଣ୍ଡ ମ୍ୟାଚ୍‌ ପାଇଁ ଦଳ ଚୟନ ସମୟରେ ଇଂଲଣ୍ଡର ମୁଖ୍ୟ ଚୟନକର୍ତ୍ତା ଏଡ୍‌ ସ୍ମିଥ୍‌ କହିଥିଲେ, ଆଶେସ ଟେଷ୍ଟ ସିରିଜ ପୂର୍ବରୁ ଆଣ୍ଡରସନଙ୍କ ଆଘାତଜନିତ ନେଇ କୌଣସି ରିକ୍ସ ଉଠାଯିବ ନାହିଁ। ଲଙ୍କାଶାୟର ଏହି ସୁଇଂ ବୋଲର ବର୍ତ୍ତମାନ ସୁଦ୍ଧା ଟେଷ୍ଟରେ ୫୭୫ ଉଇକେଟ୍‌ ଅକ୍ତିଆର କରିସାରିଛନ୍ତି। ଆଣ୍ଡରସନଙ୍କ ଉପରେ ମୁଥୟା ମୁରଲୀଧରନ (୮୦୦), ଶେନ୍‌ ଓ୍ବର୍ନ (୭୦୮) ଓ ଅନିଲ କୁମ୍ବଲେ (୬୧୯) ଟେଷ୍ଟରେ ଅଧିକ ଉଇକେଟ୍‌ ଦଖଲ କରିଛନ୍ତି।

Share