ଆହୁରି ବିଗିଡ଼ିବ ରାଜ୍ୟ ଅଭିବୃଦ୍ଧି

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ରାଜ୍ୟର ଆର୍ଥିକ ଅବସ୍ଥା ସରକାରଙ୍କ ଚିନ୍ତା ବଢ଼ାଇଦେଇଥିବାବେଳେ କର୍ମଚାରୀଙ୍କ ଦରମା, ପେନ୍‌ସନ ଏବଂ ଯୋଜନା ଖର୍ଚ୍ଚ ରାଜକୋଷ ଉପରେ ଅତିରିକ୍ତ ବୋଝ ପାଲଟିଛି। ରାଜସ୍ବ ଆଦାୟ ମଧ୍ୟ ଆଖିଦୃଶିଆ ହେଉନାହିଁ। ରାଜସ୍ବ ଅଭିବୃଦ୍ଧି ୨୮% ଅଧିକ ହେଉଥିବା କୁହାଯାଉଥିଲେ ହେଁ ବାସ୍ତବ ସ୍ଥିତି ଅଲଗା। ରାଜ୍ୟ ଅର୍ଥ ବ୍ୟବସ୍ଥାର ପ୍ରମୁଖ ଭାଗ ଖଣି ଭଳି ଅଣଟିକସ କ୍ଷେତ୍ରରୁ ଆସିଥାଏ। ଖଣିଜ ପଦାର୍ଥର ମାନ୍ଦାବସ୍ଥା ସାଙ୍ଗକୁ ଇସ୍ପାତ ଓ କୋଇଲାର ଚାହିଦା ମଧ୍ୟ ହ୍ରାସ ପାଇଛି। କେନ୍ଦ୍ର ସରକାର ଦେଉଥିବା ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ବାବଦ କ୍ଷତିପୂରଣ ଉପରେ ରାଜ୍ୟ ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡୁଛି। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ଯେପରି ରାଜସ୍ବ କ୍ଷତି ନ ସହିବେ ସେଥିପାଇଁ ୫ ବର୍ଷ ସକାଶେ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ଦେଉଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହୀତ ଟିକସ ପରିମାଣକୁ ମୂଳ ବର୍ଷ ରୂପେ ଧରି ବାର୍ଷିକ ୧୪ ପ୍ରତିଶତ ହାରରେ କେନ୍ଦ୍ର ସରକାର ରାଜ୍ୟକୁ ଜିଏସ୍‌ଟି କ୍ଷତି ଭରଣା କରୁଛନ୍ତି। ଏଥିଯୋଗୁ ରାଜ୍ୟକୁ ପ୍ରାୟ ୪ରୁ ୫ ହଜାର କୋଟି ଟଙ୍କା ଅତିରିକ୍ତ ମିଳୁଛି। ୨୦୨୨-୨୩ ଆର୍ଥିକ ବର୍ଷ ଯାଏ ଏହି କ୍ଷତି ଭରଣା ରାଜ୍ୟ ଅର୍ଥନୀତିକୁ ସମ୍ଭାଳିନେବ ବୋଲି କୁହାଯାଉଛି। ରାଜ୍ୟର ବାର୍ଷିକ ଟିକସ ବୃଦ୍ଧି ପରିମାଣ ୯ ରୁ ୧୦ ପ୍ରତିଶତ ମଧ୍ୟରେ ରହୁଛି। ଜିଏସ୍‌ଟି କ୍ଷତିପୂରଣ ବନ୍ଦ ହେଲେ ରାଜ୍ୟକୁ ସିଧା ୪ ରୁ ୫ ପ୍ରତିଶତ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟର ଖଣି କ୍ଷେତ୍ରର କଞ୍ଚାମାଲ ସମସ୍ୟା ଯୋଗୁ ଶିଳ୍ପ କ୍ଷେତ୍ର ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି। ୨୦୧୬-୧୭ରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ୩୩.୨ ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହୋଇଥିବାବେଳେ ୨୦୧୭-୧୮ରେ ୮.୬%, ୨୦୧୮-୧୯ରେ ୭.୬ ଏବଂ ୨୦୧୯-୨୦ରେ ୫.୯ ପ୍ରତିଶତକୁ ଖସିବ ବୋଲି ଆକଳନ କରାଯାଇଛି। ସରକାର ମଧ୍ୟ ମାନିଛନ୍ତି ଯେ ଖଣି , ମାନୁଫାକ୍ଚରିଂ, ବିଦ୍ୟୁତ୍‌, ଗ୍ୟାସ, ଜଳ ଯୋଗାଣ ଏବଂ ନିର୍ମାଣ କ୍ଷେତ୍ର ଅଭିବୃଦ୍ଧି ହ୍ରାସ ଯୋଗୁ ଶିଳ୍ପ ଅଭିବୃଦ୍ଧି ମାନ୍ଦା ହୋଇଛି । ଖଣି କ୍ଷେତ୍ରର ଅଭିବୃଦ୍ଧି ୨୦୧୬-୧୭ରେ ୧୩.୭୪% ଥିବାବେଳେ ୨୦୧୮-୧୯ରେ ୩.୩୮% ଏବଂ ୨୦୧୯-୨୦ରେ ୩.୪୨%କୁ ଖସିବ ବୋଲି ଆକଳନ କରାଯାଇଛି। କୋଇଲା ଓ କ୍ରୋମାଇଟର ୨୦୧୬-୧୭ରୁ ୨୦୧୭-୧୮ରେ ଯଥାକ୍ରମେ ୩୪ % ଏବଂ ୨୭ ପ୍ରତିଶତକୁ ଖସିଯିବାରୁ ଶିଳ୍ପ କ୍ଷେତ୍ର ଅତିମାତ୍ରାରେ ପ୍ରଭାବିତ ହୋଇଛି। ମାନୁଫାକ୍ଚରିଂ କ୍ଷେତ୍ର ମଧ୍ୟ ଏହି ସମୟରେ ୩୩.୧୭ ପ୍ରତିଶତରୁ ୫.୨୯%କୁ ଖସି ଯାଇଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁ ନିର୍ମାଣ କ୍ଷେତ୍ର ୭.୮୮%ରୁ ୪.୪୨%କୁ ଖସିବ ବୋଲି ଆକଳନ ହୋଇଛି। ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏଥିଯୋଗୁ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିବା ୧୦ଟି ଶିଳ୍ପ ସଂସ୍ଥା ସେମାନଙ୍କର ଉତ୍ପାଦନ ବନ୍ଦ କରିଛନ୍ତି ା କରୋନା ଭୂତାଣୁ ଯୋଗୁ ରାଜ୍ୟ ଅଭିବୃଦ୍ଧି ହାର ଆହୁରି ଖସିଯିବ ବୋଲି ଅର୍ଥନୈତିକ ବିଶାରଦ ଆଶଙ୍କା କରିଛନ୍ତି।