ଆହତ ସମସ୍ୟାରୁ ମୁକ୍ତ ହେଲେ ଷ୍ଟୋଇନିସ

ନଟିଂହାମ,୧୯।୬(ପିଟି)- ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବେ ସମ୍ପୂର୍ଣ୍ଣ ଫିଟ୍‌। ଫଳରେ ଅଷ୍ଟ୍ରେଲିଆ ଦଳକୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଦଳ ପାଇଁ ବଳକା ଥିବା ମ୍ୟାଚ୍‌ଗୁଡ଼ିକରେ ଖେଳିପାରିବେ ବୋଲି ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। କିନ୍ତୁ ଶୀଘ୍ର ଫେରିବେ କି ନାହିଁ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଅଷ୍ଟ୍ରେଲିଆ ତା’ର ପରବର୍ତ୍ତୀ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍‌ରେ ଷ୍ଟୋଇନିସଙ୍କ ଖେଳିବା ଉପରେ କିଛି ଗ୍ୟାରେଣ୍ଟି ନାହିଁ। ସେ ଜଣେ ପେସାଦାର ଆଥ୍‌ଲେଟ। ଫିଟ୍‌ ହେବା ପାଇଁ ସେ ଯଥା ସମ୍ଭବ କାର୍ଯ୍ୟ କରିଛନ୍ତି। ବିଶ୍ୱକପ୍‌ରେ ଖେଳିବା ସୁଯୋଗ ସେ ହାତଛଡ଼ା କରିବେ ନାହିଁ। ଫିଟ୍‌ ହୋଇଯାଇଥିବରୁ ୧୫ ଜଣିଆ ଦଳରେ ସେ ରହିବେ ବୋଲି ଲାଙ୍ଗର କହିଛନ୍ତି। ଷ୍ଟୋଇନିସ ମଙ୍ଗଳବାର ପ୍ରାୟ ଏକ ଘଣ୍ଟା ଧରି ବୋଲିଂ କରିଥିଲେ। ବିଶ୍ୱକପ୍‌ ଦଳରେ ତାଙ୍କ ସ୍ଥାନ ନେବା ପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡ ଆସିଥିବା ଉପ ଅଧିନାୟକ ମିଚେଲ ମାର୍ଶ ସ୍ବଦେଶ ଫେରିବେ।

Share