Categories: ଖେଳ

ଆଶେସ ସିରିଜ: ୩ୟ ଟେଷ୍ଟରୁ ସ୍ମିଥ୍‌ ବାଦ୍‌

ଲଣ୍ଡନ, ୨୦।୮ (ଏଏଫ୍‌ପି)- ଅଭିଜ୍ଞ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଗୁରୁବାରଠାରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଯାଉଥିବା ସମ୍ମାନଜନକ ଆଶେସ ଟେଷ୍ଟ ସିରିଜର ୩ୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ଲଡର୍‌ସରେ ସମାପ୍ତ ହୋଇଥିବା ୨ୟ ଟେଷ୍ଟର ୪ର୍ଥ ଦିବସରେ ବ୍ୟାଟିଂ କରୁଥିବାବେଳେ ଇଂଲଣ୍ଡ ନବାଗତ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ଘାତକ ବାଉନ୍ସର ବଲ୍‌ ସ୍ମିଥ୍‌ଙ୍କ ବେକରେ ବାଜିଥିଲା। ଫଳରେ ୩୦ ବର୍ଷୀୟ ସ୍ମିଥ୍‌ ପିଚ୍‌ ଉପରେ ପଡ଼ିଯାଇଥିଲେ ଏବଂ ଏହାପରେ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ପରେ କିନ୍ତୁ ସେ ପ୍ରତ୍ୟାବର୍ତ୍ତନ କରି ବ୍ୟାଟିଂ କରିଥିଲେ। ମଙ୍ଗଳବାର ସ୍ମିଥ୍‌ କିନ୍ତୁ ଅଷ୍ଟ୍ରେଲିଆ ନେଟ୍ସକୁ ଅଭ୍ୟାସ ପାଇଁ ଆସି ନ ଥିଲେ। ଏହାପରେ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର ୩ୟ ଟେଷ୍ଟରେ ସ୍ମିଥ୍‌ଙ୍କ ଅନୁପସ୍ଥିତି ନେଇ ଘୋଷଣା କରିଥିଲେ। ଚଳିତ ସିରିଜରେ ସ୍ମିଥ୍‌ ୩ଟି ଇନିଂସରୁ ଯଥାକ୍ରମେ ୧୪୨, ୧୪୪ ଓ ୯୨ ରନ୍‌ ସଂଗ୍ରହ କରିଛନ୍ତି। ତୃତୀୟ ଟେଷ୍ଟରେ ସ୍ମିଥ୍‌ଙ୍କ ବଦଳ ଖେଳାଳିଭାବେ କିଏ ଦଳ ସହ ଯୋଗଦେବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଲଡର୍‌ସ ଟେଷ୍ଟରେ ଅଷ୍ଟ୍ରେଲିଆର ୨ୟ ଇନିଂସରେ ସ୍ମିଥ୍‌ ବ୍ୟାଟିଂ କରିବାକୁ ଆସି ନ ଥିଲେ। ଫଳରେ ମାର୍ନସ ଲାବୁଶ୍ଚାନେ ବଦଳ ଖେଳାଳିଭାବେ ଫିଲ୍ଡିଂ ଓ ବ୍ୟାଟିଂ କରିଥିଲେ। ଏଥିସହ ଟେଷ୍ଟ କ୍ରିକେଟ୍‌ ଇତିହାସରେ ମାର୍ନସ ପ୍ରଥମ ବଦକ ଖେଳାଳି ହେବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ମ୍ୟାଚ୍‌ର ୨ୟ ଇନିଂସରେ ସ୍ମିଥ୍‌ଙ୍କ ଅନୁପସ୍ଥିତିରେ ସେ ବ୍ୟାଟିଂ କରି ୫୯ ରନ୍‌ ସଂଗ୍ରହ କରିଥିଲେ। ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି।

Share