ଆଲୁଅ ତଳର ଅନ୍ଧାର

ଉପେନ୍ଦ୍ର ବିଶ୍ୱାଳ

ଏକଦା ନାରଦଙ୍କ ସହ ମର୍ତ୍ତ୍ୟ ଭ୍ରମଣରେ ଥିବାବେଳେ ତୃଷାର୍ତ୍ତ ଅନୁଭବ କଲେ ଭଗବାନ ବିଷ୍ଣୁ। ସେଇଠୁ ପାଣି ପାଇଁ ଦୌଡ଼ିଗଲେ ଦେବର୍ଷି। ଗାଁମୁଣ୍ଡ ଏକ ଘରକୁ ଯାଇ ପାଣି ମାଗନ୍ତେ, ସହାସ୍ୟ ବଦନେ ଢାଳଭର୍ତ୍ତି ଜଳ ଧରି ପହଞ୍ଚିଲେ ଜଣେ ଅତ୍ୟନ୍ତ ଅପାରୂପା ଅନୁପମା ନାରୀ। ଅନନ୍ୟ ଅନିନ୍ଦ୍ୟ ରୂପବତୀ ମହିଳାଙ୍କୁ ଦେଖି ନିଜକୁ ଆଉ ନିୟନ୍ତ୍ରଣ କରିପାରିଲେନି ନାରଦ। ତେଜସ୍ବୀ ଋଷିଙ୍କ ପ୍ରେମ ଭିକ୍ଷାକୁ ଉପେକ୍ଷା କରି ନ ପାରି ସୁନ୍ଦରୀ ଜଣଙ୍କ ବି ସ୍ବୀକୃତି ଦେଲେ ସହର୍ଷ ବଦନରେ। ବିତି ଯାଇଛି ବାରବର୍ଷ। ପ୍ରଳୟଙ୍କରୀ ବନ୍ୟା-ବାତ୍ୟାରେ ଦିନେ ବିଗିଡି ଯାଇଛି ସବୁକିଛି। ଚାରିଆଡେ ବନ୍ୟାର ଉତ୍ତାଳ ତରଙ୍ଗ। ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ବଞ୍ଚାଇବାକୁ ଯାଇ ସାହସର ସହିତ ବାହାରି ପଡିଲେ ନାରଦ। ସାନ ପୁଅକୁ କାନ୍ଧରେ ବସାଇ ଅନ୍ୟ ଦୁଇଜଣଙ୍କୁ ଦୁଇ ହାତରେ ଧରି ଜଳସ୍ରୋତ ଅତିକ୍ରମ କରୁଥିଲା ବେଳେ କାନ୍ଧରୁ ଦୈବାତ ଖସି ପଡିଛି ପିଲାଟି। ତାକୁ ବଞ୍ଚାଇବାକୁ ଯାଇ ଅନ୍ୟ ପୁଅଟିକୁ ବି ହରେଇ ବସିଲେ। ଅଥୟ ହୋଇ ଦୁଇପିଲାଙ୍କୁ ଜଳସ୍ରୋତରେ ଅଣ୍ଡାଳି ଚାଲିଥିଲା ବେଳେ ପ୍ରାଣପ୍ରିୟା ପତ୍ନୀ ବି ଭାସିଗଲେ ପ୍ରଖର ସ୍ରୋତରେ। ସେଇଠୁ କୋହ ସମ୍ବରଣ କରି ନ ପାରି ରଡି ଛାଡିଛନ୍ତି କଣ୍ଠ ଫଟାଇ। ହଠାତ୍‌, କାନ୍ଧରେ କାହାର କୋମଳ କରସ୍ପର୍ଶ। ବୁଲିପଡ଼ି ଦେଖନ୍ତି ତ ସ୍ମିତହାସ୍ୟରେ ସ୍ବୟଂ ନାରାୟଣ। ”ପାଣିପାଇଁ ଅଧଘଣ୍ଟାଏ ହେଲା ଅପେକ୍ଷା କରିଛି, କିନ୍ତୁ ପାଣି ବଦଳରେ ଶୁଖିଲାଟାରେ ଏଠି କ’ଣ ଖୋଜି ବୁଲୁଥିଲ ନାରଦ? ପ୍ରଭୁଙ୍କ ମାୟାକୁ ବୁଝିବାକୁ ଆଉ ବାକି ନ ଥିଲା ନାରଦଙ୍କର। ମାୟା – ଏକ ମିଥ୍ୟା ଭ୍ରମ; ଯାହା ଭ୍ରମିତ କରାଏ, ଭ୍ରଷ୍ଟ କରାଏ ଅସ୍ଥିର ମନକୁ। ମାୟା- ଏକ କୁହେଳିକା, ଏକ ଇନ୍ଦ୍ରଜାଲ; ଯାହା ମୋହାବିଷ୍ଟ କରେ ମଣିଷକୁ। ଆଲୁଅର ଛଦ୍ମ ଆବରଣ ତଳେ ଛପି ରହିଥାଏ ଅନ୍ଧକାର ଯେଉଁଠି, ତାହା ହେଉଛି ମାୟା ଜଗତ। ମେଞ୍ଚେ ପ୍ରତିଷ୍ଠା, ପୁଳେ ପଇସାର ପ୍ରଲୋଭନରେ ପାଗଳ କରେ ଯୁବ ପ୍ରାଣକୁ। ରାତାରାତି ତାରକାଟିଏ ହେବାକୁ ଧାଇଁ ଆସନ୍ତି ମାୟାପୁରୀକୁ। ପରିଣତିରେ ସୁଶାନ୍ତଙ୍କ ପରି ଅନେକ ମେଧାବୀ ଓ ପ୍ରତିଭାଧାରୀମାନେ ହଜି ଯାଆନ୍ତି ସେ ଅନ୍ଧାରରେ। ମାୟାପୁରକୁ ଧାଇଁ ଆସିଥିବା ମାଳବିକାମାନେ ମଉଳି ଯାଆନ୍ତି ସଜ ସକାଳରେ। ଏହା ହେଉଛି ମୁମ୍ବାଇର ସେହି ମାୟା ଜଗତ, ଯିଏ କି ଭ୍ରମିତ କରି ଚାଲିଛି ଦେଶର ଯୁବ ମନକୁ। ଯାହାକୁ ନେଇ ଆଜି ଖୁବ୍‌ ଚର୍ଚ୍ଚା ସାରା ଦୁନିଆରେ।
କସ୍‌ମେଟିକ ଦୁନିଆ ଯେ କେତେ କଳୁଷିତ, ଗ୍ଲାମର ଚେହେରା ତଳେ ଯେ କେତେ କଳାକାରନାମା, ଧୀରେ ଧୀରେ ଆଲୋକିତ ହେବାରେ ଲାଗିଛି ସେ ଅନ୍ଧକାର ଦିଗସବୁ। ବୀର ଛତ୍ରସଲ, ଛତ୍ରପତିଙ୍କ ଚର୍ଚ୍ଚିତ ଭୂମି ଆଜି ଛଳନାର ଚିତ୍ରଶାଳା। ଜାନ୍ତବ କ୍ଷୁଧାର ଜ୍ବାଳାରେ ଜଳି ଯାଏ ଯୁବତୀମାନଙ୍କ ଜୀବନ। ନିଶାଚର, ନିଶାଖୋରଙ୍କ ଯୋଗୁ ନିଷ୍ପେଷିତ ନାଚନାଗରୀ ଆଜି। କଙ୍ଗୋନାଙ୍କ କହିବାନୁଯାୟୀ, ବଲିଉଡ ସାଜିଛି ବ୍ୟଭିଚାରର ବିଷାକ୍ତ ବଳୟ। ଶିକାର ସନ୍ଧାନରେ ବୂ୍ୟହ ରଚନା କରନ୍ତି, ନାୟକଙ୍କଠାରୁ ନିର୍ମାତା, ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ। ପ୍ରାୟ ୯୯ ଭାଗ ଅଭିନେତା ନିଶାମଗ୍ନ। ଏବେ ନାର୍‌କୋଟିକ୍ସ କଂଟ୍ରୋଲ ବ୍ୟୁରୋ (NCB) ଦ୍ୱାରା ଗିରଫ ହୋଇଥିବା ରିଆ ଚକ୍ରବର୍ତ୍ତୀ ଓ ସାନଭାଇ ସୌଭିକଙ୍କୁ ସାମ୍ନାସାମ୍ନି ଜେରା କଲାବେଳେ, ଏ ସଂକ୍ରାନ୍ତ ଅନେକ ତଥ୍ୟ ଆଲୋକିତ ହେବାରେ ଲାଗିଛି। ଏଥିପାଇଁ ୩୦ ପାଖାପାଖି ସେଲିବ୍ରିଟି ଆଜି ଗିରଫ ଭୟରେ ଅନ୍ତର୍ଦ୍ଧାନ। ଡ୍ରଗ୍ସ ସହିତ ବଲିଉଡର ସମ୍ପର୍କ ଯେ ଆଜିର, ତାହା ନୁହେଁ; ସୁଦୀର୍ଘ ସଘନ ସମ୍ପର୍କ ସମ୍ବନ୍ଧେ ଜାଣିଲେ ଯେ କେହି ବି ବ୍ୟଥିତ ଓ ଲଜ୍ଜିତ ହେବ। ଏଇତ ପ୍ରାୟ ବର୍ଷେ ତଳେ ଚଳଚ୍ଚିିତ୍ର ନିର୍ଦ୍ଦେଶକ କରନ ଜୋହରଙ୍କ ଏକ ଭାଇରାଲ ଭିଡିଓ ଖୁବ୍‌ ଚର୍ଚ୍ଚା ଧରିଥିଲା, ଦେଶ ବିଦେଶରେ; ଯେଉଁଥିରେ ଦୀପିକା ପାଦୁକୋନ, ରଣବୀର କପୁର, ଅର୍ଜୁନ କପୁର, ମଲାଇକା ଆରୋରା, ସାହିଦ କପୁର, ଭିକି କୌଶଳ, ଚଳଚ୍ଚିତ୍ର ନିର୍ମାତା ଆୟନ ମୁଖାର୍ଜୀ ପ୍ରମୁଖ ନିଶାସକ୍ତ ଥିବାର ଦେଖାଯାଇଥିଲା। ନିଶା କାରବାର ସମ୍ବନ୍ଧୀୟ ଆହୁରି ସାଙ୍ଘାତିକ ଅଭିଯୋଗ ଆସିଛି ବଲିଉଡ୍‌ ବିରୋଧରେ। ଆମେରିକାର ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଏବଂ କେନିଆ ପୋଲିସର ମିଳିତ ଅଭିଯାନରେ ଗିରଫ ହୁଅନ୍ତି ଅଭିନେତ୍ରୀ ମମତା କୁଲକର୍ଣ୍ଣି ଓ ସ୍ବାମୀ ଭିକି ଗୋସ୍ବାମୀ, ବହୁକୋଟି ଟଙ୍କାର ଆନ୍ତର୍ଜାତିକ ର଼୍ୟାକେଟରେ ସେମାନଙ୍କ ସମ୍ପୃକ୍ତି ନେଇ। କିଙ୍ଗ୍‌ ଖାନଙ୍କ ପତ୍ନୀ ଗୌରୀ ମଧ୍ୟ ଏକଦା ଗିରଫ ହୋଇଥିଲେ ବର୍ଲିନ ବିମାନ ବନ୍ଦରରେ। ଗୌରୀ ଖାଁଙ୍କଠାରୁ ଜବତ ହୋଇଥିଲା ବହୁ ଦାମିକା ‘ମାରିଜୁଆନ’ ଡ୍ରଗ୍ସ। ବେଆଇନ ଡ୍ରଗ୍ସ ରଖିଥିବା ଅଭିଯୋଗରେ ୨୦୦୪ ମସିହାରେ ଦୁବାଇ ବିମାନବନ୍ଦରରେ ଗିରଫ ହୋଇଥିବା ଆଉଜଣେ କଳାକାର ହେଲେ କମେଡିଆନ ବିଜୟ ରାଜ। ସ୍ବର୍ଗତ ଫିରୋଜ ଖାଁଙ୍କ ପୁତ୍ର, ଫରବିନ ଖାନ୍‌ ମଧ୍ୟ ବେଆଇନ ନିଶା କାରବାର ଅଭିଯୋଗରେ ମୁମ୍ବାଇ ପୋଲିସ ଦ୍ବାରା ଗିରଫ ହୋଇଥିଲେ, ମେ ୨୦୦୧ ମସିହାରେ। ବହୁଦିନର ଆଇନ ଲଢେଇ ପରେ ୨୦୧୨ ମସିହାରେ ଯାଇ ଜେଲରୁ ମୁକୁଳିଲେ ଜାମିନରେ। ଡ୍ରଗ୍ସ କାରବାରରେ ଅଧିକ ଚର୍ଚ୍ଚିତ ହେଉଛନ୍ତି ସଞ୍ଜୟ ଦତ୍ତ, ଯିଏ କି ଏ ମାମଲାରେ ଗିରଫ ହେଇଥିଲେ ୧୯୮୨ ମସିହାରେ। ସୁଜାନ ଖାନ୍‌, ପୂର୍ବତନ ମଡେଲ ଗୀତାଞ୍ଜଳି ନଗପାଲ, ରାହୁଲ ମହାଜନ ପ୍ରମୁଖ ଚର୍ଚ୍ଚିତ ଚେହେରାଙ୍କ ପ୍ରଥମ ପ୍ରେମ ନିଶା ସହିତ। ଜାନୁୟାରୀ ୨୦୧୪ରେ ଆମେରିକା ମେଡିକାଲ ଜର୍ନାଲରେ ଏଥି ସଂକ୍ରାନ୍ତ ପ୍ରକାଶିତ ଚିନ୍ତାଜନକ ରିପୋର୍ଟଟି ସ୍ତବ୍ଧ କରିଥିଲା ଦେଶର ସଚେତନ ନାଗରିକଙ୍କୁ।
ମହିଳା ନିଶା ସେବନରେ ସାରା ବିଶ୍ୱରେ ମାର୍କିନ ରାଷ୍ଟ୍ର ପ୍ରଥମ ସ୍ଥାନରେ ଥିଲାବେଳେ ଭାରତ ଦ୍ୱିତୀୟ ସ୍ଥାନରେ। ଆମେରିକାର ଜୀବନ ଶୈଳୀ ଯାହା ସେଥିରେ ଚକିତ ହେବାର କିଛି ନାହିଁ। ମାତ୍ର ଭାରତ ଭଳି ସଂସ୍କୃତି ସଚେତନ ଦେଶରେ ଯେଉଁଠି ନାରୀମାନଙ୍କୁ ମାଆ ଲକ୍ଷ୍ମୀଙ୍କ ପ୍ରତିଛବି ରୂପେ ସମ୍ମାନ ଦିଆଯାଏ, ସେଠାରେ ଯଦି ଏମାନେ ନିଶାସକ୍ତ ହେବେ, ତେବେ ସେ ଦେଶ ଲକ୍ଷ୍ମୀଛଡ଼ା ହେବନି ତ? ଏଥିପାଇଁ ମାତ୍ରାଧିକ ବଲିଉଡ ପ୍ରେମ ହିଁ ଦାୟୀ ବୋଲି ଉକ୍ତ ରିପୋର୍ଟ ଦର୍ଶାଇଥିଲା। ଦୁବାଇରୁ ମୁମ୍ବାଇ, ବର୍ଲିନଠାରୁ କେନିଆ-ଆମେରିକା ପର୍ଯ୍ୟନ୍ତ ବଲିଉଡର ନାମୀଦାମୀ ତାରକା ଗିରଫ ହେବା ଘଟଣା ସୁଚାଇଥାଏ ଆନ୍ତର୍ଜାତିକ ର଼୍ୟାକେଟରେ ଏମାନଙ୍କ ସମ୍ପୃକ୍ତିକୁ। ଆଉ, ଭାରତ ବାହାରେ ଥିବା ଆନ୍ତର୍ଜାତିକ ଷଡ଼ଯନ୍ତ୍ର ଓ ଏହି ର଼୍ୟାକେଟର କେନ୍ଦ୍ରସ୍ଥଳ, ରୀତିମତ କସରତ କରିଚାଲିଛି ନିଶାର ଜାଲରେ ଭାରତୀୟ ଯୁବସମାଜକୁ ଛନ୍ଦି ଦେବାକୁ।
ମୁମ୍ବାଇ ବୋମା ବିସ୍ଫୋରଣ ପୂର୍ବରୁ ବଲିଉଡର ତ ଏକପ୍ରକାର ଭଗବାନ ଥିଲା କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମ। ସେତେବେଳେ ନିଶା ମାଫିଆ, ଆତଙ୍କୀଙ୍କ ଇସାରାରେ ନାଚୁଥିଲା ବଲିଉଡ ଜଗତ। ଯେହେତୁ ବିଶାଳ ଯୁବ ସମାଜ ହେଉଛି ଭାରତର ଅସଲ ଶକ୍ତି ଓ ସାମର୍ଥ୍ୟ, ଏଣୁ ଏହି ଶକ୍ତି କେନ୍ଦ୍ରକୁ ଦୁର୍ବଳ କରିବାକୁ ଅନ୍ତଃରାଷ୍ଟ୍ରୀୟ ଶକ୍ତି ଗୁଡିକ ମାୟାପୁରୀକୁ ସହଜ ମାଧ୍ୟମ ବିଚାରିଲେ। କାରଣ ବଲିଉଡ ପ୍ରେମରେ ଆମ ଯୁବ ସମାଜ ପାଗଳ ଓ ସେଲିବ୍ରିଟିମାନଙ୍କ ଅନ୍ଧ ସ୍ତାବକ। ତଥ୍ୟ ଅନୁଯାୟୀ ଏହି ଅଭିଯାନକୁ ଆହୁରି ତୀବ୍ର କରିବାକୁ ଗତ କିଛି ବର୍ଷ ହେଲା ତୁର୍କୀ-ମାଲେସିଆ-ପାକିସ୍ତାନ ହାତ ମିଳାଇ କାର୍ଯ୍ୟ କରୁଥିବା ବେଳେ, ସେଥିରେ ଏବେ ଯୋଡି ହୋଇଛି ଡ୍ରାଗନ ଦେଶ। ଏହାସତ୍ତ୍ୱେ ବି ମାୟାପୁରୀ / ‘ନଷ୍ଟଲୋକ’ର ଏହି କଳାକାରମାନଙ୍କୁ ଆଜିର ଯୁବସମାଜ ଅନ୍ଧଭାବେ ନିଜର ଆଦର୍ଶ ବା ଆଇକନ ଭାବେ ଗ୍ରହଣ କରୁଥିବ ଏବଂ ତାଙ୍କୁ ଅନୁକରଣ କରି ଚାଲିଥିବ, ଯାହା କି ଅତ୍ୟନ୍ତ ବିଷାଦ ଓ ବିଡମ୍ବନାର ବିଷୟ। ଛିଣ୍ଡା-ଫଟାର ପୋଷାକ ପିନ୍ଧି କିମ୍ଭୂତ କିମାକାର ବେଶ ଓ କେଶ ବିନ୍ୟାସରେ ବୁଲୁଥିବା ବଲିଉଡ ପ୍ରେମୀ ଉଚ୍ଛୃଙ୍ଖଳ ତରୁଣମାନଙ୍କୁ ଦେଖିଲେ ଦୟା ଆସେ ମନରେ। ଏମାନେ କେଉଁ ଦିଗରେ ଯାଉଛନ୍ତି ସେମାନେ ନିଜେ ବି ଜାଣନ୍ତି ନାହିଁ। ଜୀବନର ସୌନ୍ଦର୍ଯ୍ୟ ସୁବାସରେ ହିଁ ନିହତ। ଜୀବନ କେବଳ ଉପାର୍ଜନ ଓ ଉପଭୋଗର ଉପପାଦ୍ୟ ନୁହଁ। ଏକଥାକୁ ଆମ ଯୁବସମାଜ ବୁଝିଲେ ହେଲା ।
ମୋ- ୯୪୩୭୪୩୬୦୭୩
mail – unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri