Categories: ଖେଳ

ଆର୍ଚେରୀ ରିଫ୍ରେଶର ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ଏସଜେଏଫଆଇ ଏବଂ ଏନଏସଏଫ ଜାତୀୟ ପ୍ରତିଯୋଗିତାଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରତିଭା ସମ୍ପନ୍ନ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ବିଭିନ୍ନ ପ୍ରତିଯୋଗିତା ପାଇଁ ଟାର୍ଗେଟ ଗ୍ରୁପ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଏହାର ଏକ ଅଂଶବିଶେଷ ଭାବେ ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆର୍ଚେରୀର ଏକ ରିଫ୍ରେଶର ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ ହୋଇଛି। ପ୍ରତିଷ୍ଠିତ ଦ୍ରୋଣାଚାର୍ଯ୍ୟ ଓ ଅର୍ଜୁନ ପୁରସ୍କାରପ୍ରାପ୍ତ ତୀରନ୍ଦାଜ ସଞ୍ଜୀବ କୁମାର ସିଂ ଏହି ପ୍ରୋଗ୍ରାମ୍‌କୁ ପରିଚାଳନା କରିବା ସହ ଓଡ଼ିଶା ପିଲାଙ୍କ ମଧ୍ୟରେ ଟ୍ରାଏଲ ନେଇଛନ୍ତି। ଚୟନ ଟ୍ରାଏଲ୍‌ରେ ହାଲ୍‌ ସୁନାବେଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଫୁଲବାଣୀ, ମାଲକାନଗିରି ଓ କିସ୍‌ର ପିଲାମାନେ ଅଂଶଗ୍ରହଣ କରିଥିଲେ। ଚୟନ ଟ୍ରାଏଲ୍‌ରେ ମନୋନୀତ ତୀରନ୍ଦାଜଙ୍କୁ ରବିବାର ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟରରେ ପରୀକ୍ଷା କରାଯିବ। ଏଥିରେ ତୀରନ୍ଦାଜ ପ୍ରତିଭାମାନେ ଆର୍ଚେରୀର ଉଭୟ ରିକର୍ଭ ଓ କମ୍ପାଉଣ୍ଡ ରାଉଣ୍ଡର ବିଜ୍ଞାନ ଭିତ୍ତିକ ଶୃଙ୍ଖଳା ସମ୍ପର୍କରେ ଜ୍ଞାନ ଆହରଣ କରିବେ। ରିଫ୍ରେଶର ଟ୍ରେନିଂ ପ୍ରୋଗ୍ରାମକୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ମନୋଜ ପାଢ଼ୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଆର୍ଚେରୀ ଆସୋସିଏଶନ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ଶାନ୍ତନୁ ସାହୁ, କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Share