Categories: ଖେଳ

ଆର୍ଚରଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ସୁରକ୍ଷା ବ୍ୟବସ୍ଥା କଡ଼ା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୨୭।୧୧(ଏଏଫ୍‌ପି)- ହାମିଲଟନରେ ଆଗକୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ କ୍ରିକେଟ ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି। ମାଉଣ୍ଟ ମାନୁଗାନୁଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଖେଳିବା ଅବସରରେ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଗ୍ୟାଲେରୀରେ ଉପସ୍ଥିତ କେତେକ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଏଭଳି ଆକ୍ଷେପ ଗ୍ରହଣୀୟ ନୁହେଁ ଓ ଏହା ନିହାତି ଅଶୋଭନୀୟ ବୋଲି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ କହିଛନ୍ତି। ସିସିଟିଭି ଫୁଟେଜରେ ଏମାନଙ୍କୁ ଚିହ୍ନଟ କରାଯିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି। ଚିହ୍ନଟ ହେଲେ ଏମାନଙ୍କୁ କ୍ରିକେଟ ଗ୍ରାଉଣ୍ଡରୁ ବାରଣ କରାଯିବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ କୁହାଯାଇଛି।
ଏଭଳି ଘଟଣା ଦୁର୍ଭାଗ୍ୟଜନକ ଓ ଏହା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ହ୍ବାଇଟ୍‌ କହିଛନ୍ତି। ପୂର୍ବରୁ ଆର୍ଚର ଟୁଇଟ କରି ଏ ନେଇ ଜଣାଇଥିଲେ। ବ୍ୟାଟିଂ କରୁଥିବା ବେଳେ କେତେକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। ଆଉଟ ହୋଇ ପ୍ୟାଭିଲିୟନ ଯାଉଥିବା ବେଳେ ଜଣେ ନ୍ୟୁଜିଲାଣ୍ଡ ପ୍ରଶଂସକ ମୋ ଦେହର ରଙ୍ଗ ନେଇ ଟିପ୍ପଣୀ ଦେଇଥିଲେ। ଏହି ଟେଷ୍ଟରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୬୫ ରନରେ ବିଜୟୀ ହୋଇଥିଲା। ତେବେ ଏହି ଘଟଣା ବିଜୟକୁ ଫିକା କରିଦେଇଥିଲା। ତେବେ ଏଭଳି ଘଟଣାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ହ୍ବାଇଟ୍‌ ଜଣାଇଛନ୍ତି। ଆବଶ୍ୟକ ପଡିଲେ ଆର୍ଚରଙ୍କୁ ଆମେ କ୍ଷମା ମାଗିବାକୁ ପଛାଇବୁ ନାହିଁ ବୋଲି ସେ କହିଛନ୍ତି।

Share