ଆରୋ ପ୍ୟୁରିଫାଇର ନା ସାଧାରଣ ଫିଲ୍ଟର

ଡ. ନରେନ୍ଦ୍ର କୁମାର ସେଠୀ

ଯଦିଓ ପୃଥିବୀରେ ଜଳ ଯଥେଷ୍ଟ ମାତ୍ରାରେ ଅଛି, ସେଥିରୁ ମାତ୍ର ୩% ମଧୁର ଜଳ ଓ ତାହା ମଧ୍ୟରୁ ଦୁଇ ତୃତୀୟାଂଶ ଗ୍ଲେସିୟରରେ ବରଫ ଆକାରରେ ଅଛି। ଯାହା ଫଳରେ ବିଶ୍ୱର ଶହେ ଦଶ କୋଟିରୁ ଅଧିକ ଲୋକ ଜଳ ସଙ୍କଟରେ ଅଛନ୍ତି।
ଜାତିସଙ୍ଘର ଏକ ଅନୁମାନ ଅନୁସାରେ ଆଗାମୀ ପଚାଶରୁ ଶହେ ବର୍ଷ ଭିତରେ ବିଶ୍ୱରେ ଜଳଯୁଦ୍ଧ ହେବା ନିଶ୍ଚିତ। ପାଣି ବିଶ୍ୱରେ ମିଳୁଥିବା ସବୁଠୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ । ପୃଥିବୀର ସବୁ ଜୀବଜଗତ ପାଇଁ ଜଳର ଆବଶ୍ୟକତା ଅଛି ଓ ସେଥିପାଇଁ କୁହାଯାଏ ଜଳ ହିଁ ଜୀବନ। ତେବେ ଶିଳ୍ପ ବିପ୍ଳବ ଓ ବିକାଶ ସାଙ୍ଗକୁ ଆମେ ପ୍ରକୃତି ପ୍ରଦତ୍ତ ଶୁଦ୍ଧ ଜଳକୁ ଧୀରେ ଧୀରେ ଦୂଷିତ କରି ଚାଲିଛୁ। ଯୋଉ ଜଳ ଦିନେ ନିର୍ମଳ କାଚ କେନ୍ଦୁ ପରି ଥିଲା, ତାହା ଅନେକ ଜାଗାରେ ପିଇବା ଅନୁପଯୋଗୀ ହୋଇପଡ଼ିଛି ଓ ଅନେକ ରୋଗ ଦୂଷିତ ଜଳ ପାନ ଯୋଗୁଁ ହେଉଛି। ତେଣୁ କଥାରେ ଅଛି ପାଣି ପିଇବ ଛାଣି। ଏହାର ଅର୍ଥ କଦାପି ନୁହେଁ ଯେ ପାଣିକୁ ଲବଣ ଓ ଜୀବନଶୂନ୍ୟ କରି ପିଇବା। ପ୍ରାଚୀନ ଭାରତୀୟ ବୈଦିକ ଶାସ୍ତ୍ରରେ ମଧ୍ୟ ଶୁଦ୍ଧଜଳର ବର୍ଣ୍ଣନା ଅଛି। ପିଇବା ପାଣି କେମିତି ହେବା ଦରକାର; ତାହା ଋଗ୍‌ ବେଦର ଏକ ଶ୍ଳୋକରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏହି ଶ୍ଳୋକ ଅନୁଯାୟୀ ପିଇବା ପାଣି ଶୀତଳ, ସ୍ବଚ୍ଛ, ଦରକାରୀ ଖଣିଜଯୁକ୍ତ, ନିର୍ମଳ ଓ ଅମ୍ଳ ସନ୍ତୁଳିତ ହୋଇଥିବା ଦରକାର।
ଦୁଇ ଦଶନ୍ଧି ପୂର୍ବରୁ ମଣିଷ ଯେ ଦିନେ ବୋତଲ ବନ୍ଦ ପାଣି କିଣି ପିଇବ ଏକଥା କଳ୍ପନା ବାହାରେ ଥିଲା। ବଢ଼ୁଥିବା ଜଳ ପ୍ରଦୂଷଣ ଓ ଲୋକମାନଙ୍କ ମଧ୍ୟରେ ବଢ଼ିଥିବା ଜାଗରୁକତା ଏଥିପାଇଁ ଦାୟୀ। ଗଁା ଗହଳିରେ ଆଉ ଲୋକମାନେ ନଳକୂଅ ପାଣିକୁ ସିଧା ନପିଇ ଆରୋ ଫିଲ୍ଟର କରି ପିଇଲେଣି। ଫିଲ୍ଟର ବିକୁଥିବା ବ୍ୟକ୍ତି ଜଣକ ଘରକୁ ଆସି ଜଣେ ସାଧରଣ ଲୋକକୁ ଅତି ସହଜରେ ପ୍ରଭାବିତ କରିନେଉଛି। ହାତରେ କଲମ ପରି ଧରିଥିବା ଏକ ଉପକରଣ ସାହାଯ୍ୟରେ ସେ ଆମ ଘର ପାଣିର ଦ୍ରବିଭୂତ କଠିନ ପଦାର୍ଥ (ଟିଡିଏସ୍‌)ମାପି ବୁଝାଇ କହେ- ଆମ ପାଣି ଖରାପ। ଯୋଉ କୂଅରୁ ଆମ ବାପ ଅଜା ଅମଳରୁ ଆମେ ପାଣି ପିଉଥିଲେ ଓ ଆମ ଦେହ ଭଲ ଥିଲା ଅଚାନକ ଆମେ ତା’ କଥାରେ ବିଶ୍ୱାସ କରି ଫିଲ୍ଟର କିଣି ପାଣି ପିଉ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର କହିବା ଅନୁଯାୟୀ ପାଣି ଯଦି ଟିଡିଏସ୍‌ ମାତ୍ରା ୫୦ ମିଲିଗ୍ରାମ ପ୍ରତି ଲିଟରରୁ କମ୍‌ ଅଛି, ତା’ହାଲେ ସେ ପାଣି ସ୍ବାଦହୀନ ଓ ପିଇବା ପାଇଁ ଅଯୋଗ୍ୟ। କାରଣ ସେଥିରେ କୌଣସି ଲବଣ ନଥାଏ। ଏହି ପାଣି ପିଇବା ଦ୍ୱାରା ଶରୀରରୁ ଓଲଟା ଜରୁରୀ ଖଣିଜ କ୍ଷୟ ହୋଇ ବାହାରିଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଅତିକମ୍‌ରେ ପିଇବା ପାଣିରେ ଟିଡିଏସ୍‌ ର ମାତ୍ରା ୧୦୦ ମିଲିଗ୍ରାମ ପ୍ରତି ଲିଟର ହେବା ଦରକାର। ଏହି ରିପୋର୍ଟ ଅନୁସାରେ ପିଇବା ପାଣିରେ ୨୦୦ରୁ ୩୦୦ ଭିତରେ ହେବା ଜରୁରୀ । ତାହାଲେ ଆମେ ଘରେ ଘରେ ଫିଲ୍ଟର ଲଗେଇ କ’ଣ ଭୁଲ୍‌ କରୁଛେ? ଏ ପ୍ରଶ୍ନର ଉତ୍ତର ସିଧା ହଁ କି ନଁାରେ ଦେଇ ହେବନି। ଆରୋ ଫିଲ୍ଟର ପାଣିରୁ ଟିଡିଏସ୍‌ର ମାତ୍ରା କମ୍‌ କରିବା ସଙ୍ଗେ ସଙ୍ଗେ ଅତି ଦରକାରୀ ଖଣିଜ ଯଥା କ୍ୟାଲ୍‌ସିୟମ, ମ୍ୟାଗ୍‌ନେସିୟମ, ଆଇରନ୍‌ ଇତ୍ୟାଦି ବାହାର କରିଦିଏ। ଆରୋ ପ୍ରକ୍ରିୟା ପାଣିକୁ ସଫା କରିବା ପାଇଁ ଏକ ସର୍ବୋତ୍ତମ ଉପାୟ ଏଥିରେ ଦ୍ୱିମତ ନାହିଁ। କିନ୍ତୁ ପାଣିରୁ ସମ୍ପୂର୍ଣ୍ଣ ଖଣିଜ ବାହାର କରିଦେଇ ଏହାକୁ ପିଇବା ଅନୁପଯୋଗୀ କରିଦେଇଥାଏ। ଏହା ପାଣିକୁ ଏମିତି ଭାବରେ ଖଣିଜମୁକ୍ତ କରିଦିଏ ଯେ, ପାଣିର ସ୍ବାଦ ପରିବର୍ତ୍ତନ ହେଇଯାଏ ଓ ସେଥିପାଇଁ ସଫା ପାଣିକୁ ପିଇବା ପୂର୍ବରୁ ଲାଇମ୍‌ ଦେଇ ଆସିବାକୁ ଦିଆଯାଇଥାଏ। ଲାଇମ୍‌ ଦେଇ ପାଣି ପ୍ରବାହିତ ହେଲେ ସେଥିରେ କ୍ୟାଲ୍‌ସିୟମ ଓ ମ୍ୟାଗ୍‌ନେସିୟମ ପ୍ରଭୃତି ଲବଣ ପୁଣି ପାଣିରେ କିଛି ମାତ୍ରାରେ ମିଶିଥାଏ। ଆରୋ ଫିଲ୍ଟର ପାଣିର ପିଏଚ୍‌ କମ୍‌ ଥିବାରୁ ଏହା ଅମ୍ଳଯୁକ୍ତ ହେଇଥାଏ। ମାତ୍ର ଆମ ଶରୀରର ପିଏଚ ସନ୍ତୁଳିତ ହେଇଥିବାରୁ ଏହା ଶରୀର ଭିତରେ ଅସୁବିଧା ସୃଷ୍ଟି କରିବାର ସମ୍ଭାବନାଥାଏ। କ୍ୟାଲ୍‌ସିୟମ, ମ୍ୟାଗ୍‌ନେସିୟମ, ପୋଟାସିୟମ ଇତ୍ୟାଦି ଲବଣ ପାଣିରେ ଦରକାରୀ ମାତ୍ରାରେ ନଥିଲେ ଏହା ହୃଦ୍‌ରୋଗ, ଗର୍ଭ ଧାରଣରେ ଜଟିଳତା ଓ ଛୋଟ ପିଲାମାନଙ୍କର ହାଡ଼ଜନିତ ରୋଗ ହେବାର ସମ୍ବାବନା ଥାଏ ବୋଲି ଅନେକ ଗବେଷଣାରେ ଜଣାପଡ଼ିଛି।
ଏଠାରେ ସୂଚନାଯୋଗ୍ୟ, ଆରୋ ପାଣିର ହାନିକାରକ ପ୍ରଭାବ ଶୀର୍ଷକ ଏକ ରିପୋର୍ଟ ବୋତଲ ବନ୍ଦ ଶୁଦ୍ଧ ଜଳ ବିକ୍ରି କରୁଥିବା ବିଖ୍ୟାତ ବିସ୍‌ଲେରି କମ୍ପାନୀର ଓ୍ବେବ୍‌ସାଇଟରେ ଉପଲବ୍ଧ। ଏହି ରିପୋର୍ଟ ଅନୁଯାୟୀ କମ୍‌ ଖଣିଜ ପଦାର୍ଥ ଓ ସ୍ବଳ୍ପ ଦ୍ରବିଭୂତ କଠିନ ପଦାର୍ଥ (ଟିଡିଏସ୍‌) ଯୁକ୍ତ ଜଳ ଆମ ଶରୀରର ଲବଣ ସନ୍ତୁଳନତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯାହା ଫଳରେ ଶରୀର ଭିତରେ ଖଣିଜ ଲବଣର ସନ୍ତୁଳନ ବିଗିଡ଼ି ଯାଇ ପରିସ୍ରା ବାଟ ଦେଇ ଖଣିଜ କ୍ଷୟ କରେ; ଯାହା ହରମୋନ କ୍ଷରଣ, କିଡ୍‌ନୀ କ୍ଷମତା ଏବଂ ହାଡ଼ର ଖଣିଜ ସାନ୍ଧ୍ରତା ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ। ଯଦି ପାଣିରେ କ୍ଷତିକାରକ ଖଣିଜ ଯେମିତି ଆର୍‌ସେନିକ, କ୍ରୋମିୟମ ଓ ଫ୍ଲୋରାଇଡ୍‌ ଓ ଅନ୍ୟ ଭାରି ଧାତୁ ଥାଏ, ସେ ସମୟରେ ଆରୋ ଫିଲ୍ଟର ଉପଯୋଗୀ ହେଇଥାଏ। ଯଦି ଏସବୁ ସମସ୍ୟା ନ ଥାଏ, ତାହାଲେ ଆରୋ ବଦଳରେ ସାଧରଣ ଫିଲ୍ଟର ବ୍ୟବହାର କରିବା ଉଚିତ।
ସାଧାରଣତଃ ଟ୍ୟୁବ୍‌ୱେଲ ବା ନଳକୂଅର ପାଣି ଶୁଦ୍ଧ ଓ କୀଟାଣୁମୁକ୍ତ ଭାବେ ବିବେଚନା କରାଯାଇଥାଏ। ଯଦି ଆରୋ ଫିଲ୍ଟର କିଣିବା ନିହାତି ଜରୁରୀ ବୋଲି ଭାବୁଛନ୍ତି, ତାହାଲେ ସେଥିରେ ଲବଣ ମିଶ୍ରଣ କରିବା, ଦ୍ରବିଭୂତ କଠିନ ପଦାର୍ଥ ନିୟନ୍ତ୍ରକ ସୁବିଧା ଥିବା ନିଶ୍ଚିତ ଦେଖିନେବେ। ତେବେ ଆମେ କୋଉ ଫିଲ୍ଟର କିଣିବା ଏହା ପୂର୍ବରୁ ଆମ ଘରେ ଉପଲବ୍ଧ ପାଣି ବିଷୟରେ ଆମର ସମ୍ୟକ୍‌ ଧାରଣା ରହିବା ଉଚିତ। ଆମେ ଜାଣିରଖିବା ଉଚିତ ଆମ ପାଣିରେ ଦ୍ରବିଭୂତ କଠିନ ପଦାର୍ଥର ମାତ୍ରା (ଟିଡିଏସ୍‌), ଲବଣତା ଓ କଠୋରତା କେତେ ଅଛି। ଦ୍ରବିଭୂତ କଠିନ ପଦାର୍ଥ ସବୁ ଜଳରେ ଥିବା କ୍ୟାଲ୍‌ସିୟମ, ମ୍ୟାଗ୍‌ନେସିୟମ ସୋଡିୟମ ଓ ପୋଟାସିୟମ ଭଳି ଅତି ଆବଶ୍ୟକ ଖଣିଜ ଲବଣ ଏବଂ ସଲ୍‌ଫେଟ, ନାଇଟ୍ରେଟ୍‌ ଓ କାର୍ବୋନେଟ ଇତ୍ୟାଦି ଯୋଗୁ ହୋଇଥାଏ। ତେଣୁ ଆମେ ଏପରି ଫିଲ୍ଟର କିଣିବା ଅନୁଚିତ, ଯାହା ଦ୍ରବିଭୂତ କଠିନ ପଦାର୍ଥର ମାତ୍ରାକୁ ବେଶି କମେଇଦେଇ ପାଣିକୁ ପିଇବା ଅନୁପଯୋଗୀ କରିଦେବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ଏହାର ମାତ୍ରା ପିଇବା ପାଣିରେ ୩୦୦ ପର୍ଯ୍ୟନ୍ତ ଥିଲେ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। ତେଣୁ ପାଣିରେ ଦ୍ରବିଭୂତ କଠିନ ପଦାର୍ଥର ମାତ୍ରା ୩୦୦ ତଳକୁ ଥିଲେ ଆମେ ସାଧାରଣ ଫିଲ୍ଟର ବ୍ୟବହାର କରିପାରିବା।
ଯାଦୁଗୁଡ଼ା, ପୂର୍ବ ସିଂହଭୂମି
ଝାଡଖଣ୍ଡ, ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri