ଆରସିରୋଡରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭଞ୍ଜନଗର,୧୭।୭(ଡି.ଏନ.ଏ) -ଭଞ୍ଜନଗର ସହର ଆର୍‌ସିରୋଡ଼କୁ ଅଧିକାଂଶ ଲୋକେ ବର୍ଷବର୍ଷ ଧରି ଜବରଦଖଲ କରି ରଖିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ବିଭିନ୍ନ ସମୟରେ ଜବରଦଖଲ ଉଚ୍ଛେଦ ପାଇଁ ଦାବି ହେଉଥିଲା। କିନ୍ତୁ ବିଭିନ୍ନ ଚାପରେ ଏନ୍‌ଏସି ପ୍ରଶାସନ ଏହାକୁ ଏଡାଇ ଦେଉଥିଲା। ମଙ୍ଗଳବାରଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍‌ଏସି, ପୂର୍ତ୍ତ ଏବଂ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଜବରଦଖଲ ଅଞ୍ଚଳ ଚିହ୍ନଟ କରାଯାଇଛି। ଖୁବ୍‌ କମଦିନ ମଧ୍ୟରେ ଉଚ୍ଛେଦ ହେବ। ସ୍ଥାନ ଚିହ୍ନଟ ସମୟରେ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଥିଲା। ଅଧିକାଂଶ ଲୋକ ଜବରଦଖଲ ଉଚ୍ଛେଦକୁ ସ୍ବାଗତ କରୁଥିବା ବେଳେ କେତେକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଜବରଦଖଲ ସ୍ଥାନ ଚିହ୍ନଟ ସମୟରେ ପୋଲିସ ମୁତୟନ ହୋଇଥିଲେ। ଅପରପକ୍ଷେ ଜବରଦଖଲ ସ୍ଥାନ ଚିହ୍ନଟ ଆରମ୍ଭ ହେଉହେଉ କିଛି ଲୋକେ ନିଜେନିଜେ ଜବରଦଖଲ ଅଞ୍ଚଳକୁ ଭାଙ୍ଗି ଦେଉଥିବା ଲକ୍ଷ୍ୟ କରାଯାଇଛି। ପ୍ରକାଶ ଯେ, ଆରସିରୋଡ଼ଟି ହେଉଛି ଜନଗହଳିପୂର୍ଣ୍ଣ ଅଞ୍ଚଳ। ତେଣୁ ଉକ୍ତ ରାସ୍ତାରେ ଅଧିକାଶଂ ସମୟ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ହେଉଥିଲା। ଡ୍ରେନ ଜବରଦଖଲ ଯୋଗୁ ସଫା ହୋଇ ନ ପାରି ବର୍ଷା ହେଲେ ରାସ୍ତାରେ ପାଣି ଭାସୁଥିଲା। ସୋମବାର ନାଗରିକ ସୁରକ୍ଷା କମିଟିର କର୍ମକର୍ତ୍ତା ମୁରଲି ପଣ୍ଡା ପ୍ରମୁଖ ସହରରୁ ଜବରଦଖଲ ମୁକ୍ତ ପାଇଁ ଜିଲାପାଳଙ୍କ ନିକଟରେ ଦାବି କରିଥିଲେ। ଆରସିରୋଡ଼ର ଚଉଡ଼ା ସର୍ବନିମ୍ନ ପ୍ରାୟ ୩୨ ଫୁଟ ଓ ସର୍ବାଧିକ ପ୍ରାୟ ୪୫ ଫୁଟ ଥିବା ଜଣାପଡ଼ିଛି। କେଉଁଠି କେତେ ଚଉଡ଼ା ଅଛି ମାପ କରିବା ସମୟରେ ଲୋକେ ବିଭିନ୍ନ ପ୍ରକାର ଅଭିଯୋଗ ଆଣୁଛନ୍ତି। ତେଣୁ ପ୍ରଶାସନ ସତର୍କତାର ସହ ପୁରୁଣା ନକ୍ସାକୁ ଧରି ସ୍ଥାନ ଚିହ୍ନଟ କରୁଛି। ଏନେଇ ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଭଞ୍ଜନଗର ସହରକୁ ଏକ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପଦକ୍ଷେପ ନିଆଯାଇଛି। ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରମେଶ ପ୍ରସାଦ ସ୍ବାଇଁ ଏଠାରେ କହିଛନ୍ତି ଯେ, ପରିବା ମାର୍କେଟ ଛକରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଥିବା ୫୬୦ ମିଟର ପୂର୍ତ୍ତ ବିଭାଗ ରାସ୍ତାକୁ ଆଧୁନିକୀକରଣ କରାଯିବ, ଡ୍ରେନ୍‌ ମରାମତି ହେବ। ଏବାବଦରେ ୧ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଟେଣ୍ଡର ସରିଛି, ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ତୁରନ୍ତ କାମ
ଆରମ୍ଭ ହେବ।