ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଭଦ୍ରକର ୧୧୭ କେନ୍ଦ୍ରରେ ୨୩,୫୬୩ ପରୀକ୍ଷାର୍ଥୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭଦ୍ରକ ଅଫିସ, ୧୯ା୨- ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଭଦ୍ରକ ଜିଲାର ୭ଟି ବ୍ଲକରେ ମୋଟ ୧୧୭ଟି ପରୀକ୍ଷା କେନ୍ଦ୍ରରେ ୨୩, ୫୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଜିଲା ଶିକ୍ଷାବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ କହିଛନ୍ତି।

ଜିଲାରେ ନିୟମିତ(ରେଗୁଲାର) ୨୨,୩୩୩ ପରୀକ୍ଷାର୍ଥୀ ଥିବା ବେଳେ ମଧ୍ୟମା ସଂସ୍କୃତରେ ୨୩୧, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଭାବେ ୨୧୨ ଜଣ ପରୀକ୍ଷା ଦେଉଛନ୍ତି। ଜିଲାରେ ପ୍ରଶ୍ନପତ୍ର ରଖିବା ପାଇଁ ନୋଡାଲ କ୍ୱେଶ୍ଚିନ୍‌ ହବ୍‌ ପ୍ରସ୍ତୁତ ହୋଇଛି। ପ୍ରଶ୍ନୋତ୍ତର ନେବା ଆଣିବା ପାଇଁ ୨୩ ଡେସ୍‌ପାଚ୍‌ ଟିମ୍‌ ସହ କପି ଓ ଅପରାଧ ରୋକିବା ପାଇଁ ୩ ଫ୍ଲାଇଂ ସ୍କ୍ବାଡ୍‌ ଟିମ ଗଠନ କରାଯାଇଛି। ଭଦ୍ରକ ବ୍ଲକର ୨୧ ପରୀକ୍ଷାକେନ୍ଦ୍ରରେ ରେଗୁଲାର ଓ ଏକ୍ସ ରେଗୁଲାର ମିଶାଇ ୪୩୬୦ ପରୀକ୍ଷାର୍ଥୀ, ବାସୁଦେବପୁର ବ୍ଲକର ୨୨ କେନ୍ଦ୍ରରେ ମୋଟ ୪୪୭୬ ପରୀକ୍ଷାର୍ଥୀ, ଭଣ୍ଡାରିପୋଖରୀ ବ୍ଲକର ୯ କେନ୍ଦ୍ରରେ ମୋଟ ୧୬୦୦ ପରୀକ୍ଷାର୍ଥୀ, ବନ୍ତ ବ୍ଲକର ୧୩ କେନ୍ଦ୍ରରେ ମୋଟ ୨୫୧୩ ପରୀକ୍ଷାର୍ଥୀ, ଚାନ୍ଦବାଲି ବ୍ଲକର ୧୯ କେନ୍ଦ୍ରରେ ମୋଟ ୪୦୬୮ ଜଣ, ଧାମନଗର ବ୍ଲକର ୧୯ କେନ୍ଦ୍ରରେ ମୋଟ ୩୪୪୪ ଜଣ ଏବଂ ତିହିଡ଼ି ବ୍ଲକର ୧୪ କେନ୍ଦ୍ରରେ ମୋଟ ୩୧୦୨ ପରୀକ୍ଷାର୍ଥୀ ଥିବା ସୂଚନା ମିଳିଛି। ମୋଟାମୋଟି ଭାବେ ୧୧୭ କେନ୍ଦ୍ରରେ ରେଗୁଲାରରେ ୨୨,୩୩୩ ପରୀକ୍ଷାର୍ଥୀ ଓ ଏକ୍ସ ରେଗୁଲାରରେ ୧,୨୩୦ ଜଣ ପରୀକ୍ଷାର୍ଥୀ ଥିବା ଜଣାପଡ଼ିଛି।

ଚଳିତ ଥର ପରୀକ୍ଷାକୁ କପିମୁକ୍ତ ଓ ଶୃଙ୍ଖଳାର ସହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି। ସେଥିପାଇଁ ପରୀକ୍ଷା ପୂର୍ବରୁ ନୋଡାଲ କ୍ୱେଶ୍ଚିନ ହବ୍‌ରେ ପ୍ରଶ୍ନପତ୍ର ପହଞ୍ଚିବା ସହ ଠିକ ସମୟରେ ପରୀକ୍ଷାର୍ଥୀଙ୍କ ପାଖରେ ପ୍ରଶ୍ନପତ୍ରକୁ ପହଞ୍ଚାଇବା ପାଇଁ ଡେସ୍‌ପାଚ୍‌ ଟିମ ଗଠନ କରାଯାଇଛି। ସେହିଭଳି କପିମୁକ୍ତ ଓ ଶୃଙ୍ଖଳା ପାଇଁ ପୋଲିସ ସହାୟତାରେ ଫ୍ଲାଇଂ ସ୍କ୍ବାଡ ଟିମ ଗଠନ କରାଯିବା ସହ ସିସିଟିଭିର ସହାୟତା ମଧ୍ୟ ନିଆଯାଇିଛି। ଜିଲାରେ ଚଳିତ ବର୍ଷ ୩୫ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।