Categories: ଖେଳ

ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଇ-ପାଠଶାଳା

ନୂଆଦିଲ୍ଲୀ, ୨ା୬ (ପି.ଟି.)- ଖେଲୋ-ଇଣ୍ଡିଆ ପାଠଶାଳା ପ୍ରୋଗ୍ରାମ୍‌ ସୋମବାରଠାରୁ ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏକ ଓ୍ବେବିନାର୍‌ ଜରିଆରେ ଏହାର ଉଦ୍‌ଘାଟନ କରିଛନ୍ତି। ଏଥିରେ ପ୍ରଥମେ ସମଗ୍ର ଦେଶର ଯୁବ ତୀରନ୍ଦାଜ, ତରନ୍ଦାଜୀ କୋଚ୍‌ ଓ ଏହି ଖେଳର ବିଶେଷଜ୍ଞମାନେ ଭାଗ ନେଇଥିଲେ। ଦୂରଦୂରାନ୍ତରେ ଥିବା ଆଥଲେଟ୍‌ମାନଙ୍କୁ ଅନ୍‌ଲାଇନ୍‌ ଜରିଆରେ କୋଚିଂ ଓ ଶିକ୍ଷାଦାନ କରିବା ଇ-ପାଠଶାଳାର ମୂଳ ଉଦ୍ଦେଶ୍ୟ। ନ୍ୟାଶନାଲ ସ୍ପୋର୍ଟିଂ ଫେଡେରେଶନ (ଏନ୍‌ଏସ୍‌ଏଫ୍‌)ର ମିଳିତ ସହଯୋଗରେ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ ତରଫରୁ ଏହି ପ୍ରୋଗ୍ରାମ୍‌ର ଶୁଭାରମ୍ଭ କରାଯାଇଛି। ରିଜିଜୁ କହିଛନ୍ତି ବର୍ତ୍ତମାନ କରୋନାଭାଇରସ୍‌ ଜନିତ ପରିସ୍ଥିତିରୁ ଏଭଳି ସ୍କିମ୍‌ର ଆବଶ୍ୟକତା ରହିଛି। ଏହି ଅଭିନବ ପ୍ରୋଗ୍ରାମ ଜରିଆରେ ଭାରତର ବିଭିନ୍ନ ଅଞ୍ଚଳରେ ରହିଥିବା ଆଥଲେଟ୍‌ମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ ହୋଇପାରିବ, ଯେଉଁମାନଙ୍କ ପକ୍ଷେ ପ୍ରତିଷ୍ଠିତ ଖେଳାଳି ଓ କୋଚ୍‌ଙ୍କ ସଂସ୍ପର୍ଶରେ ଆସିପାରୁ ନାହାନ୍ତି। ଏହି ପ୍ରୋଗ୍ରାମ ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ପେସାଦାର ଖେଳାଳି ହେବା ଲାଗି ପ୍ରେରଣା ଦେବ ବୋଲି ରିଜିଜୁ କହିଛନ୍ତି। ଇ-ଶିକ୍ଷାଦାନ ପ୍ରୋଗ୍ରାମରେ ୨୧ ପ୍ରକାର ଖେଳକୁ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଅଥଲେଟିକ୍ସ, ତୀରନ୍ଦାଜୀ, ବକ୍ସିଂ, ସାଇକ୍ଲିଂ, ଫେନ୍‌ସିଂ, ଫୁଟ୍‌ବଲ, ଜିମ୍ନାଷ୍ଟିକ୍ସ, ହକି ଜୁଡୋ, କାୟାକିଙ୍ଗ୍‌ ଓ କାନୋଇଙ୍ଗ, କବାଡ଼ି, ପାରା ଗେମ୍ସ, ରୋଇଂ, ଶୁଟିଂ, ଟାଏକୋଣ୍ଡୋ, ଟେବୁଲ ଟେନିସ୍‌, ଭଲିବଲ୍‌, ଭାରୋତ୍ତୋଳନ, କୁସ୍ତି ଓ ଉଷୁ। ଏହି ପ୍ରୋଗ୍ରାମ୍‌ରେ ସିନିୟର କୋଚ୍‌ମାନେ ଅଂଶଗ୍ରହଣ କରିବେ। ସ୍ପୋଟର୍‌ସ ସାଇଣ୍ଟିଷ୍ଟ, ହାଇପରଫର୍ମାନ୍ସ ଡାଇରେକ୍ଟର ଏବଂ ହାଇପରଫର୍ମାନ୍ସ ମ୍ୟାନେଜରମାନଙ୍କୁ ନେଇ ଗଠିତ କମିଟି ଏହାର ପର୍ଯ୍ୟବେକ୍ଷଣ କରିବ। କମିଟି ନିୟମିତ ଭିତ୍ତିରେ ଫିଡ୍‌ବ୍ୟାକ୍‌ ଶୋୟାର କରିବ।

Share