ଆରମ୍ଭରୁ କମିଲା, ୨୫ରୁ ବର୍ଷିବ

ଭୁବନେଶ୍ୱର, ୨୪ା୬(ବ୍ୟୁରୋ): ଏ ବର୍ଷ ବିଳମ୍ବରେ ଓଡ଼ିଶାରେ ପହଞ୍ଚତ୍ଛି ମୌସୁମୀ। ପ୍ରତିବର୍ଷ ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଛୁଇଁଥାଏ। କିନ୍ତୁ ଏଥର ଚତୁର୍ଥ ସପ୍ତାହରେ ମୌସୁମୀ ପହଞ୍ଚତ୍ବା ପରେ ତାତି ଓ ଗୁଳୁଗୁଳିରେ ଛଟପଟ ହେଉଥିବା ଓଡ଼ିଶାବାସୀ ଆଶ୍ୱସ୍ତ ହୋଇଥିଲେ। ମୌସୁମୀ ଛୁଇଁବା ପରେ ତିନିଦିନ ଲଗାତର ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଛତିଶଗଡ଼ରେ ପହଞ୍ଚତ୍ବା ସହ ଟ୍ରପ୍‌ ଲାଇନ୍‌ ଦେଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମିଛି। ରବିବାର ମଧ୍ୟ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ହୋଇନାହିଁ। ସୋମବାର ରାଜ୍ୟର ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। ତେବେ ୨୫ ତାରିଖରୁ ୩ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନାନୁସାରେ, ୨୫ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲାରେ କାଳବୈଶାଖୀ ହେବ। ସେହିପରି ୨୬ ତାରିଖ ଦିନ ଉପକୂଳ ଓଡ଼ିଶା ସହ ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳ ଏବଂ ୨୭ ତାରିଖରେ ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲାରେ କାଳବୈଶାଖୀ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ତେବେ ୨୮ ତାରିଖରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ରବିବାର ସନ୍ଧ୍ୟା ସୁଦ୍ଧା ମାଲକାନଗିରିରେ ସର୍ବାଧିକ ୩୧ ମିମି ବର୍ଷା ହୋଇଥିବାବେଳେ ଭୁବନେଶ୍ୱର ଓ କେନ୍ଦୁଝରରେ ସର୍ବନିମ୍ନ ୦.୩ ମିମି ବର୍ଷା ହୋଇଛି। ସେହିପରି ସମ୍ବଲପୁର ୧୩ ମିମି, କଟକ ୯.୨ ମିିମି, କୋରାପୁଟ ୮ ମିମି, ବାରିପଦା ୩.୨ ମିମି, ସୁନ୍ଦରଗଡ଼ ୨ ମିମି, ଝାରସୁଗୁଡ଼ା ୧ ମିମି, ବାଲେଶ୍ୱର ୦.୫ ମିମି, ଚାନ୍ଦବାଲି ଓ ଅନୁଗୋଳ ୦.୬ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି।