ଆମ ଚଳଣିର ମହକ

ଡା. ବାସୁଦେବ ପ୍ରଧାନ
କରୋନା ଏବେ ସାରା ପୃଥିବୀରେ ଏକ ପ୍ରକାର ଆତଙ୍କ ଖେଳାଇଦେଇଛି। ତା’ ପାଇଁ ସ୍କୁଲ୍‌, କଲେଜ, ପରୀକ୍ଷା ବନ୍ଦ। ବିମାନଯାତ୍ରା, ରେଳଯାତ୍ରା ବନ୍ଦ। ବିଦେଶୀମାନଙ୍କୁ ଓ ପର୍ଯ୍ୟଟକମାନଙ୍କୁ ଆସିବାକୁ ବାରଣ କରାଯାଉଛି। ବଡ଼ ବଡ଼ ମଲ୍‌ରେ ବେପାରବଣିଜ ବନ୍ଦ। କେତେକ ଦେଶ ସହ ଆମଦାନି, ରପ୍ତାନି କାରବାର ବି ବନ୍ଦ। ମୋଟାମୋଟି ଭାବେ ବେପାରବଣିଜ ଓ ଅର୍ଥନୀତି ଏକପ୍ରକାର ଠପ୍‌ ହୋଇଯାଇଛି। ଅର୍ଥନୀତି ଭୁଶୁଡ଼ି ପଡ଼ିଲାଣି। ବିଭିନ୍ନ ଧାର୍ମିକ ପର୍ବପର୍ବାଣି, ମେଳାମଉଚ୍ଛବ ଓ ମନ୍ଦିରରେ ଦିଅଁଦର୍ଶନ ବି ବନ୍ଦ ହୋଇଯାଇଛି। କେତେ ଶକ୍ତିଶାଳୀ ଏ କରୋନା ଭୂତାଣୁ ସତେ! ଏହାର କ’ଣ କିଛି ପ୍ରତିକାର ନାହିଁ? ବିଜ୍ଞାନାଗାରରେ ପରୀକ୍ଷିତ ଓ ପ୍ରମାଣିତ ପ୍ରତିକାର କିଛି ନ ଥିବାରୁ ଆମେ ସେ ବିଷୟରେ ଲେଖୁନାହୁଁ। କିନ୍ତୁ ପ୍ରତିକାର ଅପେକ୍ଷା ପ୍ରତିଷେଧକ ବ୍ୟବସ୍ଥା ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଜ୍ଞାନ ଏବେ ତାହାହିଁ କରିବାକୁ କହୁଛି। ଯେଉଁ ବିଜ୍ଞାନ ଦିନେ ଧାର୍ମିକ ରୀତିନୀତିକୁ ଅନ୍ଧବିଶ୍ୱାସ ବୋଲି କହୁଥିଲା, ସେ ଏବେ କହୁଛି ଧର୍ମ ପାଳନ କର- ହାତ ଧୋଇବ, ସଫାସୁତୁରା ରହିବ, ଛୁଆଁଛୁଇଁ କରିବନି, ଯୋଉଠି ଇଚ୍ଛା ସେଠି ଖାଇବନି, କାହା ଲୁଗା କେହି ପିନ୍ଧିବନି ଇତ୍ୟାଦି। ଏଗୁଡ଼ାକ ଆମ ଧର୍ମରେ ଅଛି ନା? ଆଚାରପ୍ରଭବୋ ଧର୍ମଃ- ସଦାଚାର ବା ସୁସ୍ଥ ରହିବାର ଆଚରଣକୁ ହିଁ ଧର୍ମ କହନ୍ତି। ଆଚରଣ ଠିକ୍‌ ନ ହେଲେ କରୋନା ପରି ବିପତ୍ତି ଆମକୁ କୋରଣା ପରି କୋରିପକେଇବ।
ଆମେ ଆମ ପୁରୁଣା ଆଚାର ଆଚରଣକୁ ଭୁଲିଯାଉଛେ। ଆଗରୁ ଗାଁଗହଳରେ ବାହାରୁ ଘରକୁ ଆସିଲେ ପୋଖରୀରେ ବା ଦାଣ୍ଡଦୁଆରେ ରଖାଯାଇଥିବା ପାଣିକୁଣ୍ଡରେ ପ୍ରଥମେ ଗୋଡ଼ ଧୋଇ ଲୋକମାନେ ଘରକୁ ଆସୁଥିଲେ। ଘରକୁ କୁଣିଆ ଆସିଲେ ସେମାନଙ୍କୁ ପାଣିଢାଳ ବଢ଼େଇ ଦିଆଯାଉଥିଲା। ଗୋଡ଼ ଧୋଇ ଗାମୁଛାରେ ଗୋଡ଼ ପୋଛି ଘରକୁ ଆସୁଥିଲେ। ଅବଶ୍ୟ ଏବେ ଗାଡ଼ି ମୋଟର ସଂଖ୍ୟା ବଢ଼ିଛି। ପାଦରେ ସମସ୍ତଙ୍କର ଜୋତା, ଚପଲ। ତେଣୁ ଧୂଳି ଲାଗିବା କମିଯାଇଛି। ତଥାପି ଉଡ଼ା ଧୂଳି ନିଶ୍ଚୟ ଲାଗିବ। ଚପଲ ବାହାର କରି ପାଦ ଧୋଇ ଘରକୁ ଗଲେ ପାଦରେ ଲାଗିଥିବା ଧୂଳି ଓ ଝାଳ ପ୍ରଭୃତି ସଫା ହୋଇପାରିବ। ଅତୀତରେ ବାହାରୁ ଆସିବା ପରେ ପିନ୍ଧା ଲୁଗା ଦାଣ୍ଡ ଘରେ ରଖାଯାଉଥିଲା। ଘର ଲୁଗା ଅଲଗା, ବାହାର ଲୁଗା ଅଲଗା। ସେହିପରି ଝାଡ଼ା ଯିବା ଲୁଗା ମଧ୍ୟ ଅଲଗା ଥିଲା। ବାଡ଼ିପଟେ ସେହି ଲୁଗା ଥାଏ। ସ୍ତ୍ରୀଲୋକମାନେ ସେହି ଲୁଗା ପିନ୍ଧି ବାହାରକୁ ଯାଉଥିଲେ (ସେତେବେଳେ ଆଜିକାଲି ଭଳି ପାଇଖାନା ନ ଥିଲା)। ଶୌଚ ହୋଇ ଲୁଗା ଧୋଇ ଘରକୁ ଆସୁଥିଲେ। ପୁରୁଷ ଲୋକମାନେ ସେମାନଙ୍କର ରାତି ପିନ୍ଧା ଲୁଗା ପିନ୍ଧି କ୍ଷେତବାଡ଼ିକୁ ଯାଉଥିଲେ। କ୍ଷେତରୁ ଫେରିବା ସମୟରେ ଗାଁ ପୋଖରୀ କିମ୍ବା ନଦୀରେ ଗାଧୋଇ ଲୁଗାଧୋଇ ଘରକୁ ଆସୁଥିଲେ। ଆମେ ଛିଙ୍କିଲେ ବା କାଶିଲେ ମୁହଁରେ ରୁମାଲ ବା ଗାମୁଛା ଦେଇଥାଉ। କାହା ଆଗରେ ବସିବା ବେଳେ କାନ, ନାକ ପାଟିରେ ହାତ ମାରିଲେ ଏହା ଖରାପ ଅଭ୍ୟାସ ବୋଲି ଗୁରୁଜନମାନେ ଆମକୁ ବାରଣ କରୁଥିଲେ।
ଗାଧୋଇସାରି ତୁଳସୀଗଛରେ ପାଣିଦେବା ଓ ଦୁଇଚାରିଟା ତୁଳସୀପତ୍ର ଖାଇବା ଆମର ଅଭ୍ୟାସ ଥିଲା। ପ୍ରତ୍ୟେକ ଘରେ ତୁଳସୀଗଛ ଓ ବେଲଗଛ ରହୁଥିଲା। ତୁଳସୀ ଥଣ୍ଡା, ସର୍ଦ୍ଦି ପାଇଁ କାମ କରୁଥିବା ବେଳେ ବେଲପତ୍ର ଏବଂ କଞ୍ଚା ଓ ପାଚିଲା ବେଲ ପେଟରୋଗର ଅମୋଘ ଔଷଧ। ଆମ ପୂଜାପୂଜି କାମରେ ପଞ୍ଚାମୃତ ବ୍ୟବହାର କରାଯାଏ, ଯାହା ପାଞ୍ଚଟି ଅମୃତର ସମାହାର- କ୍ଷୀର, ଘିଅ, ଦହି, ଗୁଡ଼ ଓ ମହୁ। ଏଗୁଡ଼ିକର ସ୍ବାସ୍ଥ୍ୟବର୍ଦ୍ଧକ ଗୁଣ ବିଷୟରେ କାହାକୁ ବୁଝାଇବା ଦରକାର ନାହିଁ। ଏହି ପଞ୍ଚାମୃତ ପ୍ରତିଦିନ ଅଳ୍ପ ଅଳ୍ପ ଖାଇଲେ ବଜାରରେ ମିଳୁଥିବା ଯେକୌଣସି ଟନିକ୍‌ଠାରୁ ମଧ୍ୟ ଭଲ କାମ କରେ।
ଅନ୍ୟ କାହାର ପୋଷାକପତ୍ର, ବିଛଣାଚଦର, ତକିଆ ଆଦି ବ୍ୟବହାର କରିବା ଆମ ଚଳଣିରେ ନାହିଁ। ପରିବାରର ସଦସ୍ୟ ହେଲେ ବି କାହା ଦେହରେ କେଉଁ ରୋଗ ଥିବ! ସେହିପରି ଏକା ସାଥୀରେ ଖାଇବା କିନ୍ତୁ ଏକ ପାତ୍ରରେ ନ ଖାଇବା, ସୁସ୍ଥ ଗୁରୁଜନଙ୍କ ବ୍ୟତୀତ ଅନ୍ୟ କାହାର ଅଇଁଠା ନ ଖାଇବା ହେଉଛି ଆମର ପ୍ରାଚୀନ ପରମ୍ପରା। ଏସବୁକୁ ପାଳନ କଲେ ଆମର ରୋଗ ହୋବାର ସମ୍ଭାବନା କମ୍‌ ରହିବ। ଆଗରୁ ଘରେ ଘରେ ଘୋରଣା, ପେଷଣା, ଢିଙ୍କି ଥିଲା। ସେସବୁ ବ୍ୟବହାର କରିବା ଫଳରେ ଶାରୀରିକ ଶ୍ରମ ହେଉଥିଲା। ତେଣୁ ଶରୀର ନୀରୋଗ ରହୁଥିଲା। ସମସ୍ତଙ୍କ ବାଡ଼ିରେ କଦଳୀ, ଅମୃତଭଣ୍ଡା, ସଜନା ଗଛ ଥିଲା। ଶାଗ ପଟାଳି, କଲରା, ପୋଟଳ ମନ୍ଦା ଥିଲା। ସାରୁ, ଖମ୍ବଆଳୁ, ଓଲୁଅ, ଶିମ୍ବ, ଜହ୍ନି, ଭେଣ୍ଡି, କାକୁଡି ଆଦି ପନିପରିବା ମିଳୁଥିଲା। ସେଥିରେ କେବଳ ଗୋବର ଖତ ଦିଆଯାଉଥିଲା। ଫଳରେ ସେସବୁ ସ୍ବାସ୍ଥ୍ୟ ପାଇଁ ନିରାପଦ ଥିଲା।
ଅତୀତରେ ଶାରୀରିକ ଶ୍ରମ, ବାଡ଼ିବଗିଚାର ପନିପରିବା, ଢିଙ୍କିକୁଟା ଚାଉଳ, କାଠଚୁଲି, ମାଟିହାଣ୍ଡି ଭାତ, ବାସି ତୋରାଣି ମଣିଷକୁ ନୀରୋଗ ରଖୁଥିଲା। ସେହିଭଳି ଢିଙ୍କିକୁଟା ଚୁଡା, ମୁଢ଼ି, ହୁଡୁମ, ଛତୁଆ, ଗୁଡ଼, ନଡ଼ିଆ, ବାରି କଦଳୀ ମଣିଷକୁ ନୀରୋଗ ରଖୁଥିଲା। ଡାକ୍ତରଖାନା ଯିବାକୁ କ୍ୱଚିତ୍‌ ଦରକାର ପଡ଼ୁଥିଲା। ଏବେ ରୋଗ ବଢ଼ିଛି। ଡାକ୍ତରଖାନା ବଢ଼ିଛି। ବେଳକୁ ବେଳ କରୋନା ପରି ନୂଆ ନୂଆ ରୋଗ ଆସି ମଣିଷର ଆର୍ଥିକ ସ୍ଥିତିକୁ ଦୁର୍ବଳ କରୁଛି। ଧନଜୀବନ ନଷ୍ଟ କରୁଛି। ପ୍ରଗତିରେ ବାଧକ ହେଉଛି। ଅତୀତ ଏବଂ ଆଜି ଭିତରେ ଆକାଶପାତାଳ ଫରକ। ତେବେ ନିମ୍ନଲିଖିତ କଥାଗୁଡ଼ିକୁ ମାନି ଚଳିଲେ ଆମେ ସୁସ୍ଥସବଳ ରହିପାରିବା- ରୋଷେଇ ଘରକୁ ସଫାସୁତୁରା ରଖିବା। ଖାଇବା ବାସନକୁସନ ସମସ୍ତଙ୍କର ପୃଥକ୍‌ ହେବା ଉଚିତ। ଏକ ପାତ୍ରରେ ଖାଇବା ଅନୁଚିତ। ଘରେ ମୁକ୍ତ ବାୟୁ ଚଳାଚଳ ଏବଂ ସୂର୍ଯ୍ୟକିରଣ ପଡ଼ିବା ଆବଶ୍ୟକ।
ଅତୀତରେ କୁକୁରକୁ ଛୁଇଁଲେ ଏବଂ ମଳକୁ ମାଡ଼ିଲେ ଗାଧୋଇବାକୁ ପଡୁଥିଲା। ଏହାକୁ କୁକୁରଛୁଆଁ କୁହାଯାଉଥିଲା। କୁକୁର ମଳରେ ଅନେକ ପ୍ରକାର ଜୀବାଣୁ ଥାଆନ୍ତି। ଏବେ ଘରେ ଘରେ ପରିବାରର ସଦସ୍ୟ ପାଲଟିଛନ୍ତି କୁକୁର। ସେମାନେ ଘର ସାରା ବୁଲୁଛନ୍ତି। ଶେଯରେ ଶୋଉଛନ୍ତି। କାରରେ ଭ୍ରମଣ କରୁଛନ୍ତି। ଅତୀତରେ ଛୁଆଁଛୁତିକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଝିଅ ହେଉ କି ବୋହୂ ଋତୁସ୍ରାବ ସମୟରେ ରୋଷେଇଘରେ ପଶୁ ନ ଥିଲେ। ଏହା ଅତ୍ୟନ୍ତ ସୁସ୍ଥ ବ୍ୟବସ୍ଥା ଥିଲା। ପାଣି ପବନକୁ ନିର୍ମଳ ରଖିବା ଦରକାର। କାରଣ ପାଣି ପବନ ମାଧ୍ୟମରେ ଅନେକ ରୋଗ ବ୍ୟାପିଥାଏ। ପାଣି ମାଧ୍ୟମରେ ତରଳ ଝାଡ଼ା, କାମଳ, ଆମାଶୟ ଏବଂ ପବନ ମାଧ୍ୟମରେ ଭୂତାଣୁ ସଂକ୍ରମଣଜନିତ ଥଣ୍ଡା, କାଶ, ଜ୍ୱର ବ୍ୟାପିଥାଏ। ଏହିସବୁ ସଦାଚାର ହେଉଛି ଆମ ଚଳଣିର ମହକ, ଏସବୁକୁ ପାଳନ କଲେ ଆମେ ନୀରୋଗ ରହିପାରିବା।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା ଛକ, ଭୁବନେଶ୍ୱର, ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri