Categories: ଖେଳ

ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌: ଦୂତୀଙ୍କୁ ଆଉ ଏକ ସ୍ବର୍ଣ୍ଣ

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଲକ୍ଷ୍ନୌଠାରେ ଅନୁଷ୍ଠିତ ୫୯ତମ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟରରେ ସ୍ବର୍ଣ୍ଣପଦକ ଲାଭ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ରେସ୍‌କୁ ଦୂତୀ ୧୧.୩୮ ସେକେଣ୍ଡରେ ଶେଷ କରିଛନ୍ତି। ତାମିଲନାଡ଼ୁର ଅର୍ଚ୍ଚନା ସୁସେନ୍ଦ୍ରନ ୧୧.୫୦ ଓ ପଶ୍ଚିମବଙ୍ଗର ହିମାଶ୍ରୀ ରୟ ୧୧.୬୩ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନର୍କାଟକର ପ୍ରିୟଙ୍କ କାଲାଗି ୧୧.୬୪, ପି. ସ୍ନେହା ୧୧.୭୩, ମହାରାଷ୍ଟ୍ରର ଦିନ୍ଦ୍ରା ଭାଲଡରେସ ୧୧.୯୬, କେରଳର ରେମାୟା ରାଜନ ୧୨.୨୫ ଓ ପଶ୍ଚିମବଙ୍ଗର ରାଜଶ୍ରୀ ପ୍ରସାଦ ୧୨.୩୮ ସେକେଣ୍ଡ ସମୟ ନେଇ ପଛକୁପଛ ରହିଛନ୍ତି। ପୂର୍ବଦିନ ଦୂତୀ ସେମିଫାଇନାଲରେ ୧୧.୩୫ ସେକେଣ୍ଡ ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଟାଇମିଂ ହେଉଛି ୧୧.୨୪ ସେକେଣ୍ଡ। ଲକ୍ଷ୍ନୌରେ ତାହା ହାସଲ କରିପାରି ନ ଥିବାରୁ ଦୂତୀ ସେପ୍ଟେମ୍ବର ୫ରେ ନୂଆଦିଲ୍ଲୀଠାରେ ହେବାକୁଥିବା ଇଣ୍ଡିଆନ ଗ୍ରାଁ ପ୍ରି-୬ ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ଯୋଗ୍ୟତା ପାଇଁ ଏହା ଭାରତୀୟ ଆଥଲେଟ୍ସଙ୍କ ଲାଗି ଶେଷ ସୁଯୋଗ । ଇଣ୍ଡିଆନ ଗ୍ରାଁ ପ୍ରିରେ ଟାଇମିଂରେ ଉନ୍ନତି ଆଣି ବିଶ୍ୱଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବି ବୋଲି ଦୂତୀ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।

Share