Categories: ଖେଳ

ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ: ଜୋକୋଭିଚ୍‌ଙ୍କ ଡବଲ ପରାଜୟ

ବେଲଗ୍ରେଡ, ୧୫।୬: ଏଠାରେ ଆରମ୍ଭ ହୋଇଥିବା ଆଡ୍ରିଆ ଟୁର୍‌ ଚ୍ୟାରିଟି ଟେନିସ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଅନୁଷ୍ଠିତ ୨ଟିଯାକ ମ୍ୟାଚ ହାରି ଯାଇଛନ୍ତି ବିଶ୍ୱର ନମ୍ବରଓ୍ବାନ ଖେଳାଳି ନୋଭାକ୍‌ ଜୋକୋଭିଚ୍‌। ସର୍ବୀୟ ସାଥୀ ଖେଳାଳି ଭିକ୍ଟର ଟ୍ରୋଇକି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଜୋକୋଭିଚ୍‌ଙ୍କ ଉଦ୍ୟମରେ ହିଁ ଏହି ଟୁର୍ନାମେଣ୍ଟ ଆୟୋଜନ ହୋଇଛି। ପ୍ରଥମ ଦିବସରେ ଜୋକୋଭିଚ୍‌ଙ୍କୁ ଡବଲ୍‌ ଝଟ୍‌କା ଲାଗିଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଟେନେଗ୍ରୋଠାରେ ଚଳିତମାସ ୨୭ ଓ ୨୮ ତାରିଖରେ ହେବାକୁଥିବା ଆଡ୍ରିଆ ଟୁର୍‌ର ତୃତୀୟ ଲେଗ୍‌ ବାତିଲ ହୋଇଛି। ମାଣ୍ଟେନେଗ୍ରୋ ଲେଗ୍‌ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ୪୦୦୦ ଦର୍ଶକଙ୍କ ସମ୍ମୁଖରେ ଏକ ସାକ୍ଷାତକାରରେ ଜୋକୋଭିଚ୍‌ ପ୍ରକାଶ କରିଛନ୍ତି। କୋଭିଡ-୧୯ କାରଣରୁ ସର୍ବିୟାରେ ୧୨,୨୫୧ ପଜିଟିଭ୍‌ କେସ୍‌ ଥିବାବେଳେ ୨୫୩ ଜଣ ପ୍ରାଣ ହରାଇଛନ୍ତି। ତେଣୁ ବାହାରର କୌଣସି ବ୍ୟକ୍ତିଙ୍କୁ ମଣ୍ଟେନେଗ୍ରୋ ଯିବାକୁ ଅନୁମତି ନାହିଁ। ଆଡ୍ରିଆ ଟୁର୍‌ର ଦ୍ୱିତୀୟ ଚରଣ ଜୁନ ୨୦-୨୧ରେ କ୍ରୋଏସିଆର କୋଷ୍ଟାଲ ରିସର୍ଟ ଜାଦାରଠାରେ ଏବଂ ୪ର୍ଥ ତଥା ଅନ୍ତିମ ଚରଣ ବୋସନିଆର ବଞ୍ଜା ଲୁକାଠାରେ ଜୁଲାଇ ୩-୪ରେ ଅନୁଷ୍ଠିତ ହେବ।
ପ୍ରଥମ ମ୍ୟାଚରେ ଟ୍ରୋଇକିଙ୍କଠାରୁ ସିଧାସଳଖ ସେଟ୍‌ରେ ହାରିଥିବା ଟପ୍‌ ସିଡ୍‌ ଜୋକୋଭିଚ୍‌ ଦ୍ୱିତୀୟ ମ୍ୟାଚରେ କ୍ରାଜିନୋଭିଚ୍‌ଙ୍କଠାରୁ ୪-୨, ୨-୪, ୧-୪ ସେଟ୍‌ରେ ପରାଜିତ ହୋଇଛନ୍ତି। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ବୋସନିଆର ଡାମିର ଜୁମୁର ରିଟାୟର୍ଡ ହୋଇଥିବାରୁ ସହଜରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଦ୍ୱିତୀୟ ସିଡ୍‌ ତଥା ଅଷ୍ଟ୍ରିଆର ୩ ନମ୍ବର ଖେଳାଳି ଡୋମିନିକ୍‌ ଥିମ ୧-୪, ୪-୧, ୪-୩ ସେଟ୍‌ରେ ଡୁସାନ ଲାଜୋଭିକ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ବୁଲଗେରିଆର ଗ୍ରିଗୋର ଡିମିଟ୍ରୋଭ୍‌ ସିଧାସଳଖ ସେଟ୍‌ରେ ଲାଜୋଭିକ୍‌ଙ୍କୁ ହରାଇଥିଲେ ହେଁ ସ୍ଥାନୀୟ ଖେଳାଳି ନିକୋଲା ମିଲୋଜେଭିଚ୍‌ଙ୍କଠାରୁ ୧-୪, ୩-୪ ସେଟ୍‌ରେ ହାରିଛନ୍ତି। କ୍ରାଜିନୋଭିଚ୍‌ଙ୍କୁ ୦-୪, ୪-୩, ୪-୩ ସେଟ୍‌ରେ ହରାଇଥିବା ଆଲେକଜାଣ୍ଡର ଜେଭରେଭ ଦ୍ୱିତୀୟ ରାଉଣ୍ଡରେ ଟ୍ରୋଇକିଙ୍କୁ ଭେଟିବେ।

Share