ଗଛ କଟା, ପ୍ରଦୂଷଣ, ଜଳ ସଙ୍କଟ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ମଣିଷ ଏବଂ ପ୍ରକୃତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ପରିବେଶ ସୁରକ୍ଷା ଏବେ ସମସ୍ତଙ୍କ ପାଇଁ ଜରୁରୀ ଆବଶ୍ୟକତା ହୋଇପଡ଼ିଛି। ଏହି କ୍ଷେତ୍ରରେ ପରିବେଶକର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଜଙ୍ଗଲ, ନଦୀ, ବନ୍ୟଜନ୍ତୁ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କାର୍ଯ୍ୟ କରିବା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥାନ୍ତି। ବିଭିନ୍ନ ଗବେଷଣା, ଅଭିଯାନ ଓ ଜନଆନ୍ଦୋଳନ ମାଧ୍ୟମରେ ସେମାନେ ସରକାର ଏବଂ ସମାଜକୁ ପରିବେଶ ଅନୁକୂଳ ପଦକ୍ଷେପ ନେବାକୁ ପ୍ରେରିତ କରନ୍ତି। ପ୍ରକୃତି ଓ ମଣିଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ପରିବେଶକର୍ମୀମାନଙ୍କ ଅବଦାନ ଅବର୍ଣ୍ଣନୀୟ। ଏଭଳି କେତେଜଣ ପରିବେଶକର୍ମୀ ତଥା ପରିବେଶ ଯୋଦ୍ଧାଙ୍କୁ ନେଇ ଏଥରର ସ୍ବତନ୍ତ୍ର ଉପସ୍ଥାପନା…
ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଚେତନତା ସୃଷ୍ଟି ସହ ଆବଶ୍ୟକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୫ରେ ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ୧୯୭୨ ମସିହାରେ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ଦିବସର ଘୋଷଣା କରାଯାଇଥିଲା ଏବଂ ୧୯୭୩ ମସିହାରେ ପ୍ରଥମ ଥର ପାଇଁ ‘କେବଳ ଗୋଟିଏ ପୃଥିବୀ’ବାର୍ତ୍ତା ସହ ପାଳନ କରାଯାଇଥିଲା।ଚଳିତ ବର୍ଷ ଉକ୍ତ ଦିବସର ବିଷୟବସ୍ତୁ (ଥିମ୍) ରହିଛି ‘ପ୍ରକୃତି ଦ୍ୱାରା ଅନୁପ୍ରାଣିତ; ଜଳବାୟୁ ପାଇଁ, ଆମର ଭବିଷ୍ୟତ ପାଇଁ’। ଏହି ବାର୍ତ୍ତା ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ବଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଏ।
ବାତ୍ୟା ଭୟରୁ ଲୁଣା ପରିବେଶ ସଂରକ୍ଷଣ ଆନ୍ଦୋଳନ
ଲୁଣା ଜଙ୍ଗଲ ବା ମାନ୍ଗ୍ରୋଭ୍ ସୁରକ୍ଷା କ୍ଷେତ୍ରରେ ଜଣେ ଯୋଦ୍ଧା ଭାବେ ଦୀର୍ଘବର୍ଷ ଧରି କାମ କରି ଆସୁଛନ୍ତି ସୌମ୍ୟରଞ୍ଜନ ବିଶ୍ୱାଳ। ତାଙ୍କର ଅଦମ୍ୟ ଉତ୍ସାହ ଓ ସାହସ ପାଇଁ ଅନେକ ବାଧାବିଘ୍ନ ସତ୍ତ୍ୱେ ମଧ୍ୟ ସେ ଆଜି ଏକାଧିକ ମାନ୍ଗ୍ରୋଭ ଜଙ୍ଗଲ ସୃଷ୍ଟି କରିବାରେ ସଫଳତା ହାସଲ କରିବା ସହିତ ଏଥିରେ ଶତାଧିକ ଲୋକଙ୍କୁ ଯୋଡ଼ି ପାରିଛନ୍ତି। ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଏକ ସମୁଦ୍ରକୂଳିଆ ଗାଁରେ ସୌମ୍ୟରଞ୍ଜନଙ୍କ ଜନ୍ମ। ପିଲାବେଳରୁ ବାତ୍ୟା, ସାମୁଦ୍ରିକ ଝଡ଼ ଓ ସମୁଦ୍ରର ରୁଦ୍ରରୂପ ତାଙ୍କ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ଥିଲା। ଛୋଟପିଲା ଭାବେ ମନରେ ଭୟ ପଶିବା ସହିତ ସକାଳେ ପୁଣି ସମସ୍ତଙ୍କ ସହ ଦେଖା ହେବ କି ନାହିଁ ଏହି ପ୍ରଶ୍ନ ଉଙ୍କି ମାରୁଥିଲା। ଉଚ୍ଚ ବିଦ୍ୟାଳୟରେ ପଢିବା ସମୟରେ ଜଳବାୟୁ ପରିବର୍ତ୍ତନ ଉପକୂଳ ଅଞ୍ଚଳରେ ବିପଦର ତୀବ୍ରତା ଓ ଆବୃତ୍ତିକୁ ବଢ଼ାଇ ଦେଉଥିବା ଜାଣିଥିଲେ। ଏଥିସହ ଜୁଆରିଆ ଅରଣ୍ୟ ବା ଲୁଣା ଜଙ୍ଗଲ (ମାନ୍ଗ୍ରୋଭ) ସମ୍ପର୍କରେ ଜାଣିବାକୁ ପାଇଥିଲେ ଯାହା ତାଙ୍କ ଜୀବନର ଦିଗ ପରିବର୍ତ୍ତନକରି ଦେଇଥିଲା। ୨୦୧୨ରେ ୫ଜଣ ସହଯୋଗୀଙ୍କୁ ନେଇ ସୌମ୍ୟ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଲୁଣା ଜଙ୍ଗଲ ସଂରକ୍ଷଣ ଓ ପୁନରୁଦ୍ଧାର, ଅଲିଭ ରିଡ଼ଲେ କଇଁଛ ସୁରକ୍ଷା, ଉପକୂଳ ବାଲୁକା ଗୁଳ୍ମ ଓ ତାଳଗଛ ସଂରକ୍ଷଣ, ବନ୍ୟଜନ୍ତୁ ଶିକାର ରୋକିବା ଏବଂ ପରିବେଶ ଶିକ୍ଷାର ପ୍ରସାର ସଂଗଠନର ପ୍ରମୁଖ କାର୍ଯ୍ୟକ୍ଷେତ୍ର ଥିଲା। ପରେ ସାରା ଓଡ଼ିଶାରେ ଲୁଣା ଜଙ୍ଗଲ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାର ଚିନ୍ତାଧାରା ଆରମ୍ଭ ହେଲା। ଏବେ ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ସମେତ ଓଡ଼ିଶାର ୬ଟି ଉପକୂଳ ଜିଲାରେ ଅଲିଭ ରିଡ୍ଲେ କଇଁଛ ସଂରକ୍ଷଣ, ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ପରିଚାଳନା, ଯୁବ ସ୍ବେଚ୍ଛାସେବୀଙ୍କ ତାଲିମ, ବେଳାଭୂମି ସଫେଇ ଏବଂ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଜାରି ରହିଛି। ସେହିପରି ବାଲେଶ୍ୱର, ଜଗତ୍ସିଂହପୁର ଓ ଗଞ୍ଜାମ ଜିଲାର ବିଭିନ୍ନ ସୁନାମିପ୍ରବଣ ଗାଁରେ ଯୁବକ, କ୍ଲବ ଓ ମତ୍ସ୍ୟଜୀବୀଙ୍କୁ ନେଇ ମାଙ୍ଗ୍ରୋଭ ସଂରକ୍ଷଣ ପାଇଁ ଜନସଚେତନତା ଓ ଜନସହଭାଗିତା କାର୍ଯ୍ୟକ୍ରମ କରାଯାଉଛି।
ଏନେଇ ସୌମ୍ୟରଞ୍ଜନ କହିଛନ୍ତି, ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ତୃଣମୂଳ ସ୍ତରରେ କାମ କରିବା ସତ୍ତ୍ୱେ ସମ୍ବଳର ଅଭାବ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଆଞ୍ଚଳିକ ସ୍ତରରେ ଆବଶ୍ୟକ ଅନୁଯାୟୀ ମନୋବଳ ଓ ଉତ୍ସାହ ସବୁବେଳେ ମିଳୁ ନ ଥିଲା। ଏହି ସମୟରେ ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ‘ଧରିତ୍ରୀ କ୍ଲାଇମେଟ୍ କନ୍କ୍ଲେଭ’ ସହ ଯୋଡ଼ିହେବା ଏକ ନୂଆ ଅଧ୍ୟାୟର ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଧରିତ୍ରୀ କ୍ଲାଇମେଟ୍ ଗ୍ରାଣ୍ଟ ଆମ ଅଭିଯାନକୁ ପ୍ରଦାନ କରାଯାଇଥିଲା। ଏହି ୧ ଲକ୍ଷ ଟଙ୍କାର ଅନୁଦାନ ଏବଂ ଅନ୍ୟାନ୍ୟ କିଛି ସହଯୋଗରେ ଦେବୀ ନଦୀ ମୁହାଣରେ ଏକ ମାନ୍ଗ୍ରୋଭ ପାଟ୍ରୋଲିଂ ବୋଟ୍ ନିର୍ମାଣ ସମ୍ଭବ ହୋଇଥିଲା। ଏହି ବୋଟ୍ ଆଜି ଲୁଣା ଜଙ୍ଗଲ ମଞ୍ଜି ସଂଗ୍ରହ, ଚାରା ରୋପଣ, ନିୟମିତ ପହରା, ସଂରକ୍ଷଣ କାର୍ଯ୍ୟକ୍ରମ, ବେଳାଭୂମି ସଫେଇ ଏବଂ ସମୁଦ୍ର ପରିବେଶରୁ ପ୍ଲାଷ୍ଟିକ ଓ ପରିତ୍ୟକ୍ତ ଜାଲ ଅପସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ପାଲଟିଛି। ସେହିପରି ବହୁ ଚେଷ୍ଟା ପରେ ୨୦୧୨ ଓ ୨୦୨୬ ମଧ୍ୟରେ ଦେବୀ ନଦୀ ମୁହାଣରେ ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ସଂଖ୍ୟା ପ୍ରାୟ ୩ରୁ୪ ଗୁଣ ବୃଦ୍ଧି ପାଇଛି। ଅପରପକ୍ଷେ ଓଡ଼ିଶାର ଜଳବାୟୁ ସ୍ଥିରତା ଓ ଲୁଣା ଜଙ୍ଗଲ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଦେବୀ ନଦୀ ମୁହାଣରୁ ୨୦୩୦ ସୁଦ୍ଧା ଏକ ମିଲିୟନ ମାନ୍ଗ୍ରୋଭ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନକୁ ଧରିତ୍ରୀ ପକ୍ଷରୁ ୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କେବଳ ସରକାର କିମ୍ବା ବିଜ୍ଞାନୀଙ୍କ ଦାୟିତ୍ୱ ନୁହେଁ, ଏହା ସମାଜର ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ଏହି ବିଶ୍ୱାସ ସହିତ ୨୦୫୦ ପର୍ଯ୍ୟନ୍ତ ଲୁଣା ଜଙ୍ଗଲ ସଂରକ୍ଷଣ, ଅଲିଭ ରିଡ଼ଲେ ସୁରକ୍ଷା, ପରିବେଶ ଶିକ୍ଷା ଏବଂ ସମୁଦାୟ ଆଧାରିତ ଜଳବାୟୁ ସ୍ଥିରତା ପାଇଁ ଏହି ଅଭିଯାନକୁ ଜାରି ରଖିବା ଲକ୍ଷ୍ୟ ବୋଲି ସୌମ୍ୟରଞ୍ଜନ କହିଛନ୍ତି।
– ସୌମ୍ୟରଞ୍ଜନ ବିଶ୍ୱାଳ, ସଭାପତି, ଓପ୍ସା
ପ୍ଲାଣ୍ଟର ଧୂଆଁ ବଦଳେଇ ଦେଇଥିଲା ମନ
ସିଦ୍ଧାର୍ଥ ପ୍ରଧାନ ଚେନ୍ନାଇରେ ବିଟେକ୍ କରିବା ସମୟରେ ସେଠାକାର ପରିବେଶ ପ୍ରଦୂଷଣ ମନକୁ ଆନ୍ଦୋଳିତ କରିଥିଲା। ପରେ ନିଜ ଘର ଅନୁଗୋଳକୁ ଫେରିବା ପରେ ସେହି ପ୍ଲାଣ୍ଟ, ଧୂଳି, ଧୂଆଁ ଦେଖି ସେ ବିଚଳିତ ହେବା ସହିତ ପରିବେଶର ସୁରକ୍ଷା ପାଇଁ କାମ କରିବାକୁ ମନ ବଳାଇଥିଲେ ଏବଂ ‘ସାଥୀ ପରିବାର’ ଆରମ୍ଭ କରିଥିଲେ। ପରିବେଶର ସୁରକ୍ଷା ସହିତ ଏନେଇ ସଚେତନତା ସୃଷ୍ଟି କରିବା ଦିଗରେ ୨୦୧୬ରୁ ‘ସାଥୀ ପରିବାର’ ପକ୍ଷରୁ କାମ କରାଯାଉଛି। ସଂଗଠନର ସଭାପତି ସିଦ୍ଧାର୍ଥଙ୍କ ତତ୍ତ୍ୱାବଧାନରେ ଏବେ ବିଭିନ୍ନ ପରିବେଶଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଶେଷକରି ଅନୁଗୋଳ ଜିଲାର ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମିଗୁଡିକୁ ପ୍ଲାଷ୍ଟକମୁକ୍ତ କରିବା ପାଇଁ ସଂଗଠନ ପକ୍ଷରୁ ନିୟମିତ ପ୍ଲାଷ୍ଟିକ ଆବର୍ଜନା ସଫେଇ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସାତକୋଶିଆ ଗଣ୍ଡ, ବିନିକେୟୀ ପୀଠ, ଡେରଜାଙ୍ଗ ଡ୍ୟାମ୍ ଏବଂ ପମ୍ପାସର ନାଳରୁ ଗତ ୩ ବର୍ଷରେ ୧୦ଟନରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇ ପୁନଶ୍ଚକ୍ରଣ ପାଇଁ କବାଡି କେନ୍ଦ୍ରରେ ଜମା ଦିଆଯାଇଛି। ସେହିପରି ୨୦୨୧ରୁ ପ୍ରତି ବର୍ଷ ଫେବୃଆରୀରେ ଜଙ୍ଗଲ ନିଆଁ ନିବାରଣ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୪୦୦ କି.ମି.ର ୫ ଦିନିଆ ସାଇକେଲ ଯାତ୍ରା କରାଯାଉଛି। ଦୀର୍ଘଦିନ ଜୀବିତ ରହି ଅଧିକ ମାତ୍ରାରେ ଅମ୍ଳଜାନ ପ୍ରଦାନ କରୁଥିବା ଗଛ ହେଉଛନ୍ତି ବର ଏବଂ ଅଶ୍ବସ୍ଥ ସଂଗଠନ ପକ୍ଷରୁ ଅନୁଗୋଳ ଜିଲାରେ ୧୦,୦୦୦ ବର ଅଶ୍ୱତ୍ଥ ଗଛକୁ ଲଗାଇ ବଡ କରାଯିବାକୁ ସଂକଳ୍ପ ନିଆଯାଇଛି। ସେହିପରି ହାଇସ୍କୁଲ ଛାତ୍ରୀଛାତ୍ରମାନେ ପ୍ରକୃତି ପରିବେଶ ଓ ଜଳବାୟୁ ସମ୍ବନ୍ଧରେ ଅଧିକ ଅଭିଜ୍ଞ ହେବା ପାଇଁ ସାଥୀ ପରିବାର ପକ୍ଷରୁ ନିୟମିତ ହାଇସ୍କୁଲସ୍ତରୀୟ ସଚେତନ କାର୍ଯ୍ୟକ୍ରମ ‘ଜଳବାୟୁ ଶିକ୍ଷା’ କରାଯାଉଛି। କେବଳ ସେତିକି ନୁହେଁ ପ୍ଲାଷ୍ଟିକ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପ୍ଲାଷ୍ଟିକ ବୋତଲ ଓ ଅଦରକରୀ ପ୍ଲାଷ୍ଟିକ ଥଳିକୁ ପୁନଃ ବ୍ୟବହାର କରାଯାଇ ଜୈବଇଟା ପ୍ରକଳ୍ପ କରାଯାଉଛି। ଏହାବାଦ୍ ତାଳଗଛ ସଂରକ୍ଷଣ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳରେ ମିନି ଆର୍ଦ୍ରଭୂମି ନିର୍ମାଣ, ସାଥୀ ନର୍ସରି ଆଦି କାର୍ଯ୍ୟକ୍ରମ କରାଯାଉଛି। ୨/୩ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସାଥୀ ପରିବାରରେ ଏବେ ୧୨ଜଣ ସ୍ଥାୟୀ ସଦସ୍ୟ ଅଛନ୍ତି ଏବଂ ଭଲ୍ୟୁଣ୍ଟାରି ସଦସ୍ୟଙ୍କୁ ମିଶାଇ ମୋଟ୍ ୧୦୯ଜଣ ସଦସ୍ୟ ରହିଛନ୍ତି। ଏନେଇ ସାଥୀ ପରିବାରର ସଭାପତି ସିଦ୍ଧାର୍ଥ କହିଛନ୍ତି, ବତ୍ତର୍ମାନ ଆମ ସମସ୍ତଙ୍କ ପାଇଁ ପରିବେଶ ସୁରକ୍ଷା ନିିତାନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ଦିନରେ ଏକ ସୁସ୍ଥ ପରିବେଶ ସହିତ ସୁସ୍ଥ ସମାଜ ଗଠନ କରିବାକୁ ଆମ ସଂଗଠନ ସଂକଳ୍ପବଦ୍ଧ। ଏହିସବୁ କାମ ପାଇଁ ସଂଗଠନର ସମସ୍ତ ସଦସ୍ୟ ନିଜ କ୍ଷମତା ଅନୁଯାୟୀ ମାସିକ କିଛି କିଛି ଆର୍ଥତ୍କ ରାଶି ପ୍ରଦାନ କରିଥାନ୍ତି। ମାତ୍ର ଧରିତ୍ରୀ ୟୁଥ୍ କନ୍କ୍ଲେଭ୍ରେ ଭାଗନେଇ ଧରିତ୍ରୀ କ୍ଲାଇମେଟ୍ ଗ୍ରାଣ୍ଟ୍ ଅର୍ଥରାଶି ମିଳିବା ପରେ ଏହି ଅର୍ଥ ସମସ୍ୟା ପାଇଁ ଅଟକି ଯାଇଥିବା କିଛିଟା ପ୍ରୋଜେକ୍ଟ ପୁରା ହୋଇପାରିଛି।
-ସିଦ୍ଧାର୍ଥ ପ୍ରଧାନ, ସଭାପତି, ସାଥୀ ପରିବାର
ଗଛ ସାଜିଛି ଜୀବନ
ଯୁକ୍ତ ୩ (ଅର୍ଥନୀତି)ରେ ୟୁନିଭରସିଟି ଟପ୍ପର ହେବା ପରେ ନିଜକୁ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଦିଗରେ ସାମିଲ କରିଛନ୍ତି କେନ୍ଦୁଝର ଜିଲା ଫକୀରପୁରର ତ୍ରିଲୋଚନ ସାହୁ। ବର୍ତ୍ତମାନ ସେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଜଳବାୟୁ ପରିବର୍ତ୍ତନ ଉପରେ ପିଏଚ୍.ଡି. କରୁଛନ୍ତି। ତେବେ ବ୍ୟକ୍ତିଗତ ସ୍ତରରେ ୨୦୧୦ରୁ ପରିବେଶ ସୁରକ୍ଷା ନେଇ କାମ ଆରମ୍ଭ କରିଥିବାବେଳେ ଗତ ୪ବର୍ଷ ହେବ ‘ନେକ୍ସଟ୍ ଇଣ୍ଡିଆ’ ନାମରେ ଏକ ସଂଗଠନ ଗଠନକରି କାମ କରୁଛନ୍ତି। ଇତିମଧ୍ୟରେ ସେ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନ, ରାସ୍ତାକଡ଼, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରାୟ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ବୃକ୍ଷରୋପଣକରି ସେଗୁଡ଼ିକର ଯତ୍ନ ନେଉଛନ୍ତି। ସେହିପରି ଫକୀରପୁର ଗ୍ରାମର ଏକ ବିରାଟ ପରିତ୍ୟକ୍ତ ସ୍ଥାନରେ ୧୫୦ରୁ ଉଦ୍ଧର୍ବ ବିଭିନ୍ନ ଫଳ, ଫୁଲ ଏବଂ ଦେଶୀୟ ବୃକ୍ଷ ଲଗାଇ ଫକୀରପୁର କ୍ଷୁଦ୍ର ବନ ସୃଷ୍ଟି କରିଛନ୍ତି। ଆଗାମୀ ଦିନରେ ଏହାକୁ ଏକ ପାର୍କରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ‘ମୁଁ ଗଛ କହୁଛି’ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଜନ୍ମଦିନରେ ଅତି କମ୍ରେ ଗୋଟିଏ ଗଛ ଲଗାଇବା ଏବଂ ତାହାର ଯତ୍ନ ନେବା ପାଇଁ ଗାଁ ଗାଁ ବୁଲି ନିଜକୁ ଏକ ଗଛ ବେଶରେ ମୁହଁରେ ମାସ୍କ ଧରି ସାରା ରାଜ୍ୟରେ ପ୍ରଚାର କରୁଛନ୍ତି।
ବୈତରଣୀ ସଫେଇ ଅଭିଯାନ ମାଧ୍ୟମରେ ବୈତରଣୀ ନଦୀକୁ ସଫା ରଖିବା ଏବଂ ଏହାକୁ ଲାଗିକରି ଥିବା ବିଭିନ୍ନ ପାର୍କ ଏବଂ ଦର୍ଶନୀୟ ସ୍ଥାନଗୁଡିକୁ ସଫା ଓ ପ୍ଲାଷ୍ଟିକ୍ ଫ୍ରି ରଖିବା ପାଇଁ ପ୍ରତ୍ୟେକ ମାସ ସଫେଇ ଅଭିଯାନ କରାଯାଉଛି। ସେହିପରି ପ୍ରତ୍ୟେକ ମାସରେ କେନ୍ଦୁଝର ଜିଲାର ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଜଙ୍ଗଲ ନିଆଁ ରୋକିବା, ହାତୀ ମଣିଷ ବିବାଦ କମାଇବା, ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଆୟୋଜନକରି ପରିବେଶ ସୁରକ୍ଷାରେ ତ୍ରିଲୋଚନ ନିଜର ଅବଦାନ ଦେଉଛନ୍ତି। କେନ୍ଦୁଝର ଜିଲାକୁ ସବୁଜ ସୁନ୍ଦର କରିବା ତଥା ଜଙ୍ଗଲ ନିଆଁକୁ ଦମନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା, ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହିତ ସବୁଜ ଓଡ଼ିଶା ଗଠନ କରିବା କରିବା ଆଗାମୀ ଲକ୍ଷ୍ୟ ରହିଥିବା ତ୍ରିଲୋଚନ କହିଛନ୍ତି। ସେହିପରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅର୍ଥର ଆବଶ୍ୟକତା ଅଛି। ବ୍ୟକ୍ତିଗତ ଉଦ୍ୟମ ଫଳରେ ଅର୍ଥର ଅଭାବ ଅନେକ ସମୟରେ କାମ କରିବାରେ ପ୍ରତିବନ୍ଧକ ସାଜିଥାଏ। ତେବେ ‘ଧରିତ୍ରୀ କ୍ଲାଇମେଟ୍ ଗ୍ରାଣ୍ଟ’ ପାଇବାପରେ ଅନେକ କିଛି କାମ କରିବା ସମ୍ଭବ ହୋଇପାରିଛି ଏବଂ ଏହା ମୋତେ ଜାତୀୟ ସ୍ତରରେ ପରିଚୟ ଦେଇଛି ବୋଲି ତ୍ରିଲୋଚନ କହିଛନ୍ତି।
-ତ୍ରିଲୋଚନ ସାହୁ, ସମ୍ପାଦକ,ନେକ୍ସଟ୍ ଇଣ୍ଡିଆ
ମୋ ଉପରେ କେବଳ ଗଛର ଅଧିକାର ରହିଛି
ପିଲାଟି ଦିନରୁ ଗଛ ପ୍ରତି ଭଲ ପାଇବା ଥିଲା ା ଗଛର ଯନତ୍ନେବା ସହ ତା’ର ରକ୍ଷଣାବେକ୍ଷଣରେ ବେଶ୍ ତପତ୍ର ରହୁଥିଲି ା ଏପରିକି ୧୯୯୯ ମସିହାରୁ ୨୦୦୬ ପର୍ଯ୍ୟନ୍ତ ଯୌଥ ଜଙ୍ଗଲ ପରିଚାଳନା ଦାୟିତ୍ୱରେ ରହି ଜଙ୍ଗଲ ସୁରକ୍ଷା ଦିଗରେ ଗାଁ ଲୋକଙ୍କୁ ନେଇ କାର୍ଯ୍ୟ କରିଥିଲି ା ଏପରିକି ଅନେକ କାଠ ବେପାରୀଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଛି ା ଆଜକୁ ୨୭ବର୍ଷ ଧରି ଜଣେ ମହିଳା ଘରୁ ପାଦ କାଢି ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରିବା କେତେ କଷ୍ଟକର ତାହା ସହଜରେ ଅନୁମେୟ ା ପ୍ରତିଦିନ କାଠ ବେପାରୀକୁ ସାମ୍ନା କରିବା ଏବଂ କଟାଳିଙ୍କୁ ଅଟକାଇବା ଭଳି କାର୍ଯ୍ୟ ଲାଗି ଅନେକ ବାଧାବିଘ୍ନ ସହିବାକୁ ପଡିଛି ା
ତେବେ ପିତା ଅତୁଲ ଚନ୍ଦ୍ର ବସାଙ୍କର ପ୍ରେରଣା ଏହି କାର୍ଯ୍ୟକୁ ଆଗେଇ ନେବାରେ ସହାୟ ହୋଇଥିଲା ା ୮ବର୍ଷଠାରୁ ଆରମ୍ଭକରି ୮୦ବର୍ଷ ପର୍ଯ୍ୟନ୍ତ ଆଦିବାସୀମାନଙ୍କୁ ନେଇ କାର୍ଯ୍ୟ କରିଛି ା
ଏପରିକି ୨୦୦୪ରେ ଏକ ସାଂଘାତିକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ଗୋଟିଏ ଗଛ ଯୋଗୁ ବଞ୍ଚତ୍ୟାଇଥିଲି ା ଯେହେତୁ ଗୋଟେ ଗଛ ମୋତେ ବଞ୍ଚାଇଥିଲା, ତେଣୁ ସେହିଦିନଠାରୁ ଗଛ ଲଗାଇବା ତଥା ସୁରକ୍ଷା କାର୍ଯ୍ୟରେ ନିଜକୁ ସମର୍ପି ଦେଇଛି।
-ସଂଯୁକ୍ତା ବାସା,ପରିବେଶବିତ୍
ସଚେତନ ହୁଅନ୍ତୁ, ପରିବେଶକୁ ବଞ୍ଚାନ୍ତୁ
ଢେଙ୍କାନାଳର ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ। ପରିବେଶ ସୁରକ୍ଷା ଓ ସବୁଜିମା ଜଙ୍ଗଲ ସୃଷ୍ଟି ପାଇଁ ସେ ନିଜକୁ ସଂକଳ୍ପବଦ୍ଧ କରିଛନ୍ତି। ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ରହୁଥିବା ଶୁଭ୍ରାଂଶୁ ପିଲାଟି ଦିନରୁ ଗଛ ଲଗାଇବା, ଖରାଦିନେ ଜୀବଜନ୍ତୁ ଓ ପକ୍ଷୀମାନଙ୍କୁ ପାଣି ଦେଉଥିଲେ। ପରିବେଶ ସୁରକ୍ଷା କ୍ଷେତ୍ରରେ ତାଙ୍କର ପିତା ତଥା ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ଉଦୟନାଥ ଶତପଥୀଙ୍କର ଅଧିକ ପ୍ରେରଣା ରହିଛି। ପରିବାରର ପ୍ରତିଟି ସଦସ୍ୟ ସବୁଜିମା ପରିବେଶ ସୃଷ୍ଟି ପାଇଁ ତାଙ୍କୁ ପ୍ରୋତ୍ସାହିତ କରିଛନ୍ତି ବୋଲି ସେ କହିଛନ୍ତି। ସବୁଜିମା ଜଙ୍ଗଲ ସୃଷ୍ଟି ପାଇଁ ତଥା ଚାରା ରୋପଣ ନିମନ୍ତେ ସିଡ୍ବଲ, ଜୀବଜନ୍ତୁ ଓ ପ୍ରାଣୀମାନଙ୍କୁ ମାଟି ପାତ୍ରରେ ପାଣି ଦେବା, ଆଲୋକର ପର୍ବ ଦୀପାବଳୀରେ ପରିବେଶ ସୁରକ୍ଷା ପାଇଁ ସବୁଜ ବାଣ ବ୍ୟବହାର କରିବା ଉପରେ ସେ ପ୍ରତିବର୍ଷ ସଚେତନ କରାଇଥାନ୍ତି। ଓଡିଶାର ୩୦ଟି ଯାକ ଜିଲାରେ ସେ ବିଭିନ୍ନ ସରକାରୀ ସ୍କୁଲରେ ପିଲାମାନଙ୍କୁ ସିଡ୍ବଲ ତିଆରି କରି ଜଙ୍ଗଲ ସୃଷ୍ଟି କରିବା, ପଶୁପକ୍ଷୀଙ୍କୁ ମାଟି ପାତ୍ରରେ ପାଣି ଦେବା ଆଦିକୁ ନେଇ ସଚେତନ କରାଇ ପ୍ରଶଂସିତ ହୋଇଛନ୍ତି ା ଏତଦବ୍ୟତୀତ ବମ୍ବେ ସମେତ ତେଲେଙ୍ଗାନା, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟ ବହୁ ସଚେତନତା କାର୍ଯ୍ୟକ୍ରମ ସେ କରିଛନ୍ତି। ତାଙ୍କ ଦ୍ୱାରା ସ୍କୁଲଗୁଡିକରେ ସଚେତନତା କାର୍ଯ୍ୟକ୍ରମ ପରେ ବହୁ ପରିବର୍ତ୍ତନ ଆସିପାରିଛି ବୋଲି ସେ କହିଛନ୍ତି।
ସୁରକ୍ଷା ପାଇଁ ଦିନେ ଯେଉଁ ପିଲାମାନେ ତାଙ୍କ ଦ୍ୱାରା ସଚେତନ ହୋଇଥିଲେ, ସେମାନେ ଏବେ ନିଜର ଜୁନିୟର ପିଲାମାନଙ୍କୁ ସଚେତନ କରାଉଥିବା ସେ ବିଭିନ୍ନ ସ୍କୁଲକୁ ଯାଇ ଦେଖିଛନ୍ତି। ତେଣୁ ସେ ବିଶ୍ୱାସ କରନ୍ତି, ପରିବର୍ତ୍ତନ ନିଶ୍ଚିତ ଆସିବ। ଏ ବିଶ୍ୱାସ ମୋର ରହିଛି। ଏଥିପାଇଁ ଆମ ସମସ୍ତଙ୍କୁ ସବୁଜିମା ପରିବେଶ ସୃଷ୍ଟି କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ପଡିବ।
ବର୍ତ୍ତମାନ ବଜ୍ରପାତ ଏକ ପ୍ରାକୃତିକ ବିପର୍ଯ୍ୟୟର ପ୍ରମୁଖ କାରଣ ହୋଇଛି ା ଯଦି ଏବେଠାରୁ ଆମେ ତାଳଗଛ ନ ଲଗାଇବା, ତେବେ ଆଗାମୀ ଦିନରେ ବଜ୍ରପାତ ସମସ୍ତଙ୍କ ପାଇଁ କାଳ ହେବ ବୋଲି ସେ କହିଛନ୍ତି। ପରିବେଶ ସଚେତନତା ପାଇଁ ସେ ‘ଧରିତ୍ରୀ’ ପକ୍ଷରୁ ୨୦୨୩ ୟୁଥ୍ କନକ୍ଲେଭରେ ସମ୍ବର୍ଦ୍ଧିତ ହୋଇଥିଲେ। ୨୦୨୫ରେ ଧରିତ୍ରୀ ଫିଲ୍ମ ଫେଷ୍ଟିଭାଲରେ ବିଜେତା ହୋଇଥିଲେ ଶୁଭ୍ରାଂଶୁ।
-ଶୁଭ୍ରାଂଶୁ ଶତପଥୀ, ପରିବେଶ କର୍ମୀ ତଥା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା
ପ୍ଲାଷ୍ଟିକ୍ ବିରୋଧରେ ଅଭିଯାନ
ଦିନକୁ ଦିନ ବିଗୁଡ଼ିଥିବା ପରିବେଶ ଏବେ ସମଗ୍ର ବିଶ୍ୱ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି। ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଲୋପ ପାଉଥିବା ଜୈବ ବିବିଧତା ଆମକୁ ବିନାଶ ଆଡ଼କୁ ଟାଣି ନେଉଛି। ଏଭଳି କ୍ଷେତ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ଜୀବଜଗତ ପାଇଁ ମଧ୍ୟ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଏହି ପ୍ଲାଷ୍ଟିକ୍ର ନକାରାତ୍ମକତା ସମ୍ପର୍କରେ ସଚେତନ କରିବା ସହିତ ପ୍ଲାଷ୍ଟିକ୍ ବିରୋଧରେ ଦୃଢ ଯୋଦ୍ଧା ଭାବେ ଠିଆ ହୋଇଛନ୍ତି ବାପି ଗୋଚ୍ଛାୟତ। ପାରାଦୀପ ମହାବିଦ୍ୟାଳୟରେ ଜଣେ କର୍ମଚାରୀ ଭାବେ ସେ କାର୍ଯ୍ୟ କରୁଛନ୍ତି । ଉପକୂଳ ବେଳାଭୂମିର ପ୍ଲାଷ୍ଟିକ ଆବର୍ଜନାମୟ ପରିବେଷ ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଥିଲା। ଏହାପରେ ସେ ଏକ ପ୍ଲାଷ୍ଟିକ୍ମୁକ୍ତ ଓ ସୁରକ୍ଷିତ ପରିବେଶ ପାଇଁ ୫ ବର୍ଷ ହେବ ପାରାଦୀପ ବେଳାଭୂମି ସମେତ ଆଖପାଖ ସ୍ଥାନକୁ ସଫା କରି ଆସୁଛନ୍ତି। ଏବେ ସୁଦ୍ଧା ସେ ୪୦୦ ଥର ସଫେଇ କରି ୬ ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ଅଳିଆ ପୁନଶ୍ଚକ୍ରଣ ପାଇଁ ପାରାଦୀପ ପୌରପାଳିକାକୁ ହସ୍ତାନ୍ତର କରିଛନ୍ତି। ତେବେ ଧରିତ୍ରୀ ପକ୍ଷରୁ ପ୍ରଦତ୍ତ କ୍ଲାଇମେଟ୍ ଗ୍ରାଣ୍ଟ ମୋତେ ଅଧିକ ଉତ୍ସାହିତ କରିଛି। ମିଳିଥିବା ଅର୍ଥରାଶିକୁ ପରିବେଶ ସୁରକ୍ଷା କାର୍ଯ୍ୟରେ ବିନିଯୋଗ କରିଛି ବୋଲି ବାପି କୁହନ୍ତି ।
-ବାପି ଗୋଚ୍ଛାୟତ, ପରିବେଶ କର୍ମୀ
ସାଲିସବିହୀନ ପ୍ରକୃତି ମିତ୍ର ହେବାକୁ ପଡ଼ିବ
ପରିବେଶ, ସମୁଦ୍ର ଉପକୂଳବର୍ତ୍ତୀ ଜିଲାର ସୁରକ୍ଷା, ସଚେତନତା ସୃଷ୍ଟି ଓ ଆଗାମୀ ଦୁର୍ବିପାକକୁ ପ୍ରତିହତ କରିବା ପାଇଁ ‘ଇକୋ ୱାକ୍’ ନାମକ ପଦଯାତ୍ରା ଅଭିଯାନ କରିଥିଲି। ୨୦୨୪ ଫେବୃଆରୀ ୪ରେ ଏହି ପଦଯାତ୍ରା ଗଞ୍ଜାମ ଜିଲାରୁ ଆରମ୍ଭ ହୋଇ ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲା ହୋଇ ବାଲେଶ୍ୱର ଜିଲା ଉଦୟପୁରଠାରେ ଶେଷ ହୋଇଥିଲା, ଯାହାକି ୬୦୦କି.ମି.ରୁ ଉର୍ଦ୍ଧ ଥିଲା ଏବଂ ୯୫ ଦିନ ସମୟ ଲାଗିଥିଲା। ଏହି ପଦଯାତ୍ରା ମାଧ୍ୟମରେ ଉପକୂଳ ଓଡିଶାର ୨୧ଟି ବ୍ଲକର ୧୫୦ରୁ ଉର୍ଦ୍ଧ୍ୱ ପଞ୍ଚାୟତରେ ସେ ୩୫୦ରୁ ଊର୍ଦ୍ଧ୍ୱ ସାମାଜିକ ସଂଗଠନ, ସ୍କୁଲ, କଲେଜ, ମହିଳା ସଂଗଠନ ଏବଂ ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ର୍ ବ୍ୟକ୍ତିବିଶେଷଙ୍କ ସହ ସିଧାସଳଖ ସଂଯୋଗ ହେଇ ସଚେତନତା କାର୍ଯ୍ୟ କରିଛି l ଯାହାଦ୍ୱାରା ଉପକୂଳ ଜିଲାଗୁଡ଼ିକରେ ଆଗାମୀ ଦିନରେ ସହବନ୍ଧିତା ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବା ସହଜ ହେବ l
କେବଳ ଉପକୂଳ ନୁହେଁ, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର ,ମୟୂରଭଞ୍ଜ, କଳାହାଣ୍ଡି ଜିଲାରେ ମଧ୍ୟ ବିଭିନ୍ନ ସଙ୍ଗଠନକୁ ଏକତ୍ରିତ କରିବାରେ ସକ୍ଷମ ହୋଇଛି । ୨୦୩୦ ସୁଦ୍ଧା ଏହି ସମସ୍ତ ସଙ୍ଗଠନଙ୍କ ସହବନ୍ଧିତା ମାଧ୍ୟମରେ ୧୦ଲକ୍ଷ ଚାରା ରୋପଣ ସହ ବିଭିନ୍ନ ସ୍ଥାନୀୟ ପରିବେଶଗତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ଲକ୍ଷ୍ୟ ରଖିଛି l ଯୁବ ସଂଗଠନର ଦକ୍ଷତା ବୃଦ୍ଧି, ବିକଳ୍ପ ଆୟ, ବର୍ଜ୍ୟ ପରିଚାଳନା ଓ ମହିଳା ସଶକ୍ତୀକରଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ବିଭିନ୍ନ ଜିଲାରେ ଗତ ୨ ବର୍ଷ ଧରି କରିଆସୁଛି l
ସେହିପରି କୋଷ୍ଟାଲ ହାଇୱେ, ଚିଲିକା ଉପରେ ବ୍ରିଜ୍ ନିର୍ମାଣ, କୁଲଡ଼ିହା ଅଭୟାରଣ୍ୟ ସୀମାରେ ବେଆଇନ ପଥର ଖାଦାନ, ସିଜିମାଳି, ବାଲ୍ଡ଼ା କେଭରେ ଜଙ୍ଗଲ ନଷ୍ଟ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ବିଭିନ୍ନ ସମୟରେ ବିରୋଧ ପାଇଁ ଚେଷ୍ଟା ଜାରି ରଖିଛି l
”କେବଳ ସଚେତନତା ସୃଷ୍ଟି, ପରିବେଶ ପାଇଁ କାମ କରିବାରେ ନିଜକୁ ସୀମିତ କରିବାରେ ମୁଁ ବିଶ୍ବାସ କରେନି l ସରକାରଙ୍କ ନୀତି, କର୍ପୋରେଟଙ୍କ ବିନାଶ ମୂଳକ କାର୍ଯ୍ୟକୁ ବିରୋଧ କରିବା ମଧ୍ୟ ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ହେବା ଉଚିତ l ଯେମିତି ପ୍ରକୃତି କେବେ ସାଲିସ କରେନି, ସେମିତି ଆମକୁ ସାଲିସ ବିହୀନ ପ୍ରକୃତି ମିତ୍ର ହେବାକୁ ପଡିବ l “
ଇକୋ ୱାକ୍ ସଙ୍ଗଠନ, ରିଲାଏନ୍ସ ଫାଉଣ୍ଡେଶନ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ବିଗତ ବର୍ଷ ବାଲେଶ୍ୱର ଜିଲା ଜାମୁକା ନଦୀ ମୁହାଣରେ ୬୦୦୦ ଚାରା ରୋପଣ କରାଯାଇଥିଲା l ଏହିବର୍ଷ ଆଉ ୩୦୦୦ ଲଗାଯିବା ଲକ୍ଷ୍ୟ ରହିଛି l ତାଳମଞ୍ଜି ଏବଂ ସ୍ଥାନୀୟ ପ୍ରଜାତିର ଗଛ ମଧ୍ୟ ବିଭିନ୍ନ ସ୍ଥାନରେ ସଙ୍ଗଠନ ପକ୍ଷରୁ ରୋପଣ କରାଯାଇଛି l ଆଗାମୀ ଦିନରେ ସମସ୍ତ ଗଛକୁ ‘ଜିଓ ଟ୍ୟାଗ୍’ କରିବା ଲକ୍ଷ୍ୟ ରହିଛି l
ରାଜ୍ୟର ବିଭିନ୍ନ ସଙ୍ଗଠନ ଏହି ୩ସି ‘କନେକ୍ଟ, କମ୍ୟୁନିକେଟ, କୋଲାବରେଟ’- ମଡେଲ ମାଧ୍ୟମରେ ଯୋଡି ହୋଇ ଏକ ବୈପ୍ଳବିକ ପରିବେଶଗତ ସମସ୍ୟାର ସମାଧାନ ପାଇଁ ସଂଘବଦ୍ଧ ହେବାକୁ ଆହ୍ବାନ ଦିଆଯାଉଛି l ତେବେ ୨୦୨୩ରେ ଧରିତ୍ରୀ ପକ୍ଷରୁ ମିଳିଥିବା କ୍ଲାଇମେଟ୍ ଗ୍ରାଣ୍ଟ ଆମ ଲକ୍ଷ୍ୟ ପଥରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛି l
-ଜଳେନ୍ଦ୍ର ମହାଳିକ, ପ୍ରତିଷ୍ଠାତା, ଇକୋ ୱାକ୍
ଆମର ସମସ୍ତ କାର୍ଯ୍ୟକ୍ରମ ପରିବେଶ ଅନୁକୂଳ ହେବା ଜରୁରୀ
ଏ ବର୍ଷର ବିଶ୍ୱ ପରବେଶ ଦିବସ ପାଇଁ ପ୍ରସଙ୍ଗ ରହିଛି, ‘ପ୍ରକୃତି ଦ୍ୱାରା ଅନୁପ୍ରାଣିତ; ଜଳବାୟୁ ପାଇଁ, ଆମର ଭବିଷ୍ୟତ ପାଇଁ’। ଆମର ସମସ୍ତ କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ ଅନୁକୂଳ ହେବା ଜରୁରୀ। ଏହାଦ୍ୱାରା ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାରୁ ମୁକ୍ତି ସହ ଆମର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିପାରିବ। ଏଥିପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ, ମୃତ୍ତିକା ଓ ଜଳର ସଂରକ୍ଷଣ ଏବଂ ଜୀବନଶୈଳୀର ବ୍ୟାପକ ପରିବର୍ତ୍ତନ ଲୋଡ଼ା। ବୃକ୍ଷରୋପଣ ପାଇଁ ଆମେ ଆମ ଅଞ୍ଚଳର ବୃକ୍ଷ ଯଥା, ବର, ଅଶ୍ୱସ୍ତ, ନିମ୍ବ, ଆମ୍ବ ଆଦିକୁ ଗୁରୁତ୍ୱ ଦେବା ଦରକାର। ଏଥିପାଇଁ ଆମର ବାଡ଼ିବଗିଚା ଏବଂ ସର୍ବସାଧାରଣ ବ୍ୟବହୃତ ପାର୍କ ବା ଉଦ୍ୟାନରେ ୭୦ ଭାଗ ଗଛରେ ପରିପୂର୍ଣ୍ଣ ହେବା ଦରକାର, ବାକି ଅଞ୍ଚଳରେ ଫୁଲ ଏବଂ ଘାସ ଗାଲିଚା କରାଯାଇପାରେ। ଆମ ଗୃହଗୁଡ଼ିକରେ ଛାତ ବଗିଚା (ଟେରାସ ଗାର୍ଡେନିଂ) କରାଯାଉ। ପ୍ରତି ଘରର ଛାତରୁ ନିଗୁଡୁଥିବା ପାଣିକୁ ସଂଗ୍ରହକରି ଭୂତଳ ଜଳସ୍ତର ବୃଦ୍ଧି କରାଯାଇପାରିବ। ଏଥିପାଇଁ ଶକ୍ତ ନିୟମ ପ୍ରଣୟନ ହେବା ଉଚିତ। ଜୈବିକ ଚାଷ ପାଇଁ ପ୍ରୋତ୍ସାହନ ମିଳୁ। ଲୁଣା ଜଙ୍ଗଲ, ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଅଧିକରୁ ଅଧିକ ସୃଷ୍ଟି କରାଯାଉ। ଏଥିପାଇଁ ଜନ ସହଯୋଗ ନିଆଯାଉ। ବନ୍ୟ ଜୀବଜନ୍ତୁଙ୍କୁ ସୁରକ୍ଷା ଦିଆଯାଉ। ବନ୍ୟଜୀବ ବିଶେଷ କରି ହାତୀ ଦ୍ୱାରା ହେଉଥିବା କ୍ଷତିକୁ ଶତ ପ୍ରତିଶତ ଭରଣା କରାଯାଉ। ଏହାଦ୍ୱାରା ଜନ ସମୁଦାୟ ବନ୍ୟଜୀବ ସହିତ ସଂଘର୍ଷ ନ କରି ସହାବସ୍ଥାନକୁ ଆଦରି ନେବେ। ଏହି ସମସ୍ତ ପଦକ୍ଷେପ ନେଲେ ବିଶ୍ୱ ପରିବେଶ ଦିବସର ଥିବା ଆଜିର ବିଷୟବସ୍ତୁ ସଫଳ ହୋଇପାରିବ।
-ଡ. ଦେବବ୍ରତ ସ୍ବାଇଁ
ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଓଡ଼ିଶା
ଏବଂ ପୂର୍ବତନ ସଦସ୍ୟ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ, ଲୋକାୟୁକ୍ତ, ଓଡ଼ିଶା
ବନ୍ୟପ୍ରାଣୀ ସଂରକ୍ଷଣରେ ସକ୍ରିୟ ଭୂମିକା
ପରିବେଶର ସୁରକ୍ଷାରେ ଦୀର୍ଘବର୍ଷ ଧରି ସକ୍ରିୟ ଭୂମିକା ନିଭାଇ ଚାଲିଛିି ‘ଜଙ୍ଗଲ ଲୋର୍ ଫାଉଣ୍ଡେଶନ’। ଏହାର ପ୍ରତିଷ୍ଠାତା ଟ୍ରଷ୍ଟି ଆକାଶ ରଞ୍ଜନ ରଥ ଗତ ୨୫ବର୍ଷ ଧରି ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ କାର୍ଯ୍ୟ କରିଆସୁଛନ୍ତି। ତେବେ ବିଶ୍ୱ ପରିବେଶ ଦିବସ ପାଳନ ସମ୍ପର୍କରେ ସେ କୁହନ୍ତି, ଏହା କେବଳ ଦିବସ ପାଳନରେ ସୀମିତ ନ ରହୁ। ବର୍ତ୍ତମାନର ବିକାଶ ମଡେଲଗୁଡ଼ିକ ବାସ୍ତବରେ କେତେ ସ୍ଥାୟୀ ଓ ପରିବେଶ ଅନୁକୂଳ ସେ ସମ୍ପର୍କରେ ଗଭୀର ଆତ୍ମସମୀକ୍ଷାର ବେଳ ଆସିଛି। ନିକଟରେ ଆମେ ଶିମିଳିପାଳରେ ବାଘଛୁଆଙ୍କ ଜନ୍ମକୁ ନେଇ ଉତ୍ସବ ପାଳନ କରିଥିଲୁ। କିନ୍ତୁ ଆମେ ଆଗାମୀ ପିଢ଼ିର ବନ୍ୟପ୍ରାଣୀଙ୍କ ପାଇଁ ବାସସ୍ଥଳୀର ସୁରକ୍ଷା ଏବଂ ଏହାର ସମ୍ପ୍ରସାରଣ ପାଇଁ ଯଥେଷ୍ଟ କାର୍ଯ୍ୟ କରୁଛୁ କି ନାହିଁ, ସେ ସମ୍ପର୍କରେ ମଧ୍ୟ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ। ସେହିପରି ସଂରକ୍ଷଣ ପ୍ରୟାସ କେବଳ ସଫଳତାର ଉତ୍ସବ ପାଳନ ମଧ୍ୟରେ ସୀମିତ ନ ରହି ପରିସଂସ୍ଥା ଏବଂ ଜୈବ ବିବିଧତାର ଦୀର୍ଘକାଳୀନ ସୁରକ୍ଷା ସୁନିଶ୍ଚିତ କରିବା ଉପରେ କେନ୍ଦ୍ରୀଭୂତ ହେବା ଜରୁରୀ। ଏଥିସହ ସ୍ଥାନୀୟ ସମୁଦାୟ, ଆଦିବାସୀ ଗୋଷ୍ଠୀ, ଚାଷୀ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଜନସଂଖ୍ୟା ହିଁ ବାସ୍ତବରେ ପ୍ରକୃତିର ରକ୍ଷକ ହୋଇଥିବାବେଳେ ପରିବେଶ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ସ୍ବରକୁ ପ୍ରାୟତଃ ପ୍ରତିନିଧିତ୍ୱ ମିଳିପାରୁ ନାହିଁ ବୋଲି ସେ କୁହନ୍ତି। ୨୦୨୪ରେ ଧରିତ୍ରୀ ପକ୍ଷରୁ ପ୍ରଦତ୍ତ କ୍ଲାଇମେଟ୍ ଗ୍ରାଣ୍ଟ ଆମର ନୂଆ ସଂଗଠନ ପାଇଁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା ବୋଲି ଆକାଶ କହିଛନ୍ତି।
-ଆକାଶ ରଞ୍ଜନ ରଥ, ପ୍ରତିଷ୍ଠାତା ଟ୍ରଷ୍ଟି,ଜଙ୍ଗଲ ଲୋର୍ ଫାଉଣ୍ଡେଶନ
ଜୀବଜନ୍ତୁଙ୍କ ସୁରକ୍ଷା, ସଂଘର୍ଷ ସମ୍ପର୍କରେ ଚାଲିଛି ସଚେତନତା
ବାଲେଶ୍ୱର ଜିଲା ଛତ୍ରପୁର ଅଞ୍ଚଳର ବିଶ୍ୱଜିତ୍ ପଣ୍ଡା। ପାଖରେ କୁଲଡିହା ଅଭୟାରଣ୍ୟ ଥିବାରୁ ଜୀବଜନ୍ତୁଙ୍କ ସଂସ୍ପର୍ଶରେ ଆସିଥିଲେ। ଧୀରେ ଧୀରେ ସେମାନଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ଇଚ୍ଛା ସୃଷ୍ଟିହେବା ସହ ପ୍ରାଣୀବିଜ୍ଞାନରେ ସ୍ନାତକ କରିଥିଲେ। ତେଣୁ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ମଣିଷ-ଜନ୍ତୁ ସଂଘର୍ଷ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ନେଇ କାମ କରିବାକୁ ମନ ବଳାଇଥିଲେ ଡ. ପଣ୍ଡା। ଏହି ଲକ୍ଷ୍ୟରେ ‘ବିକାଶ ସାଥୀ’ ନାମରେ ଏକ ସଂଗଠନ ଗଠନ କରିଥିଲେ। ପ୍ରାଥମିକ ଅବସ୍ଥାରେ ୭ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସଂଗଠନରେ ଏବେ ୪୦ଜଣ ସଦସ୍ୟ ସାମିଲ ଅଛନ୍ତି। ହାତୀ, ଭାଲୁ, ନୀଳରକ୍ତ କଙ୍କଡ଼ା, ପେଙ୍ଗୋଲିନ୍, ଶୁଆ ଆଦି ପଶୁପକ୍ଷୀଙ୍କ ଉପରେ କାମ ଆରମ୍ଭ ହୋଇଥିଲା। ଏମାନଙ୍କ ଶରୀରର ବିଭିନ୍ନ ଅଙ୍ଗର ବଜାରରେ ଚାହିଦା ରହିଥିବାରୁ ସେମାନଙ୍କୁ ଚାଲାଣ କରାଯାଏ। ତେଣୁ ସେମାନେ ସାଧାରଣତଃ ଅସୁରକ୍ଷିତ ହୋଇ ପଡ଼ନ୍ତି। ତେଣୁ ଏହି ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବିକାଶ ସାଥୀ ସଂଗଠନ ଅଣ୍ଟା ଭିଡ଼ିଛି। ଏଥିପାଇଁ କମ୍ୟୁନିଟି ବା ଗୋଷ୍ଠୀଭିତ୍ତିରେ ଏବଂ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ସେହିପରି କିଛି କିଛି ଅଞ୍ଚଳରେ ସ୍ଥାନୀୟ ଲୋକମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଉଛି। ବିଶେଷକରି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଚାରାକୁ ଆଣି କମ୍ୟୁନିଟିକୁ ପ୍ରଦାନକରି ଚାରାରୋପଣ କରାଯାଉଛି। ପ୍ରଥମେ ବାଲେଶ୍ୱର ଜିଲାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଧୀରେ ଧୀରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଜିଲାରେ ମଧ୍ୟ କରାଯାଉଛି। ଆଗାମୀ ଦିନରେ ଏହାକୁ ଆହୁରି ଲୋକାଭିମୁଖୀ କରିବା ସହ ପଶୁ ପକ୍ଷୀଙ୍କ ସୁରକ୍ଷା ନେଇ କାର୍ଯ୍ୟ କରିବା, ‘ଧରିତ୍ରୀ’ ଖବରକାଗଜ ସହ ହେଉଥିବା ‘ହାତୀ ସଭା’ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜିଲାକୁ ସାମିଲକରିବା ଆମର ଲକ୍ଷ୍ୟ ରହିଥିବା ଡ. ପଣ୍ଡା କହିଛନ୍ତି। ସେହିପରି ଧରିତ୍ରୀ ପକ୍ଷରୁ ମିଳିଥିବା ‘କ୍ଲାଇମେଟ୍ ଗ୍ରାଣ୍ଟ’ ଆମକୁ ଆଗକୁ କାମ କରିବାକୁ ଉତ୍ସାହିତ କରିଥିଲା।
– ବିଶ୍ୱଜିତ୍ ପଣ୍ଡା, ସମ୍ପାଦକ, ବିକାଶ ସାଥୀ
‘ପୃଥିବୀର କୌଣସି ବିକଳ୍ପ ନାହିଁ’
‘ପୃଥିବୀର କୌଣସି ବିକଳ୍ପ ନାହିଁ’ ଏହି ଉକ୍ତିକୁ ଆଧାରକରି ଗତ ୬ବର୍ଷ ଧରି ପରିବେଶ ସୁରକ୍ଷା କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ କାମ କରିଆସୁଛି ‘ସାତ୍ତ୍ୱିକ ସୋଲ୍ ଫାଉଣ୍ଡେଶନ’। ସଂଗଠନର ପ୍ରତିଷ୍ଠାତା ସଭାପତି ସତ୍ୟବ୍ରତ ସାମଲଙ୍କ ପ୍ରୟାସରେ ଗଠିତ ଏହି ଫାଉଣ୍ଡେଶନ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ପ୍ରତି ବଢୁଥିବା ବିପଦ ମଧ୍ୟରେ ଜନସଚେତନତା ଏବଂ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ସକାରାତ୍ମକ ପରିବର୍ତ୍ତନର ବାର୍ତ୍ତା ବହନ କରୁଛି। ଏକ ଛୋଟ ପ୍ରୟାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଇତିମଧ୍ୟରେ ୧,୦୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କ ଏକ ବୃହତ୍ ନେଟ୍ୱର୍କରେ ପରିଣତ ହୋଇଛି। ସମୁଦ୍ରତଟ, ନଦୀ, ଜଙ୍ଗଲ, ଜଳାଶୟ, ପର୍ଯ୍ୟଟନସ୍ଥଳୀ ଓ ସହରାଞ୍ଚଳରେ ଏପର୍ଯ୍ୟନ୍ତ ୮୫୦ରୁ ଅଧିକ ସ୍ବଚ୍ଛତା ଅଭିଯାନ ଆୟୋଜନ କରାଯାଇଛି। ବିଶେଷକରି କଇଁଛ ସଂରକ୍ଷଣରେ ସଂଗଠନର ଉଲ୍ଲେଖନୀୟ ଅବଦାନ ରହିଛି। ସମୁଦାୟଭିତ୍ତିକ ସଂରକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବେଚ୍ଛାସେବୀମାନେ ୧ଲକ୍ଷରୁ ଅଧିକ କଇଁଛ ଛୁଆଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରେ ପହଞ୍ଚାଇବାରେ ସହଯୋଗ କରିଛନ୍ତି। ସେହିପରି
ଭବିଷ୍ୟତ ପିଢ଼ିଙ୍କୁ ପରିବେଶ ପ୍ରତି ସଚେତନ କରିବା ଲକ୍ଷ୍ୟରେ ସଂଗଠନ ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ଜଳବାୟୁ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ସିଡ୍ ବଲ୍ କର୍ମଶାଳା, ବୃକ୍ଷରୋପଣ ଅଭିଯାନ, ପ୍ରକୃତି ସଂରକ୍ଷଣ କ୍ୟାମ୍ପେନ୍ ଓ ଯୁବ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ପରିବେଶ ସୁରକ୍ଷାରେ ସାମିଲ କରାଯାଉଛି। ଏହା ମାଧ୍ୟମରେ ଅନେକ ଯୁବତୀ ଯୁବକ ନିଜ ନିଜ ଅଞ୍ଚଳରେ ପରିବେଶ ଦୂତ ଭାବେ ଉଭା ହୋଇଛନ୍ତି। ଫାଉଣ୍ଡେଶନର ପ୍ରତ୍ୟେକ ପଦକ୍ଷେପ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏକ ସୁସ୍ଥ ଓ ସବୁଜ ପୃଥିବୀ ଗଢ଼ିବା ଦିଗରେ ଉତ୍ସର୍ଗୀକୃତ। ଚାରାରୋପଣ, ସ୍ବଚ୍ଛତା ଅଭିଯାନ, ପ୍ରତ୍ୟେକ ଶିଶୁଙ୍କୁ ଦିଆଯାଇଥିବା ପରିବେଶ ଶିକ୍ଷା ଓ ପ୍ରତ୍ୟେକ କଇଁଛ ଛୁଆଙ୍କ ସୁରକ୍ଷା-ଆଗାମୀ ପିଢ଼ି ପାଇଁ ଏକ ମୂଲ୍ୟବାନ ବିନିଯୋଗ। ତେବେ ଧରିତ୍ରୀ ୟୁଥ୍ କନ୍କ୍ଲେଭ୍ ତୃଣମୂଳ ସ୍ତରରେ ପରିବେଶ କର୍ମୀ ଓ ବୃହତ୍ ଅନୁଷ୍ଠାନ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଛି ବୋଲି ସତ୍ୟବ୍ରତ କୁହନ୍ତି।
-ସତ୍ୟବ୍ରତ ସାମଲ, ପ୍ରତିଷ୍ଠାତା ସଭାପତି, ସାତ୍ତ୍ୱିକ ସୋଲ୍ ଫାଉଣ୍ଡେଶନ
Dharitri – Odisha’s No.1 Odia Daily

