ଆଜିର ଅର୍ଥନୀତି/ସ୍ପଷ୍ଟ କର

କେନ୍ଦ୍ର ବଜେଟ ଉପସ୍ଥାପନ ବେଳେ ସାଧାରଣ ଲୋକମାନେ ବ୍ୟକ୍ତିଗତ ଆୟକରରେ କ’ଣ ପରିବର୍ତ୍ତନ ଘଟୁଛି, ତାହା ଜାଣିବା ପାଇଁ ସବୁବେଳେ ଉତ୍ସୁକତା ପ୍ରକାଶ କରିଥାନ୍ତି। ଏଥିପାଇଁ ସେମାନେ ଆଗ୍ରହର ସହ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ଶୁଣନ୍ତି। କିନ୍ତୁ ବଜେଟ ଉପସ୍ଥାପନ ପରେ ଇତିମଧ୍ୟରେ ପ୍ରାୟ ସପ୍ତାହେ ବିତିଯାଇଥିଲେ ମଧ୍ୟ ବ୍ୟକ୍ତିଗତ ଆୟକରରେ ସରକାର କ’ଣ ପରିବର୍ତ୍ତନ କରିଛନ୍ତି, କି ନୂଆ ବ୍ୟବସ୍ଥା ଖଞ୍ଜିଛନ୍ତି ସେ ନେଇ ସାଧାରଣ ଲୋକମାନେ ସ୍ପଷ୍ଟ ହୋଇପାରୁ ନାହାନ୍ତି। ଏ ବ୍ୟାପାରରେ ଏତେ ଅସ୍ପଷ୍ଟତା ଆଗରୁ କେବେ ଦେଖାଯାଇ ନ ଥିଲା। ସ୍ବୟଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ତାଙ୍କ ବଜେଟ ଭାଷଣ ପରେ ଗଣମାଧ୍ୟମକୁ ବିବୃତି ଦେବା ଅବସରରେ ଏହା ସ୍ବୀକାର କରିଛନ୍ତି। ସେ କହିଲେ ଯେ ଟିକସ ପ୍ରସ୍ତାବରେ ଯେଉଁ ପରିବର୍ତ୍ତନ କରାଯାଇଛି, ସେଥିରେ ଆଉ କିଛି ସ୍ପଷ୍ଟତା ଦରକାର ପଡ଼ୁଛି ଏବଂ ତାଙ୍କ ବିଭାଗ ସେ ଦିଗରେ ଖୁବ୍‌ଶୀଘ୍ର କାର୍ଯ୍ୟ କରିବେ। ତେଣୁ ନିଜ ବିଭାଗ ପକ୍ଷରୁ ବ୍ୟକ୍ତିଗତ ଆୟକରର ନିୟମାବଳୀକୁ ସ୍ପଷ୍ଟ ନ କରି ବଜେଟରେ ଘୋଷଣା କରିବା ବିଭ୍ରାନ୍ତିକର। ସୀତାରାମନ୍‌ ଏକ ବିକଳ୍ପ ଦେଲେ: ଚାହିଁଲେ ଆମେ ପୁରୁଣା ଟିକସ ବ୍ୟବସ୍ଥାକୁ ଆପଣେଇ ପୁରୁଣା ନିୟମରେ ଛାଡ଼ ଓ କାଟର ସୁବିଧା ପାଇବା କିମ୍ବା ନୂଆ ସରଳୀକୃତ ଟିକସ ବ୍ୟବସ୍ଥାରେ କର ପ୍ରଦାନ କରିପାରିବା, ଯେଉଁଥିରେ କିଛି ଛାଡ଼ ନାହିଁ କି କାଟ ନାହିଁ। ଅର୍ଥମନ୍ତ୍ରୀ ଦାବି କରିଛନ୍ତି ଯେ, ୧୦୦ ପ୍ରକାର ଛାଡ଼ ମଧ୍ୟରୁ ସେ ୭୦ଟା ଉଚ୍ଛେଦ କରିଦେଇଛନ୍ତି। ଅର୍ଥାତ୍‌ ଆହୁରି ୩୦ ପ୍ରକାର ଛାଡ଼ ନିୟମ ରହିଛି, ଯାହା ପ୍ରଚଳିତ ଟିକସ ବ୍ୟବସ୍ଥା ପାଇଁ ପ୍ରଯୁଜ୍ୟ। ତେଣୁ କେଉଁ ଛାଡ଼ ଓ କାଟଗୁଡ଼ିକ ରହିଲା ଏବଂ କେଉଁଗୁଡ଼ିକ ହଟିଲା ତାହାର ପୁଙ୍ଖାନୁପୁଙ୍ଖ ବିବରଣୀ ନ ଜାଣିବା ଯାଏ ଜଣେ ଟିକସଦାତା ଜାଣିପାରିବନି ତା’ପାଇଁ ନୂଆ ବ୍ୟବସ୍ଥାଟା ଭଲ ନା ପୁରୁଣା ବ୍ୟବସ୍ଥାଟା ଭଲ। ବର୍ତ୍ତମାନର ଟିକସଦାତାମାନେ ଟିକସ ବଞ୍ଚାଇବା ପାଇଁ ବିଭିନ୍ନ ଭାବରେ ସଞ୍ଚୟ କରିଥାନ୍ତି ଏବଂ ତାହା ଆୟକର ଆଇନର ୮୦ସି ଧାରା ଅନୁସାରେ ଛାଡ଼ କରାଯାଇଥାଏ। ଯେହେତୁ ନୂଆ ଟିକସ ବ୍ୟବସ୍ଥାରେ କୌଣସି ସଞ୍ଚୟର ଲାଭ ମିଳିବ ନାହିଁ, ଟିକସଦାତାମାନେ ଏହି ବ୍ୟବସ୍ଥାରେ ସଞ୍ଚୟ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଗୃହଋଣ ସୁଧ ବାବଦକୁ ଯେଉଁ ଛାଡ଼ ମିଳୁଥିଲା ତାହା ଆଉ ମିଳିବ କି ନାହିଁ ସ୍ପଷ୍ଟ କରାଯାଇ ନାହିଁ। ବିଭିନ୍ନ ଭାବରେ ସଞ୍ଚୟ କରିବାକୁ ଆୟକର ବ୍ୟବସ୍ଥାରେ ଯେଉଁ ପ୍ରୋତ୍ସାହନ ମିଳୁଥିଲା ତାକୁ ଉଠାଇନେବା ଦ୍ୱାରା ମଧ୍ୟବିତ୍ତ ଓ ବେତନଭୋଗୀ କର୍ମଚାରୀମାନେ ବିଶେଷ ଭାବେ ପ୍ରଭାବିତ ହେବେ। ୨୦୧୨ରେ ମୋଟ ସଞ୍ଚୟ ହାର ପ୍ରାୟ ୩୬ ପ୍ରତିଶତ ଥିବା ବେଳେ ତାହା ହ୍ରାସ ପାଇ ଏବେ ୩୦ ପ୍ରତିଶତ ହୋଇଛି।
ଆୟକର ଆଇନର ୮୦ସି ଧାରା ଅନୁସାରେ ଛାଡ଼ ବ୍ୟବସ୍ଥାକୁ ଉଠାଇଦେବା ଏକ ଉତ୍ତମ ପଦକ୍ଷେପ ନୁହେଁ। ୮୦ସି ଧାରା ଅନୁସାରେ ଛାଡ଼ ବ୍ୟବସ୍ଥା ରହିବାରୁ ଲୋକମାନେ ତାଙ୍କ ବୃଦ୍ଧାବସ୍ଥା ପାଇଁ ସଞ୍ଚୟ କରିବାକୁ ଉତ୍ସାହିତ ହେଉଥିଲେ। ଏହା ଏକ ସାମାଜିକ ସୁରକ୍ଷା ନେଟ୍‌ଓ୍ବାର୍କ ପରି କାମ କରୁଥିଲା। ଭାରତୀୟ ଗୃହସ୍ଥମାନେ ସାଧାରଣତଃ ଦୂରଦୃଷ୍ଟିସମ୍ପନ୍ନ ନୁହନ୍ତି ଏବଂ ବୃଦ୍ଧାବସ୍ଥା ପାଇଁ ଯଥେଷ୍ଟ ସଞ୍ଚୟ କରନ୍ତି ନାହିଁ। ବିଶେଷତଃ ବେତନଭୋଗୀ କର୍ମଚାରୀମାନେ ବୀମା, ଭବିଷ୍ୟନିଧି ବା ପେନ୍‌ସନ ପରି ଦୀର୍ଘମିଆଦୀ ଯୋଜନାରେ ସଞ୍ଚୟ କରିବାକୁ ବାଧ୍ୟ ହେଉଥିଲେ କାରଣ ଏହାଦ୍ୱାରା ସେମାନେ ଟିକସ ହ୍ରାସ ପରି ତତ୍କାଳ ଲାଭ ପାଉଥିଲେ। ନୂଆ ଟିକସ ବ୍ୟବସ୍ଥାରେ ଏହି ସୁବିଧାକୁ ଉଠାଇ ଦିଆଯାଇଛି। ପୁଣି ଭାରତ ପରି ଏକ ବିକାଶଶୀଳ ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପାଇଁ ଏହି ଦୀର୍ଘମିଆଦୀ ସଞ୍ଚୟର ଉପଯୋଗିତା ଓ ଆବଶ୍ୟକତା ରହିଛି। ଲୋକଙ୍କୁ ବୃଦ୍ଧାବସ୍ଥା ପାଇଁ ସଞ୍ଚୟ କରିବାକୁ ପ୍ରୋତ୍ସାହିତ ନ କରି ସରକାର ଭୁଲ କରୁଛନ୍ତି। ସରକାର ଭାବୁଛନ୍ତି ଲୋକମାନେ ସଞ୍ଚୟ ନ କରି ହାତରେ ଅଧିକ ଅର୍ଥ ରଖିଲେ ତାହା ସ୍ବାଭାବିକ ଭାବେ ଖର୍ଚ୍ଚ ହୋଇଯିବ। ଅଧିକ ଖର୍ଚ୍ଚ ହେଲେ ଅର୍ଥନୀତି ଚଳଚଞ୍ଚଳ ହେବ। କିନ୍ତୁ ବାସ୍ତବ କଥା ହେଲା ଲୋକଙ୍କ ମାସିକ ଆୟ ନ ବଢ଼ିଲେ ସେମାନେ ଖର୍ଚ୍ଚ କରିବାକୁ ଜାକିହୁଅନ୍ତି। ବର୍ତ୍ତମାନ ପାର୍ଲାମେଣ୍ଟ ଚାଲୁଥିବାରୁ ଅର୍ଥମନ୍ତ୍ରୀ ଗୃହରେ କେଉଁ ଛାଡ଼ ଓ କାଟ ବ୍ୟବସ୍ଥାଗୁଡ଼ିକ ଉଚ୍ଛେଦ କରାଗଲା ଓ କେଉଁଗୁଡ଼ିକ ରହିଲା ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ବଜେଟରେ ବ୍ୟକ୍ତିଗତ ଟିକସ ଢାଞ୍ଚାରେ ଏହିସବୁ ପରିବର୍ତ୍ତନ କରାଯାଇଥିବାରୁ ଟିକସଦାତାଙ୍କ ଉପରେ ତା’ର ବିଶେଷ ପ୍ରଭାବ ପଡ଼ିବ ନାହିଁ। ଟିକସ ଢାଞ୍ଚାକୁ ବୈକଳ୍ପିକ କରାଯାଇଥିବାରୁ ଲୋକମାନେ ଯେ ଅଧିକ ଖର୍ଚ୍ଚ କରିବେ ଓ କମ୍‌ ସଞ୍ଚୟ କରିବେ ତାହା ସତ୍ୟ ନ ହୋଇପାରେ। ଯେଉଁ ୩୦ଟି ଛାଡ଼ ବ୍ୟବସ୍ଥା ତଥାପି ବଳବତ୍ତର ରହିଛି, ସୀତାରାମନ୍‌ ସେ ବିଷୟରେ ତୁରନ୍ତ ସ୍ପଷ୍ଟୀକରଣ ଦେଇ ଲୋକଙ୍କ ସଂଶୟ ମୋଚନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri