ଆଗ ମୋବାଇଲ

ଦ୍ୱିତୀ ଚନ୍ଦ୍ର ସାହୁ
ଅନେକ ଦିନ ପରେ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲୁ। ବନ୍ଧୁ ପତ୍ନୀ ନିଜର ଏକ ବର୍ଷର ଛୁଆକୁ ଖେଳାଉଥିଲେ ମୋବାଇଲ ସାଥିରେ। ଅନ୍‌ଲାଇନରେ କାର୍ଟୁନ ଦେଖୁଥିଲା କଅଁଳ ବୟସର ଛୁଆ। ହଠାତ୍‌ କଲ୍‌ ଆସିଗଲା। କଥା ହେବାକୁ ତା’ ମାଆ ଫୋନ ନେବା କ୍ଷଣି ସେ ଜୋରରେ କାନ୍ଦିବାକୁ ଲାଗିଲା। ମାଆ ଯଥାଶୀଘ୍ର କଥା ସାରି ପୁଣି ତା’ ସାମ୍ନାରେ ମୋବାଇଲ ରଖିବା କ୍ଷଣି ସେ ଚୁପ୍‌ ହୋଇ ସେଥିରେ ବୁଡି ରହିଲା। ଏହାପରେ ଛୁଆର ମାଆ କହିଲେ- କ’ଣ କରିବି, ମୋବାଇଲ ନ ଦେଖିଲେ ଏମିତି କାନ୍ଦିବ। ଘରର କୌଣସି କାମ କରେଇ ଦେବନି। ସେଥିପାଇଁ ମୋବାଇଲ ଦେଇଦେଲେ ଚୁପ୍‌ଚାପ୍‌ ସେମିତି ଦେଖୁଥିବ। ଏ ସଂପର୍କରେ କିଛି ପ୍ରତିକ୍ରିୟା ଦେବାକୁ ଉଚିତ ଲାଗିଲା ନାହିଁ। ସ୍ବାଭାବିକ ଭାବେ କଥାବାର୍ତ୍ତା ହୋଇ ଫେରିଲୁ। ହଠାତ୍‌ ମନେପଡିଲା ଆଉ ଏକ ପିଲାର କଥା। ପିଲାଟି ଦିନରୁ ଠିକ୍‌ ଏମିତି ମୋବାଇଲ ନିଶାରେ ମସଗୁଲ ଥିଲା। ମାତ୍ର ଦଶବର୍ଷରେ ତା’ ଆଖିରେ ଚଷମା ଲାଗିଲା। ତା’ର ଚିତ୍ର ଓ ଚରିତ୍ର ବଦଳିଗଲା। ପ୍ରାପ୍ତବୟସ୍କ ହେବା ପରେ ଯାହା ସବୁ ଜାଣିବା କଥା ତା’ର ଢେର ପୂର୍ବରୁ ମୋବାଇଲ ସହାୟତାରେ ସେସବୁ ଜ୍ଞାନ ହାସଲ କରିଦେଇଥିଲା। ତା’ର ପରିଣାମସ୍ବରୂପ ଶ୍ରେଣୀରେ ଝିଅମାନଙ୍କ ପ୍ରତି ତା’ର ଉଚ୍ଚାରଣ ଓ ଆଚରଣ ବଦଳିଗଲା। ତା’ର ଅସ୍ବାଭାବିକ ଓ ଉତ୍ସୃଙ୍ଖଳିତ ଆଚରଣ ପାଇଁ ବାରମ୍ବାର ବିଦ୍ୟାଳୟରୁ ବାପାମାଆଙ୍କ ନିକଟକୁ ଅଭିଯୋଗମାନ ଆସିବାକୁ ଲାଗିଲା। ଏମିତି କିଛି କାର୍ଯ୍ୟ ଯୋଗୁ ଶେଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଟିକୁ ଅନ୍ୟତ୍ର ନେଇ ପଢାଇବାକୁ ଅନୁରୋଧ କଲେ। ଏସବୁ ଆମ ସମାଜର ଏବକାର ଚିତ୍ର।
ଏବେ ସବୁଘରେ ମାଆମାନେ ଛୋଟ ଛୁଆକୁ ମୋବାଇଲ ଦେଖାଇ ତା’ର କାନ୍ଦ ବନ୍ଦ କରାଇବା ସହ ଦୈନନ୍ଦିନ କାର୍ଯ୍ୟ ତୁଲାଇ ଖୁସି ଅନୁଭବ କରୁଛନ୍ତି। ଅଥଚ ଛୁଆର ଭବିଷ୍ୟତ ପ୍ରତି ଚିନ୍ତା ନାହିଁ। ସ୍କୁଲପଢୁଆ ପିଲାମାନେ ନିଜ ମାଆବାପାଙ୍କୁ ବିଭିନ୍ନ ମୋବାଇଲ ଆପ୍‌ର ଉପଯୋଗକୁ ଗୁରୁ ଭଳି ବୁଝାଇପାରୁଛନ୍ତି। ନିଜ ପିଲାଙ୍କ ଏମିତିଆ ଜ୍ଞାନଗରିମାକୁ ନେଇ ବଡମାନଙ୍କ ମନ କୁଣ୍ଢେମୋଟ। ପିଲାଠାରୁ ବୁଢା, ଶିକ୍ଷିତ ଅଶିକ୍ଷିତ ସମସ୍ତେ ମୋବାଇଲରେ ଫେସ୍‌ବୁକ, ହ୍ବାଟ୍‌ସଆପ୍‌, ହାଇକ୍‌, ଟିକ୍‌ଟକ୍‌ ଭଳି ଗଣମାଧ୍ୟମକୁ ବହୁଳ ବ୍ୟବହାର କରୁଛନ୍ତି। ଟିକ୍‌ଟକ୍‌ର ପ୍ରେମରେ ତ ଏବେ ଆବାଳବୃଦ୍ଧବନିତା। ସେଲ୍‌ଫିଟିଏ ନେଇ ସାମାଜିକ ଗଣମାଧ୍ୟମରେ ଛାଡିଲା ପରେ ଯାଇ ଯେ କୌଣସି କାମ କରାଯାଉଛି। ସମସ୍ତେ କୁତୁକୁତୁ ନିଜେ ପୋଷ୍ଟ କରିଥିବା ଚିତ୍ର ଓ ତଥ୍ୟକୁ ଅନ୍ୟମାନେ କେତେ ପସନ୍ଦ କରୁଛନ୍ତି ଜାଣିବାକୁ। ସେଥିପାଇଁ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ତୁହାକୁ ତୁହା ମୋବାଇଲ ଦେଖୁଛନ୍ତି। ତା’ର ଜବାବ ବି ଦେଉଛନ୍ତି। ଯାହା ସବୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନ କରିବା କଥା ସେସବୁ ଆଜିକାଲି କରାଯାଉଛି। ଜଣେ ପଠାଇଥିବା ତଥ୍ୟର ସତ୍ୟତା ସ୍ଥାନକାଳପାତ୍ର ଆଧାରରେ ନ ପରଖି ତୁରନ୍ତ ତାକୁ ଅନ୍ୟ ବନ୍ଧୁମାନଙ୍କୁ ପଠାଇବାର ତାତ୍କାଳିକ ପ୍ରବଣତାରେ ମାତି ଉଠୁଛନ୍ତି। ଏଥିନେଇ ବିଭିନ୍ନ ସମୟରେ ବ୍ୟକ୍ତିଗତ ସ୍ତରରେ ଓ ବୃହତ୍ତର ସମାଜର ପ୍ରଭୂତ କ୍ଷତି ଘଟୁଛି। ଅଥଚ ସେଥିରୁ କିଛି କେହି ଶିଖିବାକୁ ଚେଷ୍ଟା କରୁନାହାନ୍ତି। ସାମାଜିକ ଗଣମାଧ୍ୟମର ବିଭୋରପଣରେ ଶୃଙ୍ଖଳିତ ବ୍ୟକ୍ତିଗତ ପାରିବାରିକ ଜୀବନ ବିପନ୍ନ ହୋଇପଡିଛି। ସ୍ବାମୀ, ସ୍ତ୍ରୀ, ଛୁଆ ଏକାଠି ଘରେ ଥିବେ, କିନ୍ତୁ ଯେ ଯା’ ମୋବାଇଲରେ ବ୍ୟସ୍ତ ଥିବେ। ଏଇ ନିଶାରେ ଶୋଇବାକୁ ବି ଭୁଲିଯାଆନ୍ତି ଅନେକେ। ମଧ୍ୟରାତ୍ର ଯାଏ ମୋବାଇଲରେ ସକ୍ରିୟ ଥିବେ। ପୁଣି ରାତିରେ ନିଦ ଭାଙ୍ଗିବା କ୍ଷଣି ପାଖରେ ଥିବା ମୋବାଇଲକୁ ଅଣ୍ଡାଳି ଆଉ ଟିକେ ପରଖିବେ। ସକାଳୁ ଉଠିବା କ୍ଷଣି ପ୍ରଥମେ ମୋବାଇଲରେ ମୁହଁ ପଖାଳିବା ନିଶ୍ଚିତ। ବୟସ୍କମାନେ ମୋବାଇଲ, ଟିଭି ଜରିଆରେ ନିଜ ମନପସନ୍ଦର ସିରିଏଲ, ସିନେମା, ଖବର, ଖେଳ ଦେଖି ଅନ୍ୟ ପାଇଁ ବୋଝ ହେବାକୁ ଚାହୁଁ ନାହାନ୍ତି। ନିଜ ସାମାଜିକ ପୃଷ୍ଠାରେ ନିମଗ୍ନ ରହି ପାରିବାରିକ ତାଡନା ଓ ଅସହ୍ୟ ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି ଅନେକେ।
ଡିଜିଟାଲ ଯୁଗରେ ମୋବାଇଲ ଆମ ଜୀବନକୁ ସହଜ ଓ ସରଳ କରିଛି। ଆଙ୍ଗୁଠି ଟିପରେ ଦୁନିଆକୁ ଆୟତ୍ତ କରାଯାଇପାରୁଛି ଓ ବହୁ କାର୍ଯ୍ୟକୁ ଅନାୟାସରେ କରାଯାଉଛି। କିନ୍ତୁ ଏହାର ପ୍ରଭାବରେ ବହୁ ଧନପ୍ରାଣ ହାନି ଘଟିିବାରେ ଲାଗିଛି। ଏହାକୁ ରୋକିବାକୁ କଡା ଆଇନ କରାଯାଉଛି। ଅଥଚ ନିଜେ ସଚେତନ ନ ହେଲା ଯାଏ ଆଇନ ଆମକୁ ସେମିତି କିଛି ଫାଇଦା ଦେଇପାରିବନି।
ଏମିତି ଚିନ୍ତାରୁ ମୁକ୍ତ ହୋଇ ଦୂର ସ୍ଥାନକୁ ଯାତ୍ରା ପାଇଁ ସପରିବାର ବାହାରିଲା ବେଳକୁ ହଠାତ୍‌ ଚତୁର୍ଥ ଶ୍ରେଣୀରେ ପଢୁଥିବା ପୁଅ ତା’ର ମାଆକୁ କହୁଛି- ମାମା! ମୋବାଇଲ ଫୁଲ୍‌ ଚାର୍ଜ କରି ଧରିଛୁ ତ! କାହିଁକି ନା ଗାଡିରେ ବସି ମୁଁ ଟିକ୍‌ଟକ୍‌ ଗୋଟେ କରି ଛାଡିବି। ଉତ୍ତରରେ ମାଆ କହୁଛି- ଯୁଆଡେ ଗଲେ ବି ମୋର ଆଗ ମୋବାଇଲ। ତୁ ତୋ ବାବାଙ୍କ ମୋବାଇଲ ନେଇ ଯାହା କରୁଛୁ କର, ମୋର ଦେବାର ନାହିଁ। ଏହାର କିଛି ପ୍ରତିକ୍ରିୟା ଦେବାକୁ ଉଦ୍ୟମ କଲା ବେଳକୁ ଅଫିସରୁ ଗୋଟେ ମେସେଜ ଆସିଲା। ବ୍ୟାଗ୍‌ଟିକୁ ଥୋଇ ଦେଉ ଦେଉ ପାଟିରୁ ବାହାରିଗଲା- ଜଷ୍ଟ ଏ ମିନିଟ୍‌! ଯିବା ତ! କିନ୍ତୁ ମୋବାଇଲରେ ଆଗ ଏ କାମଟା ସାରିଦିଏ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ, ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri