Categories: ଖେଳ

ଆଇ- ଲିଗ୍‌: ଚର୍ଚ୍ଚିଲର ସଂଘର୍ଷପୂର୍ଣ୍ଣ ବିଜୟ

ମାରଗାଓ,୧୬।୨(ପି.ଟି.)- ଚଳିତ ଆଇ- ଲିଗ୍‌ରେ ଶୁକ୍ରବାର ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଚର୍ଚ୍ଚିଲ ବ୍ରଦର୍ସ ୨-୧ ଗୋଲରେ ଆଇଜଲ ଏଫ୍‌ସିକୁ ପରାସ୍ତ କରିଛି। ଚର୍ଚ୍ଚିଲର ଓ୍ବିଲିସ୍‌ ପ୍ଲାଜା ଷ୍ଟପେଜ ଟାଇମ ଅର୍ଥାତ୍‌ ମ୍ୟାଚ୍‌ର ଅନ୍ତିମ ମୁହୂର୍ତ୍ତରେ ନିର୍ଣ୍ଣାୟକ ଗୋଲ ଦେଇ ଦଳକୁ ଜିତାଇଥିଲେ। ଏହି ବିଜୟ ସହ ଚର୍ଚ୍ଚିଲ ୩ ପଏଣ୍ଟ ହାସଲ କରିଛି। ପ୍ରଥମାର୍ଦ୍ଧରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା ଓ କୌଣସି ଗୋଲ ସ୍କୋର ହୋଇପାରି ନ ଥିଲା। ତେବେ ଦ୍ୱିତୀୟାର୍ଦ୍ଧର ୭୪ତମ ମିନିଟ୍‌ରେ ଚର୍ଚ୍ଚିଲର ଡଓ୍ବାଡ ସିସେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ନିର୍ଦ୍ଧାରିତ ସମୟର ଶେଷ ମିନିଟ୍‌ରେ ଆଇଜଲର ପଲ ରାମପାନଙ୍ଗଜାଉଭା ଗୋଲ ଦେଇ ମ୍ୟାଚ୍‌ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ଶେଷରେ ପ୍ଲାଜା ନିର୍ଣ୍ଣାୟକ ଗୋଲ ଦେଇ ଆଇଜଲକୁ ନିରାଶ କରିଥିଲେ।

Share