Categories: ଖେଳ

ଆଇସୋଲେଶନ କ୍ୟାମ୍ପ୍‌ ପାଇଁ ଆଇସିସିର ସୁପାରିସ

ଦୁବାଇ, ୨୩ା୫ (ପି.ଟି.): କରୋନାଭାଇରସ୍‌ ଯୋଗୁ କ୍ରିକେଟ ବନ୍ଦ ରହିଛି। ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଖେଳକୁ ପୁଣି ଆରମ୍ଭ କରିବା ଲାଗି ଯୋଜନା କରୁଛି। ଏଥିପାଇଁ ଶୁକ୍ରବାର ନୂଆ ଗାଇଡ୍‌ ଲାଇନ୍‌ ଘୋଷଣା କରିଛି। ଚିଫ୍‌ ମେଡିକାଲ ଅଫିସର ନିଯୁକ୍ତି ସହ ମ୍ୟାଚ୍‌ ପୂର୍ବରୁ ୧୪ ଦିନିଆ ଆଇସୋଲେଶନ ଟ୍ରେନିଂ କ୍ୟାମ୍ପ ଆୟୋଜନ ପାଇଁ ସୁପାରିସ କରିଛି। ସରକାରଙ୍କ ନିୟମ କିପରି କାର୍ଯ୍ୟକାରୀ କରାଯିିବ ସେହି ଦାୟିତ୍ୱ ଚିଫ୍‌ ମେଡିକାଲ ଅଫିସର ଅବା ବାୟୋସେଫ୍ଟି ଅଫିସିଆଲଙ୍କ ଉପରେ ନ୍ୟସ୍ତ ରହିବ। କୌଣସି ମ୍ୟାଚ ଖେଳିବାକୁ ଯିବା ପୂର୍ବରୁ ସମ୍ପୃକ୍ତ ଦଳ ଅତି କମ୍‌ରେ ୧୪ ଦିନିଆ ଆଇସୋଲେଶନ କ୍ୟାମ୍ପରେ ରହିବେ। ସୋମାନଙ୍କର ସ୍ବାସ୍ଥ୍ୟ, ତାପମାତ୍ରା ଯାଞ୍ଚ କରାଯିବା ସହ କୋଭିଡ୍‌-୧୯ ଟେଷ୍ଟ ହେବ। ଗସ୍ତ ପୂର୍ବରୁ ସେମାନେ କରୋନା ସଂକ୍ରମଣରୁ ମୁକ୍ତ ବୋଲି ସ୍ପଷ୍ଟ ହେବା ଜରୁରୀ। ମହାମାରୀ ଯୋଗୁ କ୍ରିକେଟର ସମସ୍ତ କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। ଏପରିକି ଆସନ୍ତା ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ ସମୟରେ ହେବ କି ନା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଆଇସିସି ଗାଇଡ୍‌ ଲାଇନ୍‌ରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛିି ଟ୍ରେନିଂ ବେଳେ ଖେଳାଳିମାନଙ୍କ ପାଇଁ ମଧ୍ୟାନ୍ତର ରହିବ ନାହିଁ। ମ୍ୟାଚବେଳେ ପଡ଼ିଆରେ ଅମ୍ପାୟର ଓ ଖେଳାଳିମାନେ ସାମାଜିକ ଦୂରତ୍ୱ ବଜାୟ ରଖିବେ। ନିଜ ଜିନିଷ (କ୍ୟାପ୍‌, ଟାଓ୍ବେଲ, ସନ୍‌ଗ୍ଳାସ୍‌, ଜମ୍ପର) ଅମ୍ପାୟରଙ୍କୁ ନ ଦେଇ ନିଜ ହେପାଜତରେ ରଖିବେ। ହେଲେ ଖେଳାଳିମାନଙ୍କ ଜିନିଷଗୁଡ଼ିକ କାହା ଦାୟିତ୍ୱରେ ରହିବ ତାହା ସ୍ପଷ୍ଟ କରାଯାଇ ନାହିଁ। ବଲ୍‌କୁ ଧରିବା ବେଳେ ଅମ୍ପାୟରମାନେ ଗ୍ଳୋବ୍ସ ବ୍ୟବହାର କରିପାରନ୍ତି। ଖେଳାଳିମାନେ ପଡ଼ିଆରେ ସେମାନଙ୍କ କ୍ୟାପ୍‌ ଅବା ସନ୍‌ଗ୍ଲାସ୍‌ ରଖିପାରିବେ ନାହିଁ। ଏଥିପାଇଁ ରନ ପେନାଲ୍‌ଟି ହୋଇପାରେ। ମ୍ୟାଚ ପୂର୍ବରୁ ଅବା ପରେ ଚେଞ୍ଜିଂ ରୁମ୍‌ରେ ଯଥାସମ୍ଭବ କମ୍‌ ସମୟ ରହିବାକୁ କୁହାଯାଇଛି। ଆଇସିସି କ୍ରିକେଟ କମିଟି ଇତିମଧ୍ୟରେ ବଲ୍‌କୁ ଚକ୍‌ ଚକ୍‌ କରିବା ଲାଗି ପାଟି ଲାଳ ବ୍ୟବହାର କରିବା ଉପରେ କଟକଣା ଜାରି କରି ସାରିଛି। ଏଣିକି ବଲ୍‌ ସଂସ୍ପର୍ଶରେ ଆସିବା ପରେ ଆଖି, ନାକ ଓ ମୁହଁରେ ହାତ ନ ମାରିବା ଲାଗି ପରାମର୍ଶ ଦିଆଯିବା ସହ ସେମାନଙ୍କ ହାତକୁ ସାନିଟାଇଜ୍‌ କରିବା ଲାଗି କୁହାଯାଇଛି।

Share