Categories: ଖେଳ

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ନିଷ୍ପତ୍ତି ସ୍ଥଗିତ

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ବୈଠକରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆଇସିସି ଆଉ ଏକମାସ ସମୟ ନେଇଛି। ଅର୍ଥାତ୍‌ ଆସନ୍ତା ମାସରେ ହେବାକୁଥିବା ବୈଠକରେ ଏହି ପ୍ରତିଯୋଗିତାର ଭାଗ୍ୟ ନିର୍ଦ୍ଧାରଣ ହେବ। ଟି୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାର କାର୍ଯ୍ୟସୂଚୀ ରହିଛି। ”ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆମେ ଆଉ ଏକ ସୁଯୋଗକୁ ଅପେକ୍ଷା କରିଛୁ। ସେତେବେଳେ ଏହା ଠିକ୍‌ ନିଷ୍ପତ୍ତି ହେବ ବୋଲି ଆଶା ରହିଛି। ଆମେ ନିୟମିତଭାବେ ସଦସ୍ୟ ଦେଶ, ପ୍ରସାରଣକାରୀ ସଂସ୍ଥା, ପାର୍ଟନର, ସରକାର ଏବଂ ଖେଳାଳିଙ୍କ ସହିତ ପରାମର୍ଶ କରୁଛୁ। ନିଷ୍ପତ୍ତିରେ ଯେପରି କୌଣସି ତ୍ରୁଟି ନ ରହିବ ତା’ ଉପରେ ଧ୍ୟାନ ଦେଉଛୁ“ ବୋଲି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବୋର୍ଡ ବୈଠକ ହେବାପରେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାଓ୍ବନେ ପ୍ରକାଶ କରିଛନ୍ତି। ସେହିପରି ଚଳିତବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଆୟୋଜନ ଉପରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସହିତ ଟିକସ ହ୍ରାସ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସମୟ ସୀମାକୁ ମଧ୍ୟ ଆଇସିସି ଘୁଞ୍ଚାଇ ଦେଇଛି।

Share