Categories: ଖେଳ

ଆଇସିସି ନିର୍ଦ୍ଦେଶକୁ ମାନିଲେ ଧୋନୀ

ଲଣ୍ଡନ, ୧୦ା୬ (ପି.ଟି.)-ଭାରତର ଭେଟେରାନ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିର୍ଦ୍ଦେଶକୁ ମାନିଛନ୍ତି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚରେ ସେ ବ୍ୟବହାର କରିଥିବା ତାଙ୍କ ସବୁଜ ରଙ୍ଗର କିପିଂ ଗ୍ଲୋଭ୍ସରୁ ବିବାଦୀୟ ଚିହ୍ନଟିକୁ ହଟାଇ ଦେଇଛନ୍ତି, ଯାହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଗ୍ଲୋଭ୍ସରେ ସ୍ଥାନ ପାଇଥିବା ଚିହ୍ନ ବଳିଦାନ ଅବା ଆର୍ମିରେ କୌଣସି ଏକ ପଦବୀର ପ୍ରତୀକ ସଦୃଶ ବୋଲି କୁହାଯାଉଛି। ଏହି ଗ୍ଲୋଭ୍ସଟିକୁ ସେ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ମ୍ୟାଚରେ ବ୍ୟବହାର କରିଥିଲେ।
ଆଇସିସି ଏହି ପ୍ରସଙ୍ଗରେ ବିସିସିଆଇ ନିକଟକୁ ଚିଠି ଲେଖିଥିଲା। ଧୋନୀ ଆଇସିସିର କ୍ରୀଡ଼ା ସାମଗ୍ରୀ ନିୟମ ଉଲ୍ଲଂଘନ କରିଛନ୍ତି। ଗ୍ଲୋଭ୍ସରୁ ବିବାଦୀୟ ଚିହ୍ନକୁ ହଟାଇବା ଲାଗି ତାଙ୍କୁ ନିର୍ଦ୍ଦେଶ ଦେବା ପାଇଁଁ ଆଇସିସି କହିଥିଲା। ଧୋନୀ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ତାଙ୍କ ସବୁଜ ରଙ୍ଗ ଗ୍ଲୋଭ୍ସ ବ୍ୟବହାର କରିଥିଲେ, ମାତ୍ର ସେଥିରେ ଉଭୟ ଏସଜି ଲୋଗୋ କିମ୍ବା ବିବାଦୀୟ ଚିହ୍ନଟିକୁ ଦେଖିବାକୁ ମିଳି ନ ଥିଲା। ଏହାଦ୍ୱାରା ଧୋନୀ ବିସିସିଆଇକୁ ଏକ ଅପ୍ରୀତିକର ପରିସ୍ଥିତିରୁ ବଞ୍ଚାଇ ଦେଇପାରିଛନ୍ତି। ଧୋନୀ ରବିବାର ମ୍ୟାଚରେ ସମାନ ଗ୍ଲୋଭ୍ସ ବ୍ୟବହାର କରିଛନ୍ତି କି ନୂଆ ଗ୍ଲୋଭ୍ସ ବ୍ୟବହାର କରିଛନ୍ତି ତାହା ଜଣାପଡ଼ିନାହିଁ।

Share