Categories: ଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ତୃତୀୟ ଭାରତୀୟ ଭାବେ ଟପ୍‌-୧୦ରେ ରୋହିତ୍‌

ଦୁବାଇ, ୨୩।୧୦ (ପି.ଟି.)- ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଷ୍ଟାର୍‌ କ୍ରିକେଟର୍‌ ରୋହିତ୍‌ ଶର୍ମା ଆଇସିସି ର଼୍ୟାଙ୍କିଙ୍ଗ୍‌ର ୩ଟି ଯାକ ଫର୍ମାଟ୍‌ରେ ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ରୋହିତ୍‌ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ପ୍ରଭାବ ପକାଇବାରେ ସଫଳ ହୋଇଛନ୍ତି। ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ୨୧୨ ରନର ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ଏହି ମାରାଥନ ଇନିଂସ ଯୋଗୁ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ରୋହିତ୍‌ ୧୨ଟି ପାହାଚ ଉପରକୁ ଉଠି ବ୍ୟାଟିଂ ତାଲିକାର ୧୦ମ ସ୍ଥାନରେ ରହିଛନ୍ତି। ‘ହିଟ୍‌ମ୍ୟାନ’ ଭାବେ ପରିଚିତ ରୋହିତ୍‌ ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ୫୪ତମ ସ୍ଥାନରେ ରହିଥିଲେ। କିନ୍ତୁ ସିରିଜରେ ସେ ୫୨୯ ରନ ସଂଗ୍ରହ କରି ୪୪ଟି ପାହାଚ ଉପରକୁ ଉଠିଛନ୍ତି। ଦିନିକିଆ ଓ ଟି୨୦ ବ୍ୟାଟିଂ ତାଲିକାରେ ରୋହିତ୍‌ ଯଥାକ୍ରମେ ୨ୟ ଓ ୮ମ ସ୍ଥାନରେ ରହିଛନ୍ତି। ବିରାଟ କୋହଲି ମଧ୍ୟ ପୂର୍ବରୁ ୩ଟି ଯାକ ଫର୍ମାଟ୍‌ରେ ଏକ ନମ୍ବର ସ୍ଥାନରେ ରହିଥିଲେ। ସେହିଭଳି ର୍ପୂବତନ ଓପନର୍‌ ଗୌତମ ଗମ୍ଭୀର ପୂର୍ବରୁ ଟେଷ୍ଟ ଓ ଟି୨୦ରେ ଏକ ନମ୍ବର ଏବଂ ଦିନିକିଆରେ ୮ମ ସ୍ଥାନ ହାସଲ କରିଥିଲେ। ଫଳରେ ଏହି ୩ ଭାରତୀୟ ବ୍ୟାଟ୍ସମ୍ୟାନ ଆଇସିସି ର୍ରାଙ୍କିଙ୍ଗ୍‌ର ୩ଟି ଯାକ ଫର୍ମାଟ୍‌ରେ ଟପ୍‌-୧୦ରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ରାଞ୍ଚତ୍ ଟେଷ୍ଟର ପ୍ରଥମ ଇନିଂସରେ ୧୧୬ ରନ କରିଥିବା ଅଜିଙ୍କ୍ୟ ରାହାନେଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ଘଟିଛି। ସେ ବ୍ୟାଟିଂ ତାଲିକାର ୫ମ ସ୍ଥାନ ଲାଭ କରିଛନ୍ତି। ପୂର୍ବରୁ ରାହାନେ ୨୦୧୬ରେ ଏହି ସ୍ଥାନ ହାସଲ କରିଥିଲେ। ବିରାଟ କୋହଲି ପୂର୍ବବତ୍‌ ଷ୍ଟିଭ ସ୍ମିଥଙ୍କ ପଛକୁ ଦ୍ୱିତୀୟ ଏବଂ ଚେତେଶ୍ୱର ପୂଜାରା ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଅନ୍ୟତମ ଯୁବ ଓପନର୍‌ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରି ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠି ଅଷ୍ଟାଦଶ ସ୍ଥାନ ଲାଭ କରିଛନ୍ତି। ଫଳରେ ଟପ୍‌-୨୦ରେ ଭାରତର ୫ଜଣ ବ୍ୟାଟ୍ସମ୍ୟାନ ରହିଛନ୍ତି। ଅପରପକ୍ଷରେ ବୋଲିଂ ତାଲିକାରେ ମହମ୍ମଦ ସାମି ଓ ଉମେଶ ଯାଦବ ଯଥାକ୍ରମେ ୧୪ ଓ ୨୧ତମ ସ୍ଥାନ ଦଖଲ କରିଛନ୍ତି।

Share