Categories: ଖେଳ

ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ଗଫ୍‌, ଓ୍ବିଲସନ୍‌

ଦୁବାଇ, ୩୦।୭ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଏହାର ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ମଙ୍ଗଳବାର ୨ଜଣ ନୂଆ ସଦସ୍ୟଙ୍କୁ ସାମିଲ କରିଛି। ଏହି ଦୁଇଜଣ ହେଲେ ଇଂଲଣ୍ଡ ମାଇକେଲ୍‌ ଗଫ୍‌ ଓ ଓ୍ବେଷ୍ଟଇଣ୍ଡିଜର ଜୋଏଲ୍‌ ଓ୍ବିଲସନ। ବାର୍ଷିକ ରିଭ୍ୟୁ ଓ ଚୟନ ପ୍ରକ୍ରିୟା ପରେ ଉଭୟ ଗଫ୍‌ ଓ ଓ୍ବିଲସନଙ୍କୁ ଆଗାମୀ ୨୦୧୯-୨୦ ସିଜନ ଲାଗି ଏମିରେଟ୍ସ ଆଇସିସି ଏଲିଟ୍‌ ପ୍ୟାନେଲ୍‌ ଅମ୍ପାୟର ତାଲିକାରେ ସ୍ଥାନ ମିଳିଛି। ଏହି ଦୁଇ ଅମ୍ପାୟର ପୂର୍ବରୁ ଏମିରେଟ୍ସ ଆଇସିସି ଇଣ୍ଟରନ୍ୟାଶନାଲ ଅମ୍ପାୟର ପ୍ୟାନେଲରେ ରହି ମ୍ୟାଚ୍‌ ପରିଚାଳନା କରୁଥିଲେ। ତେବେ ଆଇସିସି ଜେନେରାଲ ମ୍ୟାନେଜର (କ୍ରିକେଟ୍‌) ଜେଫ୍‌ ଅଲାର୍ଡିକ, ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା ସଞ୍ଜୟ ମଞ୍ଜରେକର, ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗଲେ ଓ ଡେଭିଡ୍‌ ବୁନ୍‌ଙ୍କୁ ନେଇ ଗଠିତ ଚୟନ ପ୍ୟାନେଲ ଉଭୟ ଗଫ୍‌ ଓ ଓ୍ବିଲସନଙ୍କୁ ଏମିରେଟ୍ସ ଆଇସିସି ଏଲିଟ୍‌ ଅମ୍ପାୟର ମଣ୍ଡଳୀକୁ ପଦୋନ୍ନତି ଦେଇଛନ୍ତି। ଅନ୍ତର୍ଜାତୀୟସ୍ତରରେ ଉଭୟଙ୍କର ପୂର୍ବରୁ ଅନେକ ଅଭିଜ୍ଞତା ରହିଛି। ଗଫ୍‌ ୯ ଟେଷ୍ଟ, ୫୯ ଦିନିକିଆ ଓ ୧୪ ଟି୨୦ ମ୍ୟାଚ୍‌ ପରିଚାଳନା କରିସାରିଛନ୍ତି। ସେହିଭଳି ଓ୍ବେଷ୍ଟଇଣ୍ଡିଜ ଅମ୍ପାୟର ଓ୍ବିଲସନଙ୍କର ୧୩ ଟେଷ୍ଟ, ୬୩ ଦିନିକିଆ ଓ ୨୬ ଟି୨୦ ମ୍ୟାଚ୍‌ ପରିଚାଳନା କରିବାର ଅଭିଜ୍ଞତା ରହିଛି। ନିକଟରେ ଅବସର ନେଇଥିବା ଇଆନ୍‌ ଗୁଲ୍ଡ ଓ ଭାରତର ରବି ସୁନ୍ଦରାମଙ୍କ ସ୍ଥାନରେ ଉଭୟ ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି। ରବିଙ୍କ ଅବସର ପରେ ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ଭାରତୀୟଙ୍କ ପ୍ରତିନିଧିତ୍ୱ ଶୂନ୍ୟସ୍ଥାନ ପଡ଼ିଛି।
ଆଇସିସି ଏଲିଟ୍‌ ପ୍ୟାନେଲ ଅମ୍ପାୟର ମଣ୍ଡଳୀରେ ପୂର୍ବରୁ ଅଲିମ୍‌ ଦାର୍‌, କୁମାର ଧର୍ମସେନା, ମାରାଇସ ଏରାସମସ୍‌, କ୍ରିସ୍‌ ଗଫାନୀ, ରିଚାର୍ଡ ଇଲିଙ୍ଗ୍‌ଓ୍ବର୍ଥ, ରିଚାର୍ଡ କେଟେଲ୍‌ବର୍ଗ, ନାଇଜେଲ ଲଙ୍ଗ୍‌, ବ୍ରୁସ ଓକ୍ସେଫୋର୍ଡ, ପଲ୍‌ ରିଲିଫ୍‌ ଓ ରଡ୍‌ ଟର୍କର ସ୍ଥାନ ମ୍ୟାଚ୍‌ ପରିଚାଳନା କରି ଆସୁଛନ୍ତି। ସେହିଭଳି ଏମିରେଟ୍ସ ଆଇସିସି ଏଲିଟ୍‌ ମ୍ୟାଚ୍‌ ରେଫରି ପ୍ୟାନେଲ୍‌ ପୂର୍ବଭଳି ଅପରିବର୍ତ୍ତିତ ରହିଛି। ଡେଭିଡ୍‌ ବୁନ୍‌, କ୍ରିସ୍‌ ବ୍ରଡ୍‌, ଜେଫ୍‌ କ୍ରୋ, ରଞ୍ଜନ ମଦୁଗଲେ, ଆଣ୍ଡି ପେକ୍ରଫ୍ଟ, ରିଚି ରିଚାର୍ଡଶନ ଓ ଏକମାତ୍ର ଭାରତୀୟ ଭାବେ ଜାଭାଗଲ ଶ୍ରୀନାଥ ଏଥିରେ ରହିଛନ୍ତି।

Share