Categories: ଖେଳ

ଆଇପିଏଲ୍‌-୧୩ ଆୟୋଜନ ପାଇଁ ୟୁଏଇର ପ୍ରସ୍ତାବ

ମୁମ୍ବାଇ,୧୧।୫- କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଠିକ୍‌ ସମୟରେ ଆରମ୍ଭ ହୋଇ ପାରିନାହିଁ । ଭାରତରେ କରୋନା ଭାଇରସ ସଂକ୍ରମଣ ବଢ଼ୁଥିବାରୁ ଆଗାମୀ ଦିନରେ ଏହା କେବେ ଆରମ୍ଭ ହେବ ତାହା ମଧ୍ୟ ଠିକ୍‌ ହୋଇ ପାରୁନାହିଁ। ଏପରି ସ୍ଥିତିରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆଇପିଏଲର ୧୩ତମ ସଂସ୍କରଣ ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି। ତେବେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କୋଷାଧ୍ୟକ୍ଷ ଅରୁଣ ଧୁମଲ ପ୍ରକାଶ କରିଛନ୍ତି। ପୂର୍ବରୁ ଆଇପିଏଲ ଥରେ ସମ୍ପୂର୍ଣ୍ଣ ଭାବରେ ଏବଂ ଥରେ ଆଂଶିକଭାବେ ଭାରତ ବାହାରେ ଅନୁଷ୍ଠିତ ହୋଇଛି। ୨୦୦୯ରେ ଏହି ଟି୨୦ ପ୍ରତିଯୋଗିତା ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିଲା। ସେହିପରି ୨୦୧୪ରେ ଲିଗ୍‌ର କିଛି ଅଂଶ ୟୁଏଇରେ ଖେଳାଯାଇଥିଲା। କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୬୦,୦୦୦ ଟପିଥିବାରୁ ଭାରତରେ ଆଇପିଏଲ ହେବା ସମ୍ଭାବନା କ୍ଷୀଣ। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ଆଇପିଏଲ୍‌-୧୩ ଆୟୋଜନ ପାଇଁ ଶ୍ରୀଲଙ୍କା ପ୍ରସ୍ତାବ ଦେଇଥିଲା। ମାତ୍ର ବିସିସିଆଇ ପକ୍ଷରୁ ଏ ସମ୍ପର୍କରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆ ଯାଇନାହିଁ।

Share