Categories: ଖେଳ

ଆଇପିଏଲ୍‌ ଦର୍ଶକ ବିନା ହୋଇପାରେ କିନ୍ତୁ ଟି୨୦ ବିଶ୍ୱକପ୍‌ ନୁହେଁ

ମେଲବୋର୍ନ, ୧୩ା୪ (ପି.ଟି.)- ପୁନଃ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ହୁଏତ ବିନା ଦର୍ଶକରେ ହୋଇପାରେ, କିନ୍ତୁ ଟି୨୦ ବିଶ୍ୱକପ୍‌ ଯଥାର୍ଥ ହେବ ନାହିଁ। ଏକ ସାକ୍ଷାତ୍‌କାରରେ ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଅଲ୍‌ ରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ। ଷ୍ଟାଡିୟମରେ ଖେଳାଳିମାନଙ୍କୁ ଦର୍ଶକମାନେ ଉତ୍ସାହିତ କରିଥାନ୍ତି। ସେମାନଙ୍କ ଅନୁପସ୍ଥିତିରେ ଖେଳ ଜମିବ ନାହିଁ। କୋଭିଡ୍‌-୧୯ ମହାମାରୀ ବ୍ୟାପିବାରେ ଲାଗିଥିବାରୁ ସମଗ୍ର ବିଶ୍ୱରେ ଇତିମଧ୍ୟରେ ଲକ୍ଷାଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏଭଳି ସଂକଟଜନକ ପରିସ୍ଥିତିରେ ୧୩ ତମ ଆଇପିଏଲ୍‌ ଓ ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ ଅନିଶ୍ଚିତତା ଦେଖା ଦେଇଛି। ଆଇପିଏଲ୍‌ ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ କେବଳ ଗୋଟିଏ ବିକଳ୍ପ ପନ୍ଥା ରହିଛି। ଯଦି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି୨୦ ବିଶ୍ୱକପ୍‌ (ଅକ୍ଟୋବର ୧୮ରୁ ନଭେମ୍ବର ୧୫) ସ୍ଥଗିତ ରଖେ ତେବେ ବିସିସିଆଇ ହୁଏତ ଅକ୍ଟୋବର-ନଭେମ୍ବରରେ ରୁଦ୍ଧଦ୍ୱାରରେ ଆପିଏଲ୍‌ ଆୟୋଜନ କରିପାରେ। କୋଭିଡ୍‌-୧୯ ପାଇଁ ଆଇପିଏଲ ଏପ୍ରିଲ ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ମାତ୍ର କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଭାରତରେ ଲକ୍‌ଡାଉନ୍‌ ମିଆଦ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଟି୨୦ ବିଶ୍ୱକପ୍‌ ଅକ୍ଟୋବର-ନଭେମ୍ବରରେ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ଆୟୋଜକ ଅଷ୍ଟ୍ରେଲିଆ ସମେତ ଅନ୍ୟ ଅଂଶଗ୍ରହଣକାରୀ ଦେଶଗୁଡ଼ିକରେ କରୋନା ଭାଇରସ୍‌କୁ କିଭଳି ଭାବେ ନିୟନ୍ତ୍ରଣ କରିପାରୁଛନ୍ତି ତା’ ଉପରେ ସବୁ ନିର୍ଭର କରେ।

Share