ଆଇନର ଦୁରୁପଯୋଗ

ଡ. ବାସନ୍ତୀ ମହାନ୍ତି

ଆଇନ ମଣିଷ ପ୍ରଣୟନ କରେ। ଯେଉଁ ଆଇନକାନୁନ୍‌ ମଣିଷର ଅହିତ ସାଧନ କରେ ତାହା ବର୍ଜନୀୟ ବୋଲି ପୁରାଣ, ଶାସ୍ତ୍ର, ସଂହିତା ଓ ପୌରାଣିକ ଆଖ୍ୟାନ ଉପାଖ୍ୟାନ ଶିକ୍ଷା ଦିଏ। ଆଇନକାନୁନ୍‌ ଯେଉଁଠି କଠୋର ସେଠାରେ ସୀତାଙ୍କ ପରି ସତୀ ସ୍ବାଧୀମାନେ ଅଶେଷ ପୀଡା ଭୋଗନ୍ତି। ରାମଙ୍କ ପରି ଚରିତ୍ରମାନେ ନୀତିନିୟମର ସୁରକ୍ଷା ପାଇଁ ଜୀବନ ସାରା ଅଶ୍ରୁମୋଚନ କରୁଥାନ୍ତି। ଶ୍ରୀକୃଷ୍ଣ ନେତୃତ୍ୱ ନେଇଥିଲେ ଆଇନକୁ ଜୀବନାନୁସାରୀ କରିବା ପାଇଁ କିନ୍ତୁ ସେ ଜୀବନ ଆଇନାନୁସାରୀ ନୁହେଁ ବୋଲି ଜନତାଙ୍କୁ ହୁଦ୍‌ବୋଧ କରାଇଥିଲେ। ପିତାମହ ଭୀଷ୍ମ ନୀତି ନିୟମର ଶୃଙ୍ଖଳରେ ବନ୍ଧା ଥିଲେ। ସେଇ ନୀତିନିୟମର ଦୁରୁପଯୋଗ କରି ଶକୁନୀ ଓ ଦୁର୍ଯ୍ୟୋଧନ ତାଙ୍କୁ ଅନେକ କ୍ଷେତ୍ରରେ ବିବଶ କରିଦେଇଥିଲେ। ଏପରି କି ଦ୍ରୌପଦୀଙ୍କୁ କୁରୁସଭାରେ ବିବସ୍ତ୍ର କଲାବେଳେ ସୁଦ୍ଧା ସେ ହାତପାଦ ବାନ୍ଧି ବସିଥିଲେ। ଶ୍ରୀକୃଷ୍ଣ କିନ୍ତୁ ମାନବର ହିତ ସାଧନ ପାଇଁ ଆବଶ୍ୟକ ପଡିଲେ ନୀତିନିୟମକୁ ଉଲ୍ଲଂଘନ କରୁଥିଲେ, କେତେବେଳେ ଆଂଶିକ ପରିବର୍ତ୍ତନ କରି ଦେଉଥିଲେ। ତାଙ୍କ ଅନୁସାରେ ଯାହା ମଣିଷ ପାଇଁ କଲ୍ୟାଣକାରୀ ତାହା ନୀତି ଓ ଧର୍ମ, ଯାହା ଅକଲ୍ୟାଣକାରୀ ତାହା ଅନୀତି ଓ ଅଧର୍ମ। ଏବେ ବି ସମାଜର ଭୀଷ୍ମ ଓ ଶ୍ରୀକୃଷ୍ଣଙ୍କ ପରି ବ୍ୟକ୍ତିତ୍ୱମାନେ ଅଛନ୍ତି; ଯେଉଁମାନେ ନୀତିନିୟମ ଆଦର୍ଶ ଶୃଙ୍ଖଳାକୁ ସମ୍ମାନ ଦିଅନ୍ତି, ଯେତେ ବିପଦ ଆପଦ ଆସୁପଛେ ସେମାନେ ନୀତିନିୟମ ଶୃଙ୍ଖଳାରୁ ଇଞ୍ଚେ ବି ଘୁଞ୍ଚନ୍ତି ନାହିଁ । ଆଉ କେତେକ ଅଛନ୍ତି ମାନବର ହିତ ପାଇଁ ସବୁ ନୀତିନିୟମକୁ ଭାଙ୍ଗିତୁଟି ଦିଅନ୍ତି। ଏ ଦୁଇ ଗୋଷ୍ଠୀଙ୍କ ମୌଳିକ ଲକ୍ଷ୍ୟ ଥାଏ ଲୋକ କଲ୍ୟାଣ କିନ୍ତୁ ମୋହ ଓ ଆସକ୍ତି ବଶତଃ ପ୍ରଥମଶ୍ରେଣୀର ଲୋକେ ବେଳେବେଳେ ସମାଜର ହିତ କରିବାକୁ ଯାଇ ଅହିତ କରିଦିଅନ୍ତି ଯାହା। କିନ୍ତୁ ଏସବୁ ବ୍ୟତୀତ ଆଉ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ମଣିଷର ଦୋଷ ତ୍ରୁଟି ଖୋଜି ବୁଲୁଥାନ୍ତି। ଦୋଷ ନ ମିଳିଲେ ଆଇନର ଦୁରୁପଯୋଗ କରନ୍ତି। ସତ୍ୟଟା ପଦାକୁ ଆସିବା ବେଳକୁ ଅସତ୍ୟର ପ୍ରଭାବରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ସାମାଜିକ ସମ୍ମାନ ପ୍ରତିଷ୍ଠା ନଷ୍ଟ ହୋଇ ସାରିଥାଏ।
ସମାଜରୁ ଯୌତୁକ ବ୍ୟାଧି ନିରାକରଣ କରିବାପାଇଁ ଆଇନ କଡାକଡି ହେଲା। ବିବାହର ସାତବର୍ଷ ଭିତରେ ଯେ କୌଣସି କାରଣରୁ ବୋହୂର ଆକସ୍ମିକ ମୃତ୍ୟୁ ହେଲେ ତାହା ଯୌତୁକଜନିତ ବୋଲି ଗ୍ରହଣ କରାଯିବ। ଦୁର୍ଭାଗ୍ୟର କଥା ଏହି ଆଇନ ଦୋଷୀକୁ ଦଣ୍ଡ ଦେବା ପାଇଁ ଯେତିକି ସହାୟକ ହେଲାନାହିଁ, ନିର୍ଦ୍ଦୋଷମାନଙ୍କୁ ହଇରାଣ ହରକତ କରିବାରେ ସେତିକି ଲାଗିଲା। କେତେକ ନ୍ୟସ୍ତସ୍ବାର୍ଥ ଉଚ୍ଛୃଙ୍ଖଳିତ ମହିଳା ଏଇ ଆଇନକୁ ନାରୀମାନଙ୍କର ସୁରକ୍ଷା କବଚ ନୁହେଁ ଢାଲପରି ବ୍ୟବହାର କରି ପରିବାରରେ ଯଥେଚ୍ଛାଚାର କଲେ, କେହି ଏହାର ପ୍ରତିବାଦ କଲେ ସେମାନଙ୍କୁ ହାତକଡି ପକେଇ ଥାନାକୁ ନିଆଗଲା। ତଦନ୍ତ ପରେ ଜଣାପଡିଲା ଦାଏର ହୋଇଥିବା ୮୫% କେସ୍‌ର କୌଣସି ପ୍ରମାଣ ନାହିଁ। ମାତ୍ର ୧୫% କେସ୍‌ର ସତ୍ୟତା ଥିଲା। ଏହି ଆଇନଟିର ସଦୁପଯୋଗ ବଦଳରେ ଦୁରୁପଯୋଗ ହେଲା ବେଶି। ଫଳରେ ଏ ଆଇନରେ ପରିବର୍ତ୍ତନ ଆଣିବାକୁ ପଡିଲା। କେବଳ ଅଭିଯୋଗ ଆଧାରରେ ନୁହେଁ ଯଥେଷ୍ଟ ପ୍ରମାଣ ନ ଥିଲେ ଅଭିଯୁକ୍ତଙ୍କୁ ଆଉ ଥାନାକୁ ଟଣା ହେଉନାହିଁ। ଯୌନ ନିର୍ଯାତନା ଅଭିଯୋଗ କ୍ଷେତ୍ରରେ ମଧ୍ୟ ପୂର୍ବରୁ ପୀଡିତାର ବୟାନ ଶେଷ କଥା ବୋଲି ଗ୍ରହଣ କରାଯାଉଥିଲା। କୌଣସି ସାକ୍ଷୀର ଆବଶ୍ୟକ ପଡୁ ନ ଥିଲା। ଏହାର ମଧ୍ୟ ଦୁରୁପଯୋଗ ହେଲା। ଶହଶହ କେସ୍‌ ଆସିଲା ଥାନାକୁ। ଯେଉଁଠି କେତେକ ନାରୀ ପୁରୁଷଙ୍କୁ ବେଶ୍‌ ହଲାପଟା କଲେ। ଅଫିସମାନଙ୍କରେ ପୂର୍ବ ଶତ୍ରୁତାକୁ ଆଧାର କରି ଯୌନ ନିର୍ଯାତନା ଅଭିଯୋଗ ମାନ ଆସିଲା। ତଦନ୍ତ ପରେ ସେମାନଙ୍କ ମଧ୍ୟରୁ କିଛି ସତ୍ୟ ବାହାରିଲା ତ ଆଉ କିଛି ମିଥ୍ୟା ପ୍ରତିପାଦନ ହେଲା। ନିର୍ଦ୍ଦୋଷ ସାବ୍ୟସ୍ତ ହେବା ବେଳକୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମାନ ସମ୍ମାନ ମାଟିରେ ମିଶି ସାରିଥିଲା। ଆଇନର ଏ ପ୍ରକାର ଦୁରୁପଯୋଗ ଯେ ସବୁ କ୍ଷେତ୍ରରେ ହେଉଥିଲା ତାହା ନୁହେଁ। ଅନେକ ଦୋଷୀ ମଧ୍ୟ ଦଣ୍ଡ ପାଉଥିଲେ।
ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମର୍ଯ୍ୟାଦା ଦେବାପାଇଁ ଆଟ୍ରୋସିଟି ଆଇନ ପ୍ରଣୟନ କରାଗଲା। ଦେଖାଗଲା ଏହି ଆଇନ ବଳରେ ଜାତିଭେଦ ଏତେ ତୀବ୍ର ହେଲା ଯେ କେବଳ ମୁହଁରେ ଉଚ୍ଚାରଣ କରିଦେଲେ ଆଟ୍ରୋସିଟି କେସ୍‌ରେ ପଡିଗଲେ ଉଚ୍ଚବର୍ଗର ଲୋକେ। ଆଇନର ବହୁମାତ୍ରାରେ ଦୁରୁପଯୋଗ ହେବାରୁ ସୁପ୍ରିମ୍‌ କୋର୍ଟ ଏଥିରେ ଲଗାମ ଦେଇଛନ୍ତି, ଏବେ ନିକଟରେ ଏକ ରାୟରେ କୁହାଯାଇଛି, ଯେଉଁଠାରେ ପ୍ରତ୍ୟକ୍ଷ ଭାବରେ ଜାତିକୁ ଅପମାନିତ କରି କିଛି କୁହାଯାଇଛି କେବଳ ସେଇଠି ହିଁ ଲାଗିବ ଆଟ୍ରୋସିଟି ଆଇନ, ଅନ୍ୟତ୍ର ନୁହେଁ। ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ଅନ୍ୟ ବିଚାରଣା ସାଧାରଣ ଲୋକଙ୍କ ପାଇଁ ଯେଉଁ ପ୍ରକାର ହୁଏ ସେମିତି ହିଁ ହେବ।
କେତେକ କ୍ଷେତ୍ରରେ ଆଇନକାନୁନ ଜାଲରେ ଏମିତି ଛନ୍ଦି ଦିଆହୁଏ ଯେ, ବର୍ଷ ବର୍ଷ ଧରି ଜଣେ ନିର୍ଦ୍ଦୋଷ ବିଚାର ବିଭାଗୀୟ ହାଜତରୁ ମୁକୁଳି ପାରେ ନାହିଁ। ଶେଷରେ ଲୋକଟି ନିର୍ଦ୍ଦୋଷ ସାବ୍ୟସ୍ତ ହେଲାବେଳକୁ ତା’ର ପରିବାର ବିପର୍ଯ୍ୟସ୍ତ ହୋଇସାରିଥାଏ। ନିର୍ଭୟାର ଚାରି ଅପରାଧୀଙ୍କୁ ମାନ୍ୟବର ସୁପ୍ରିମ୍‌କୋର୍ଟ ଫାଶୀ ଅର୍ଡର କାଏମ୍‌ ରଖିଥିଲେ ବି ଦୀର୍ଘ ଆଠବର୍ଷ କାଳ ଓକିଲ ଯେଉଁପରି ଆଇନକୁ ନେଇ ଖେଳ ଖେଳିଲେ ତାହା ବୋଧହୁଏ ଏ ଶତାବ୍ଦୀରେ ଆଇନର ସବୁଠାରୁ ବଡ଼ ଦୁରୁପଯୋଗ। ଦିବା ଲୋକରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀକୁ ଆଇନର ପଞ୍ଝା ଭିତରୁ ଦୂରେଇ ରଖିବା ଓ ଆଇନର ଦୁରୁପଯୋଗ କରି ନିର୍ଦ୍ଦୋଷମାନଙ୍କୁ ଅପରାଧୀ ସାବ୍ୟସ୍ତ କରିବା ଆମ ପିଙ୍ଗଳ କୋଡର ଦୁର୍ବଳତା ନୁହେଁ ବରଂ ଆମ ଲୋକ ଚରିତ୍ରର ଚଞ୍ଚକତା। ଆଇନ ସର୍ବଦା ମଣିଷର ହିତ ପାଇଁ, ସାମାଜିକ ଶୃଙ୍ଖଳା ପାଇଁ ପ୍ରଣୟନ କରାଯାଇଥାଏ। କେତେକ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ତା’ର ଗଳାବାଟ ଖୋଜି ଗଳି ବାହାରକୁ ଚାଲିଯାଆନ୍ତି ତ ଆଉ କେତେକ ଆଇନର କଠୋରତା ପାଖରେ ବଳି ପଡିଯାଆନ୍ତି। ଆମ ଦଣ୍ଡବିଧି ଆଇନର ଗୋଟିଏ ସକାରାମତ୍କ ଦିଗ ରହିଛି। ହଜାରେ ଦୋଷୀ ପଛେ ଖଲାସ୍‌ ହୋଇଯାଆନ୍ତୁ ଗୋଟିଏ ନିର୍ଦ୍ଦୋଷ ଦଣ୍ଡ ନ ପାଉ। ବେନିଫିଟ୍‌ ଅଫ୍‌ ଡାଉଟ୍‌ରେ ନରହତ୍ୟା ଆସାମୀ ମଧ୍ୟ ମୃତ୍ୟୁଦଣ୍ଡରୁ ଉଦ୍ଧାର ପାଇଯିବା ଆଇନର ଦୁରୁପଯୋଗ ନୁହେଁ, କିନ୍ତୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଲୋକଟିକୁ ଆଇନକାନୁନ୍‌ର ଅରଗଳି ଭିତରେ ପେଷିଦେବା ଆଇନର କେବଳ ଦୁରୁପଯୋଗ ନୁହେଁ, ଅତ୍ୟନ୍ତ ଅମାନୁଷିକତା।
ଆଇନର ଦୁରୁପଯୋଗ କେବଳ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସୀମିତ ହୋଇ ରହିନାହିଁ। ଗତ କିଛି ଦିନ ହେଲା ବିଭିନ୍ନ ରାଜ୍ୟ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋଙ୍କୁ ଢାଲ କରି ରାଜ୍ୟ ଉପରେ ଯେଉଁ ଯଥେଚ୍ଛାଚାର କରୁଥିଲେ, ମାନ୍ୟବର ସୁପ୍ରିମ୍‌କୋର୍ଟ ଏବେ ସେଥିରେ କଟକଣା ଲଗାଇଛନ୍ତି। ଆଉ ଏବେ ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ହାଜତ୍‌ ମୃତ୍ୟୁ ମାମଲା। ଗୋଟିଏ ଦିନରେ ଦୁଇ ଦୁଇଟା ହାଜତ ମୃତ୍ୟୁ ଓ ଆଇନର ଦୁରୁପଯୋଗର ଆଉ ଏକ କଳଙ୍କିତ ଦୃଷ୍ଟାନ୍ତ। ପୁଣି ପରିବାରକୁ ଶବ ହସ୍ତାନ୍ତର ନ କରି ତାଙ୍କୁ ପୋଡିଦେବା ସବୁପ୍ରକାର ଅମାନୁଷିକପଣକୁ ଲଙ୍ଘନ କରିଛି।
ଆଇନକୁ ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ। କିନ୍ତୁ ସେହି ଆଇନକୁ ସଦୁପଯୋଗ କରିବା କି ଦୁରୁପଯୋଗ କରିବା ଆମ ବୁଦ୍ଧି ବିଚାର ବିବେଚନା ଓ ମଣିଷ ପଣିଆ ହିଁ ସ୍ଥିର କରେ।
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ୍‌, ଲକ୍ଷ୍ମୀସାଗର, ଭୁବନେଶ୍ୱର, ମୋ:୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri