Categories: ଖେଳ

ଆଇଟିଏଫ ସିନିୟର ଗ୍ରେଡ୍‌-୩: ଟେନିସ ଦିଲୀପଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ଭିଲାଇଠାରେ ଅନୁଷ୍ଠିତ ସେଲ୍‌ ଆଇଟଇଏଫ ସିନିୟର ଗ୍ରେଡ୍‌-୩ ଟେନିସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଦିଲୀପ ମହାନ୍ତି ଡବଲ ଟାଇଟଲ ହାସଲ କରିଛନ୍ତି। ଏହା ଛଡ଼ା ସେ ଗୋଟିଏ ବିଭାଗରେ ରନର୍ସଅପ୍‌ ମଧ୍ୟ ହୋଇ ମୋଟ ୩ଟି ଟ୍ରଫି ହାସଲ କରିଛନ୍ତି। ୪୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଦିଲୀପ ୬-୨, ୬-୧ ସେଟ୍‌ରେ କୋହିନୁର ଗୋବର୍ଦ୍ଧନଙ୍କୁ ପରାସ୍ତ କରିଥିଲେ। ସେହିପରି ୩୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ଡବଲ୍ସରେ ସେ କନ୍ନନ ସେଥୁଙ୍କୁ ସାଥିକରି ୭-୫, ୬-୪ ସେଟ୍‌ରେ ଦୀପକ ମାରଓ୍ବାହା ଓ ସଚିନ ପାଟିଲ ଯୋଡ଼ିଙ୍କୁ ପରାସ୍ତ କରିଥିଲେ। ୪୦ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ଫାଇନାଲରେ ସେ ଶରଣଦୀପ ସିଂ ସୋଧୀଙ୍କୁ ସାଥୀକରି ରୋହିତ ରାଓ୍ବତ ଓ ଜଗଦୀଶ ତନଓ୍ବାର ଯୋଡ଼ିଙ୍କଠାରୁ ୬-୨, ୩-୬, ୪-୧୦ରେ ହାରି ଯାଇଥିଲେ। ପୂର୍ବରୁ ବିଭିନ୍ନ ବୟସ ବର୍ଗରେ ଚାମ୍ପିୟନ ହୋଇଥିବା ଦିଲୀପଙ୍କ ପାଇଁ ୪୦ ବର୍ଷରୁ ଊର୍ଦ୍ଧ୍ୱ ସିଙ୍ଗଲ୍ସରେ ଏହା ପ୍ରଥମ ଟାଇଟଲ।

Share