Categories: ଖେଳ

ଆଇଓସି ସଦସ୍ୟ ହେଲେ ବାତ୍ରା

ନୂଆଦିଲ୍ଲୀ, ୨୩।୫- ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏହାର କାର୍ଯ୍ୟକାରୀ ବୋର୍ଡ ଲାଗି ୧୦ ଜଣ ନୂତନ ସଦସ୍ୟଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଓ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ତଥା ହକି ଇଣ୍ଡିଆର ପ୍ରାକ୍ତନ ସଭାପତି ନରିନ୍ଦର ବାତ୍ରା ଆଇଓସି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ୨୦୭ ଜାତୀୟ ଅଲିମ୍ପିକ କମିଟି (ଏନ୍‌ଓସି) ସଦସ୍ୟଙ୍କ ମଧ୍ୟରୁ ମାତ୍ର ୧୫ଜଣ ଆଇଓସିକୁ ମନୋନୀତ ହୋଇଥାନ୍ତି। ଏଥିସହ ବାତ୍ରା ଏକମାତ୍ର ଭାରତୀୟ ଭାବେ ଏଫ୍‌ଆଇଏଚ୍‌ ଓ ଏନ୍‌ଓସି ସଭାପତି ରହିବା ସହିତ ସମ୍ମାନଜନକ ଆଇଓସି ସଦସ୍ୟ ହେବାର ଗୌରବ ଲାଭ କରିଛନ୍ତି।
ପ୍ରଥମ ଓ ଏକମାତ୍ର ଭାରତୀୟ ଭାବେ ବାତ୍ରା ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ଭାବେ କାର୍ଯ୍ୟ ତୁଲାଇବାର ସୌଭାଗ୍ୟ ଲାଭ କରିଥିଲେ। ସେହିଭଳି ବାତ୍ରା ପ୍ରଥମ ଭାରତୀୟ ଭାବେ କୌଣସି ସମର କିମ୍ବା ଓ୍ବିଣ୍ଟର ଅଲିମ୍ପିକ ବଡିର ସଭାପତି ରହିଛନ୍ତି। ଏଥିସହ ଏକମାତ୍ର ଭାରତୀୟ ଭାବେ ବାତ୍ରା ଗୋଟିଏ ସମୟରେ ଉଭୟ ଅନ୍ତର୍ଜାତୀୟ ମହାସଂଘ ଓ ଜାତୀୟ ଅଲିମ୍ପିକ କମିଟି (ଏନ୍‌ଓସି)ର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ। ଆଇଓସିର ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ବାତ୍ରାଙ୍କୁ ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ଅଭିନନ୍ଦନ ଜଣାଇଛନ୍ତି। ‘ଭାରତୀୟ କ୍ରୀଡ଼ା ପ୍ରଶାସନରେ ବାତ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି। ହକି ଇଣ୍ଡିଆର ପ୍ରାକ୍ତନ ସଭାପତି ଭାବେ ସେ ମାର୍ଗ ପ୍ରଶସ୍ତ କରିଛନ୍ତି। ଭାରତୀୟ କ୍ରୀଡ଼ା ଯେତେବେଳେ ବିଶ୍ୱସ୍ତରରେ ଉପରକୁ ଉଠୁଛି ସେତେବେଳେ ବାତ୍ରା ଆଇଓସି ସଦସ୍ୟ ମନୋନୀତ ହୋଇଛନ୍ତି। ଦେଶର କ୍ରୀଡ଼ାର ଉନ୍ନତିରେ ସେ ସହାୟକ ହେବେ’ ବୋଲି ଅହମ୍ମଦ କହିଛନ୍ତି।

Share