Categories: ଖେଳ

ଆଇଓସି ସଦସ୍ୟ ଭାବେ ବାତ୍ରା ନିର୍ବାଚିତ

ଲାଉସାନେ, ୨୭ା୬ (ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏଠାରେ ଆଇଓସି ସେସନ ବେଳେ ସେ ସମ୍ମାନଜନକ ଆସନ ପାଇଁ ନିର୍ବାଚିତ ହୋଇଛନ୍ତି। ମୋଟ ୬୨ଟି ଭୋଟ୍‌ରୁ ସେ ୫୮ଟି ଭୋଟ ପାଇଥିବାବେଳେ ୪ଟି ତାଙ୍କ ବିପକ୍ଷରେ ଯାଇଥିଲା। ଏକ ଜାତୀୟ ଅଲିମ୍ପିକ କମିଟି ଆଇଓଏର ମୁଖ୍ୟ ହେବା ସହ ଆଇଓସି ସଦସ୍ୟ ହୋଇଛନ୍ତି। ଏଥିସହିତ ଏକ ଅଲିମ୍ପିକ କ୍ରୀଡ଼ାର ଅନ୍ତର୍ଜାତୀୟ ମହାସଂଘ ଏଫ୍‌ଆଇଚ୍‌(ଅନ୍ତର୍ଜାତୀୟ ହକି ମହାସଂଘ)ର ସେ ମୁଖ୍ୟ ଅଛନ୍ତି।
ଏହା ଦ୍ୱାରା ବାତ୍ରା ଏକ ବିରଳ ପ୍ରତିଷ୍ଠା ଲାଭ କରିଛନ୍ତି। ଏଭଳି ଗୌରବ ଅର୍ଜନ କରିବାରେ ସେ ପ୍ରଥମ ଭାରତୀୟ। ବାତ୍ରା ନିର୍ବାଚିତ ହେବା ଦ୍ୱାରା ଆଇଓସିରେ ସକ୍ରିୟ ଭାରତୀୟ ସଦସ୍ୟଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ରିଲାଏନ୍ସ ଫାଉଣ୍ଡେଶନ ଅଧ୍ୟକ୍ଷା ନୀତା ଅମ୍ବାନୀ ୨୦୧୬ରେ ଆଇଓସିର ଜଣେ ବ୍ୟକ୍ତିଗତ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମ୍ମାନଜନକ ଆସନ ହାସଲ କରିବାରେ ସେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ। ପୂର୍ବତନ ଆଇଓଏ ସାଧାରଣ ସମ୍ପାଦକ ରଣଧୀର ସିଂ ଆଇଓସିର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ପରେ ତାଙ୍କୁ ଜଣେ ଅବୈତିନକ ସଦସ୍ୟ ଭାବେ ଗ୍ରହଣ କରାଯାଇଛି।

Share