Categories: ଖେଳ

ଆଇଏସ୍‌ଏଲକୁ ଭାରତର ଶ୍ରେଷ୍ଠ ଲିଗ୍‌ ମାନ୍ୟତା

ନୂଆଦିଲ୍ଲୀ, ୨୭ା୧୦ (ପି.ଟି.)-ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ଶନିବାର ବିଧିବଦ୍ଧ ଭାବେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)କୁ ଦେଶର ଶ୍ରେଷ୍ଠ ଫୁଟ୍‌ବଲ ଲିଗ୍‌ର ମାନ୍ୟତା ପ୍ରଦାନ କରିଛି। ଏତଦ୍‌ ବ୍ୟତୀତ ୨୦୨୦-୨୧ ସିଜନ ଶେଷ ସୁଦ୍ଧା କେଉଁ ଦୁଇଟି ଆଲ-ଲିଗ୍‌ କ୍ଲବ ଆଇଏସ୍‌ଏଲ୍‌ରେ ସାମିଲ ହେବେ ତାହା ସୁପାରିସ କରିବା ଲାଗି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)କୁ କହିଛି। ଭିଏତ୍‌ନାମ୍‌ରେ ଅନୁଷ୍ଠିତ ଏକ ବୈଠକ ବେଳେ ଦେଶରେ ଫୁଟ୍‌ବଲ ଖେଳର ବିକାଶ ନିମନ୍ତେ ଏଆଇଏଫଏଫ୍‌ ଦ୍ୱାରା ପ୍ରସ୍ତାବିତ ଏକ ‘ରୋଡ୍‌ ମ୍ୟାପ୍‌’କୁ ଏଏଫ୍‌ସି କାର୍ଯ୍ୟନିର୍ବାହୀ କମିଟିର ଅନୁମୋଦନ ଲାଭ କରିଛି। ଭାରତୀୟ ଫୁଟ୍‌ବଲ ରୋଡ୍‌ମ୍ୟାପ ସମ୍ପର୍କରେ ସୂଚନା ଦେବାକୁ ଯାଇ ଏଏଫ୍‌ସି କହିଛି, ସିଜନ ୨୦୧୯-୨୦ରେ ଆଇଏସଏଲ ଭାରତୀୟ ଫୁଟ୍‌ବଲରେ ପ୍ରିମିୟର ଲିଗ୍‌ ପ୍ରତିଯୋଗିତାର ମାନ୍ୟତା ଲାଭ କରିବ। ୨୦୨୦-୨୧ ସିଜନରେ ଦୁଇଟି ଆଇ-ଲିଗ୍‌ କ୍ଲବ ଆଇଏସଏଲ୍‌ରେ ସାମିଲ ହେବେ। ଏଥିପାଇଁ ସ୍ବତନ୍ତ୍ର ମାନଦଣ୍ଡ ରହିବ। ଏଣିକି ବିଜୟୀ ଆଇଏସ୍‌ଏଲ କ୍ଲବ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ପ୍ଲେ-ଅଫ୍‌ ଏବଂ ଆଇ-ଲିଗ୍‌ ବିଜେତାକୁ ଏଏଫ୍‌ସି କପ୍‌ ପ୍ଲେ-ଅଫ୍‌ରେ ଖେଳିବା ଲାଗି ଅନୁମତି ଦେବ ଏସିଆନ ଫୁଟ୍‌ବଲ କନଫେଡେରେଶନ। ପୂର୍ବରୁ ଅକ୍ଟୋବର ୧୪ରେ କୁଆଲାଲମ୍ପୁରରେ ଏଏଫ୍‌ସିର ଏକ ବୈଠକ ବସିଥିଲା। ସେତେବେଳେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଆଇଏସ୍‌ଏଲ ଏବଂ ଆଇ-ଲିଗ୍‌ ସମେତ ଏଆଇଏଫ୍‌ଏଫ୍‌ ଏବଂ ଆଇଏମ୍‌ଜି ରିଲାଏନ୍ସ ପ୍ରତିନିଧିମାନେ ଯୋଗଦେଇଥିଲେ।

Share