ଅହମଦାବାଦରୁ ଫେରିଲା ଓଡ଼ିଆ ଶ୍ରମିକମାନଙ୍କ ମୃତଦେହ; ଓଡ଼ିଶା:ମୋ ପରିବାର ସଙ୍ଗଠନର ସହାୟତା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଗୁଜରାଟର ଅହମ୍ମଦାବାଦ ସହରରେ କାର୍ଯ୍ୟରତ ଯାଜପୁର ଜିଲାର ଜମାଦାର ଗ୍ରାମ ପଞ୍ଚାୟତର ରେକାବି ବଜାରର ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଉଛନ୍ତି- ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଏବଂ କମଲେଶ ସିଂ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ହେବା ପରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ପରିବାର ସଙ୍ଗଠନର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡକ୍ଟର ଗୋପବନ୍ଧୁ ଦାଶ ରାଜ୍ୟ ଶ୍ରମ କମିଶନରଙ୍କ ସହାୟତା ନେଇ ଉପରୋକ୍ତ ୩ ଶ୍ରମିକ କାର୍ଯ୍ୟ କରୁଥିବା ଲୋଟସ୍‌ କଟନ ମିଲ୍‌ ସହ ଯୋଗାଯୋଗ କରିଥିଲେ। ଉକ୍ତ ଶ୍ରମିକମାନଙ୍କ ପରିବାରକୁ ଯେପରି ମୃତ୍ୟୁକାଳୀନ ସହାୟତା ମିଳିପାରିବ, ସେ ନେଇ ଚେଷ୍ଟା କରିଥିଲେ। ଏହା ପରେ ୩ ଶ୍ରମିକଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ଜନ୍ମମାଟିକୁ ଆଣିବାକୁ ବିଧାୟକ ପ୍ରଣବ ପ୍ରକାଶ ଦାସ ସମସ୍ତ ସହାୟତା କରିଥିଲେ। ଏହାଦ୍ୱାରା ମୃତଶରୀର ସେମାନଙ୍କ ଜନ୍ମମାଟିରେ ପହଞ୍ଚିବା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇପାରିଥିଲା। ଏହି ସମସ୍ତ ପ୍ରକ୍ରିୟାରେ ସହଯୋଗ ପାଇଁ ସେମାନଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ମୋ ପରିବାର ସଙ୍ଗଠନ ପ୍ରତି କୃତଜ୍ଞତା ଜଣାଇଥିଲେ।