ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଳକର ମୃତ୍ୟୁ

କର୍ଲାମୁଣ୍ଡା, ୪ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଆଦର୍ଶ ବିଦ୍ୟାଳୟସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ରହୁଥିବା ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ୧୦ ଦିନ ତଳେ ତେଲେଙ୍ଗାନାରୁ ଉକ୍ତ ବାଳକ ଜଣକ ତାଙ୍କ ମାତାପିତଙ୍କ ସହ ଆସି ସେଠାରେ ରହୁଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ବାଳକ ସମେତ ଅନ୍ୟ ୪ ଅନ୍ତେବାସୀ ଜ୍ୱର ଓ ଝାଡାରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ତହସିଲଦାର ବାସନ୍ତୀ ସେଠୀ ଓ କର୍ଲାମୁଣ୍ଡା ସିଏଚ୍‌ସିର ମେଡିକାଲ ଟିମ୍‌ ସିଏମ୍‌ସିରେ ପହଞ୍ଚତ୍ଥିଲେ। ସେମାନଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଳକର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ମୃତଦେହ ଅଣାଯାଇ ରେଗଡାଠାରେ ଦାହ କରାଯାଇଥିଲା। ଶବଦାହ ସମୟରେ ବ୍ଲକ ଓ ତହସିଲ ପ୍ରଶାସନର ଅଧିକାରୀଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ। ତେବେ ମୃତକ ଜଣକ ଜୁନାଗଡ ଅଞ୍ଚଳର ହୋଇଥିବା ବେଳେ ମୃତଦେହ ନେବାକୁ ଜୁନାଗଡ ବ୍ଲକ ପ୍ରଶାସନ ମନା କରିବାରୁ ଏଠାରେ ସଂସ୍କାର କରାଯାଇଥିବା ତହସିଲଦାର ସେଠୀ ପ୍ରକାଶ କରିଛନ୍ତି।