Categories: ଖେଳ

ଅଷ୍ଟ୍ରେଲିଆ ଦଳକୁ ସ୍ମିଥ୍‌ଙ୍କ ପ୍ରତ୍ୟାବର୍ତ୍ତନ

ମାଞ୍ଚେଷ୍ଟର, ୩।୯ (ଏପି)- ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଆଶେସ ସିରିଜର ୪ର୍ଥ ମ୍ୟାଚ୍‌ ଆରମ୍ଭ ହେବ। ଏଥିଲାଗି ମଙ୍ଗଳବାର ୧୨ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଟପ୍‌ ଅର୍ଡର ଉସମାନ ଖ୍ବାଜା ଓ ଦ୍ରୁତ ବୋଲର ଜେମ୍ସ ପାଟିନସନ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଲଡର୍‌ସରେ ଅନୁଷ୍ଠିତ ସିରିଜର ୨ୟ ଟେଷ୍ଟରେ ଜୋଫ୍ରା ଆର୍ଚରଙ୍କ ଏକ ମାରାତ୍ମକ ବାଉନ୍ସର ସ୍ମିଥ୍‌ଙ୍କ ବେକରେ ବାଜିଥିଲା। ଗୁରୁତର ଆଘାତ ପାଇଥିବା ସ୍ମିଥ୍‌ ଏହାପରେ ଲିଡ୍ସରେ ଅନୁଷ୍ଠିତ ୩ୟ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ। ଅପରପକ୍ଷରେ ସିରିଜରେ ବର୍ତ୍ତମାନ ସୁଦ୍ଧା ୨୦.୩୩ ଆଭରେଜରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିବା ଖ୍ବାଜାଙ୍କୁ ଏହି ମ୍ୟାଚ୍‌ରୁ ବାହାରେ ବସିବାକୁ ପଡ଼ିଛି। ମାର୍ନସ ଲାବୁଶ୍ଚାନେ ତାଙ୍କ ସ୍ଥାନରେ ୩ୟ ନମ୍ବରରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ସେହିଭଳି ସ୍ମିଥ୍‌ ୪ ନମ୍ବର ସ୍ଥାନରେ ପୂର୍ବଭଳି ବ୍ୟାଟିଂ କରିବାକୁ ଆସିବେ। ଉଲ୍ଲେଖନୀୟ ଘଟଣାକ୍ରମେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ଦଳରେ ସାମିଲ କରାଯାଇଛି। ଫଳରେ ସେ ସିରିଜରେ ପ୍ରଥମଥର ଲାଗି ଖେଳିବାର ସମ୍ଭାବନା ରହିଛି। ମ୍ୟାଚ୍‌ ଆରମ୍ଭର କିଛି ସମୟ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରାଯିବ ବୋଲି ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ସିରିଜର ପ୍ରଥମ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୨୫୧ ରନରେ ଜିତିଥିଲା। ସେହିଭଳି ଦ୍ୱିତୀୟ ମ୍ୟାଚ୍‌ ଡ୍ର ରହିଥିବାବେଳେ ୩ୟ ମ୍ୟାଚ୍‌କୁ ଅବିଶ୍ୱସନୀୟ ଭାବେ ଗୋଟିଏ ଉଇକେଟ୍‌ରେ ଜିତି ଇଂଲଣ୍ଡ ସିରିଜକୁ ୧-୧ର ସମାନସ୍ତରକୁ ଆଣିବାରେ ସଫଳ ହୋଇଥିଲା।
ଅଷ୍ଟ୍ରେଲିଆ ଦଳ: ଡେଭିଡ୍‌ ଓ୍ବାର୍ନର, ମାର୍କସ ହାରିସ, ମାର୍ନସ ଲାବୁଶ୍ଚାନେ, ଷ୍ଟିଭ ସ୍ମିଥ୍‌, ଟ୍ରାଭିସ ହେଡ୍‌, ମାଟ୍ଟ ଓ୍ବାଡେ, ଟିମ୍‌ ପାଇନ୍‌ (ଅଧିନାୟକ), ପ୍ୟାଟ୍‌ କୁମିନ୍ସ, ପିଟର୍‌ ସିଡ୍‌ଲେ, ମିଚେଲ ଷ୍ଟାର୍କ, ନାଥନ ଲିୟନ ଓ ଜୋଶ୍‌ ହାଜେଲଉଡ୍‌।

Share