Categories: ଖେଳ

ଅଷ୍ଟ୍ରେଲିଆର ବିଜୟ ଅଭିଯାନ

ବ୍ରିଷ୍ଟଲ, ୨।୬- ଆଇସିସି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ଏଠାରେ ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏକପାଖିଆ ଭାବେ ୭ ଉଇକେଟ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୮.୨ ଓଭରରେ ୨୦୭ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଆଫଗାନିସ୍ତାନର ଦୁଇ ଓପନର ମହମ୍ମଦ ଶେହଜାଦ ଓ ହଜରତ୍‌ଉଲ୍ଲା ଜାଜାଇ ଖାତା ଖୋଲି ନ ପାରି ଆଉଟ୍‌ ହୋଇଥିଲେ। ତେବେ ମଧ୍ୟକ୍ରମରେ ରହମତ୍‌ ଶାହ (୪୩), ଅଧିନାୟକ ଗୁଲାବଦିନ ନାଇବ (୩୧), ନଜିବୁଲ୍ଲା ଜର୍ଡାନ (୫୧) ଓ ରଶିଦ୍‌ ଖାଁ (୨୭ ରନ, ୧୧ ବଲ)ଙ୍କ ଦ୍ରୁତ ଇନିଂସ ଯୋଗୁ ଏକ ସମ୍ମାନଜନକ ସ୍କୋର ଠିଆ କରିପାରିଥିଲା। ସଫଳ ବୋଲରଭାବେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କୁମିନ୍ସ ଓ ଆଡାମ ଜାମ୍ପା ୩ଟି ଲେଖାଏ, ମାର୍କସ ଷ୍ଟୋଇନିସ ୨ ଓ ମିଚେଲ ଷ୍ଟାର୍କ ଗୋଟିଏ ଉଇକେଟ୍‌ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୩୪.୫ ଓଭରରେ ୩ଟି ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଡେଭିଡ୍‌ ଓ୍ବାର୍ନର ୮୯ ରନ (୧୧୪ ବଲ୍‌, ୮ ଚୌକା) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ୬୬, ଉସମାନ ଖ୍ବାଜା ୧୫, ଷ୍ଟିଭ ସ୍ମିଥ୍‌ ୧୮ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୪* ରନ କରିଥିଲେ। ବିଜୟ ସହ ଅଷ୍ଟ୍ରେଲିଆ ୨ ପଏଣ୍ଟ ପାଇଛି।

Share