Categories: ଖେଳ

ଅଷ୍ଟ୍ରେଲିଆନ ଓପନ୍‌:ସିନ୍ଧୁ, ସମୀରଙ୍କ ବିଜୟ ଅଭିଯାନ

ସିଡ୍‌ନୀ,୫।୬(ପିଟି)- ଭାରତୀୟ ଷ୍ଟାର ଶଟ୍‌ଲର ପି.ଭି. ସିନ୍ଧୁ ଓ ସମୀର ବର୍ମା ଏଠାରେ ଚାଲିଥିବା ଦେଢ଼ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଅଷ୍ଟ୍ରେଲିଆ ଓପନ୍‌ ଓ୍ବାଲର୍‌ଡ ଟୁର୍‌ ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଅଲିମ୍ପିକ୍‌ ତଥା ୨୦୧୭ ଓ ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକଧାରୀ ସିନ୍ଧୁ ୨୧-୧୪, ୨୧-୯ ଗେମ୍‌ରେ ଇଣ୍ଡୋନେସିଆର ଚୋଇରୁନ୍ନିସାଙ୍କୁ ଏକତରଫା ମ୍ୟାଚ୍‌ରେ ହରାଇ ଦେଇଛନ୍ତି। ବିଶ୍ୱର ଏହି ୫ମ ର଼୍ୟାଙ୍କ୍‌ ଖେଳାଳି ପରବର୍ତ୍ତୀ ମ୍ୟାଚ୍‌ରେ ଥାଇଲାଣ୍ଡର ନିଚାନ ଜିନ୍ଦପଲଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ୬ଷ୍ଠ ସିଡ୍‌ ସମୀର ୨୧-୧୫, ୧୬-୨୧, ୨୧-୧୨ ବ୍ୟବଧାନରେ ମାଲେସିଆର ଜି.ଲି. ଜିଆଙ୍କୁ ହରାଇ ପ୍ରତିଶୋଧ ନେଇଛନ୍ତି। ସମାନ ଖେଳାଳିଙ୍କଠାରୁ ସୁଦିରମାନ କପ୍‌ରେ ଭାରତୀୟ ଖେଳାଳି ପରାସ୍ତ ହୋଇଥିଲେ। ୨୫ ବର୍ଷୀୟ ସମୀର ଦ୍ୱିତୀୟ ରାଉଣ୍ଡରେ ଚାଇନିଜ୍‌ ତାଇପେର ଓ୍ବାଙ୍ଗ ଜୁ ଓ୍ବେଇଙ୍କ ସହ ମୁକାବିଲା କରିବେ। ପୂର୍ବତନ ସିଙ୍ଗାପୁର ଓପନ ଚାମ୍ପିୟନ ବି. ସାଇ ପ୍ରଣୀଥ କୋରିଆର ଲି ଡଙ୍ଗ କେଉନଙ୍କୁ ୨୧-୧୬, ୨୧-୧୪ ଗେମ୍‌ରେ ହରାଇ ଦେଇଛନ୍ତି। ସେ ଦ୍ୱିତୀୟ ସିଡ୍‌ ଆନ୍ଥୋନୀ ସିନିସୁକା ଗିଣ୍ଟିଂଙ୍କ ସହ ମୁକାବିଲା କରିବେ।

Share