Categories: ଖେଳ

ଅଷ୍ଟ୍ରେଲିଆକୁ ହରାଇଲା ଦକ୍ଷିଣ ଆଫ୍ରିକା

ପାର୍ଲ (ଦକ୍ଷିଣ ଆଫ୍ରିକା), ୧ା୩ (ଏଏଫ୍‌ପି)-ସ୍ଥାନୀୟ ବୋଲାଣ୍ଡ ପାର୍କଠାରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭୪ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୯୨ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୫.୧ ଓଭରରେ ୨୧୭ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ସର୍ବାଧିକ ୭୬ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ଲୁଙ୍ଗି ଏନ୍‌ଗିଡି ୩ ଏବଂ ଏନରିଜ୍‌ ନୋର୍ଜେ ଓ ଟାବ୍ରେଜ୍‌ ସାମ୍‌ସୀ ୨ଟି ଲେଖାଏଁ ଉଇକେଟ ହାସଲ କରିଥିଲେ।
ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ହେନ୍‌ରିଚ୍‌ କ୍ଳାସେନଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ (୧୨୩*)ସହାୟତାରେ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୨୯୧ ରନ କରିଥିଲା। ଘରୋଇ ଦଳ ଏକଦା ୪୮ ରନରେ ୩ ଉଇକେଟ ହରାଇ ବିପର୍ଯ୍ୟୟରେ ପଡ଼ିଥିବା ବେଳେ କ୍ଳାସେନ ବ୍ୟାଟିଂ କରିବାକୁ ଆସିଥିଲେ। ସେ କାଇଲ ଭରେନି(୪୮)ଙ୍କ ସହିତ ଚତୁର୍ଥ ଉଇକେଟରେ ୭୮ ରନର ଭାଗୀଦାରି କରିଥିଲେ। ପରେ ୫ମ ଉଇକେଟରେ ସେ ଡେଭିଡ୍‌ ମିଲର (୬୪)ଙ୍କ ସହ ୧୪୯ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ୍‌ କରିଥିଲେ। ଏହା ପୂର୍ବରୁ କ୍ଲାସେନଙ୍କ ସର୍ବୋଚ୍ଚ ସ୍କୋର ୫୯ ଥିଲା। ସେ ତାଙ୍କ ୧୨୩ ରନର ଅପରାଜିତ ଇନିଂସରେ ୧୧୪ ବଲ୍‌ର ସାମ୍‌ନା କରି ୭ ଚୌକା ଓ ୩ ଛକା ଲଗାଇଥିଲେ। ଦଳର ଅବଶିଷ୍ଟ ବ୍ୟାଟ୍ସମ୍ୟାନ ୧୦ ଚୌକା ଓ ଗୋଟିଏ ଛକା ଲଗାଇଥିଲେ।

ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା : ୧୦ ଓଭରରେ ୨୯୧/୭ (କ୍ଳାସେନ-୧୨୩*, ଡେଭିଡ୍‌ ମିଲର-୬୪, ଭରେନି-୪୮; ପ୍ୟାଟ କୁମିନ୍ସ-୩/୪୫, ମିଚେଲ ଷ୍ଟାର୍କ-୨/୫୯)।
ଅଷ୍ଟ୍ରେଲିଆ:୪୫.୧ ଓଭରରେ ୨୧୭/ଅଲଆଉଟ (ଷ୍ଟିଭେନ ସ୍ମିଥ-୭୬, ମାର୍ନସ ଲାବୁସାନେ-୪୧; ଲୁଙ୍ଗି ଏନ୍‌ଗିଡ଼ି-୩/୩୦, ଏନରିଜ୍‌ ନୋର୍ଜେ-୨/୩୯ ,ଟାବ୍ରେଜ୍‌ ସାମ୍‌ସୀ-୪୫)।

Share