Categories: ଖେଳ

ଅଶ୍ୱିନଙ୍କ ପ୍ରତି ମୁଁ ଈର୍ଷାନ୍ବିତ ନୁହେଁ

ନୂଆଦିଲ୍ଲୀ, ୬ା୫ (ପି.ଟି.)-ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତି ମୋର ଈର୍ଷା ରହିଛି ବୋଲି କିଛି ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତାହା ଠିକ୍‌ ନୁହେଁ ବୋଲି କହିଛନ୍ତି, ଭାରତର ଭେଟେରାନ ସ୍ପିନର ହରଭଜନ ସିିଂ। ଅଶ୍ୱିନ ହରଭଜନଙ୍କ ସ୍ଥାନରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଅଷ୍ଟ୍ରେଲିଆର ନାଥାନ ଲିଅନ ଓ ସେ ବିଶ୍ୱର ଶ୍ରେଷ୍ଠ ଅଫ୍‌-ସ୍ପିନର ଭାବେ ପରିଗଣିତ ହେଉଛନ୍ତି। ହରଭଜନ ଏପର୍ଯ୍ୟନ୍ତ ଅବସର ନେଇ ନାହାନ୍ତି। ଶେଷ ଥର ପାଇଁ ସେ ୨୦୧୬ରେ ଭାରତ ତରଫରୁ ଖେଳିଥିଲେ। ୩୯ ବର୍ଷୀୟ ଏହି କ୍ରିକେଟର ୧୦୩ ଟେଷ୍ଟ ଖେଳିସାରିଛନ୍ତି। ଫାଇନାଲ ଗେମ୍‌ ସେ ୨୦୧୫ରେ ଖେଳିଥିଲେ। ଅନ୍ୟପକ୍ଷରେ ଅଶ୍ୱିନ ୨୦୧୧ରେ ପଦାର୍ପଣ ପରଠାରୁ ୭୧ ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଅଶ୍ୱିନଙ୍କ ସହିତ ଏକ ଲାଇଭ୍‌ ଚାଟ୍‌ ବେଳେ ହରଭଜନ କହିଛନ୍ତି, ତାମିଲନାଡୁ ବୋଲରଙ୍କ ପ୍ରତି ମୋ ମନରେ ଈର୍ଷା ଭାବ ରହିଛି। ଏହି ପ୍ରସଙ୍ଗକୁ କିଛି ଲୋକ ମୋ ନାମରେ ନାନା କଥା କହିଥାଇ ପାରନ୍ତି ହେଲେ ମୋର ସେଥିରେ କୌଣସି ଫରକ ପଡ଼ୁ ନାହିଁ। ବର୍ତ୍ତମାନର ଖେଳାଳିଙ୍କ ମଧ୍ୟରେ କିନ୍ତୁ ଅଶ୍ୱିନ ଶ୍ରେଷ୍ଠ ଅଫ୍‌ ସ୍ପିନର। ନାଥାନ ଲିଅନଙ୍କୁ ମଧ୍ୟ ମୁଁ ପସନ୍ଦ କରେ। କାରଣ ଅଷ୍ଟ୍ରେଲିଆ ପିଚ୍‌ ସ୍ପିନରମାନଙ୍କୁ ସୁହାଇ ନ ଥାଏ। ସେ ଦେଶରେ ସ୍ପିନ୍‌ ବୋଲିଂ କରିବା ସହଜ ହୋଇ ନ ଥାଏ। ଅଶ୍ୱିନ ଆଗକୁ ଅଧିକରୁ ଅଧିକ ଉଇକେଟ ନେଇ ଜଣେ କିମ୍ବଦନ୍ତୀ ଖେଳାଳି ଭାବେ ନିଜକୁ ପ୍ରତଷ୍ଠିତ କରନ୍ତୁ ବୋଲି ମୁଁ ଶୁଭ କାମନା କରୁଛି।

Share