Categories: ଖେଳ

ଅଶ୍ୱିନଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ନଟ୍ଟିଂହାମ୍‌ଶାୟର ପରାସ୍ତ

ଟ୍ରେଣ୍ଟବ୍ରିଜ, ୧୬।୭- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ଏଠାରେ ଅନୁଷ୍ଠିତ କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ-୧’ର ଏକ ମ୍ୟାଚ୍‌ରେ ନଟ୍ଟିଂହାମଶାୟର ୧୬୭ ରନରେ ସରେ ନିକଟରୁ ପରାସ୍ତ ହୋଇଛି। ନଟ୍ଟିଂହାମ୍‌ଶାୟର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ୩୨ ବର୍ଷୀୟ ଅଶ୍ୱିନ ମ୍ୟାଚ୍‌ରେ ମୋଟ୍‌ ୧୨ ଉଇକେଟ୍‌ ସହ ୯୩ ରନ ସଂଗ୍ରହ କରିଥିଲେ ମଧ୍ୟ ତାହା ବୃଥା ଯାଇଥିଲା।
ସ୍ଥାନୀୟ ନଟ୍ଟିଂହାମ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ସରେ ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଶ୍ୱିନ ୬୯ ରନରେ ୬ ଉଇକେଟ୍‌ ସଫଳତା ପାଇଥିଲେ। ଜବାବରେ ନଟ୍ଟିଂହାମଶାୟର ଅମର ଭିରଡି (୮/୬୧)ଙ୍କ ବୋଲିଂକୁ ସାମ୍ନା କରି ନ ପାରି ପ୍ରଥମ ଇନିଂସରେ ମାତ୍ର ୧୧୬ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଶ୍ୱିନ ଦଳ ପକ୍ଷରୁ ସର୍ବାଧିକ ୨୭ ରନ କରିଥିଲେ। ୧୨୪ ରନରେ ଆଗରେ ଥାଇ ୨ୟ ଇନିଂସରେ ସରେ ୨୨୪ ରନ କରି ସମସ୍ତ ଉଇକେଟ୍‌ ହରାଇଥିଲା। ପ୍ରଥମ ଇନିଂସ ଭଳି ଏଥିରେ ମଧ୍ୟ ଅଶ୍ୱିନ ୬ ଉଇକେଟ୍‌ ନେଇଥିଲେ। ଫଳରେ ନଟ୍ଟିଂହାମଶାୟର ସମ୍ମୁଖରେ ୩୪୯ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ନଟ୍ଟିଂହାମଶାୟର କିନ୍ତୁ ଅଶ୍ୱିନଙ୍କ ଅପରାଜିତ ୬୬ ରନ ସତ୍ତ୍ୱେ ୧୮୧ ରନରେ ସୀମିତ ରହିଥିଲା। କାଉଣ୍ଟି ଚାମ୍ପିୟନଶିପ୍‌ରେ ଚଳିତ ସିଜନରେ ଏହି ଭାରତୀୟ ଅଫ୍‌ସ୍ପିନର ୩ ମ୍ୟାଚ୍‌ ଖେଳି ମୋଟ୍‌ ୨୩ ଉଇକେଟ୍‌ ନେବା ସହ ୧୯୭ ରନ ସଂଗ୍ରହ କରି ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ମାସରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉଥିବାରୁ ଏହି ପ୍ରଦର୍ଶନ ତାଙ୍କୁ ଚୟନରେ ସହାୟତା କରିବାର ସମ୍ଭାବନା ରହିଛି।

Share