Categories: ଖେଳ

ଅଶ୍ୱାରୋହୀ ମିର୍ଜାଙ୍କୁ ଐତିହାସିକ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୨୪।୧୧- ଅଶ୍ୱ ଚାଳନାରେ ଦୁଇଥର ଏସୀୟ ପଦକ ବିଜେତା ଫଓ୍ବାଦ ମିର୍ଜା ୨୦୨୦ ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଦୀର୍ଘ ୨୦ ବର୍ଷ ଅପେକ୍ଷାର ଅନ୍ତପରେ ଭାରତୀୟ ଅଶ୍ୱାରୋହୀ ଭାବେ ୨୭ ବର୍ଷୀୟ ମିର୍ଜା କ୍ରୀଡ଼ାର ସର୍ବୋଚ୍ଚ ପ୍ରତିଯୋଗିତାକୁ ଟିକେଟ୍‌ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ୟୁରୋପୀୟ ଷ୍ଟେଜ୍‌ ସମାପ୍ତ ହେବାପରେ ଫଓ୍ବାଦ ସାଉଥ୍‌ ଇଷ୍ଟ ଏସିଆ ଓ ଓସନିଆ ଗ୍ରୁପ୍‌-ଜି’ର ବ୍ୟକ୍ତିଗତ ଇଭେଣ୍ଟରେ ଶୀର୍ଷ ସ୍ଥାନରେ ରହିଥିଲେ। ଅର୍ଜୁନ ପୁରସ୍କାର ବିଜେତା ମିର୍ଜା ୬ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରୁ ମୋଟ୍‌ ୬୪ ପଏଣ୍ଟ ହାସଲ କରିଛନ୍ତି। ତେବେ ଅନ୍ତର୍ଜାତୀୟ ଅଶ୍ୱଚାଳନା ଫେଡେରଶନ (ଏଫ୍‌ଇଆଇ) ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଫେବୃୟାରୀ ୨୦ରେ ଘୋଷଣା ହେବ। ପୂର୍ବରୁ କେବଳ ୨ଜଣ ଭାରତୀୟ ଅଶ୍ୱାରୋହୀ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିଥିଲେ। ୧୯୯୬ରେ ସ୍ବର୍ଗତ ଓ୍ବିଙ୍ଗ୍‌ କମାଣ୍ଡର ଆଇଜେ ଲାମ୍ବା ଓ ୨୦୦୦ ମସିହାରେ ଇମତିଆଜ ଆନିସ ଯଥାକ୍ରମେ ଆଟଲାଣ୍ଟ ଓ ସିଡ୍‌ନୀ ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ।

Share