Categories: ଖେଳ

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ୨୪ରୁ

ଭୁବନେଶ୍ୱର, ୨୨ା୧ (ସ୍ପୋର୍ଟ୍ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ୭ମ ଅଲ୍‌ ଓଡ଼ିଶା ଓପନ ଟେନିସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ମୋଟ ୧,୬୦,୦୦୦ ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି। ମଙ୍ଗଳବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆୟୋଜକ ଏସିଇ ଟେନିସ କ୍ଲବ ତରଫରୁ ଏହି ସୂଚନା ଦିଆଯାଇଛି। ଏଥିରେ ପୁରୁଷ ଓପନ ସିଙ୍ଗଲ୍ସ, ପୁରୁଷ ଓପନ ଡବଲ୍ସ, ମହିଳା ସିଙ୍ଗଲ୍ସ, ପୁରୁଷ ଭେଟେରାନ (୪୦ବର୍ଷରୁ ଅଧିକ) ଡବଲ୍ସ, ପୁରୁଷ ଭେଟେରାନ (୫୦ବର୍ଷରୁ ଅଧିକ) ଡବଲ୍ସ, ପୁରୁଷ ଭେଟେରାନ (୬୦ ବର୍ଷରୁ ଅଧିକ) ଡବଲ୍ସ ପ୍ରତିଯୋଗିତା ହେବ। ଏହାଛଡ଼ା ୧୪ ବର୍ଷରୁ କମ୍‌ ବାଳିକା ଏବଂ ୧୪ ବର୍ଷରୁ କମ୍‌ ବାଳକ ପ୍ରତିଯୋଗିତା ହେବ, ଯାହାକୁ ଏଆଇଟିଏ କାଟେଗୋରିରେ ସାମିଲ କରାଯାଇଛି। ସମସ୍ତ ଭେଟେରାନ ମ୍ୟାଚଗୁଡ଼ିକ କ୍ଲେ କୋର୍ଟରେ ଖେଳାଯିବାକୁ ଥିବାବେଳେ ଅବଶିଷ୍ଟ ମ୍ୟାଚଗୁଡ଼ିକ ସିନ୍ଥେଟିକ୍‌ କିମ୍ବା କ୍ଲେ କୋର୍ଟରେ ଖେଳାଯିବ। ସର୍ବଭାରତୀୟ ଟେନିସ ଆସୋସିଏଶନ(ଏଆଇଟିଏ)ର ନିୟମ ଓ ଆଚରଣବିଧିକୁ ଏହି ଟୁର୍ନାମେଣ୍ଟରେ ଲାଗୁ କରାଯିବ। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏଣ୍ଟ୍ରି ଫି’ ଦାଖଲ କରିବାକୁ ହେବ। ପୁରୁଷ ଓପନ ସିଙ୍ଗଲ୍ସ ପାଇଁ ଏଣ୍ଟ୍ରି ଫି ୪୦୦ ଟଙ୍କା ରଖାଯାଇଥିବାବେଳେ ୧୦,୦୦୦ ଟଙ୍କା ପୁରସ୍କାର ବ୍ୟବସ୍ଥା ରହିଛି। ପୁରୁଷ ଓପନ ଡବଲ୍ସ ପାଇଁ ଏଣ୍ଟ୍ରି ଫି ୫୦୦ ଟଙ୍କା ଏବଂ ପୁରସ୍କାର ୧୦,୦୦୦ ଟଙ୍କା ରଖାଯାଇଛି। ମହିଳା ସିଙ୍ଗଲ୍ସ ପାଇଁ ଏଣ୍ଟ୍ରି ଫି’ ୩୦୦ ଟଙ୍କା ରହିଥିବାବେଳେ ୧୦,୦୦୦ ଟଙ୍କା ପୁରସ୍କାର ବ୍ୟବସ୍ଥା ରହିଛି। ୧୪ବର୍ଷରୁ କମ୍‌ ବାଳିକା ଏବଂ ବାଳକ ଏଆଇଟିଏ କାଟେଗୋରି ପାଇଁ ଏଣ୍ଟ୍ରି ଫି’ ୪୦୦ରୁ ୪୫୦ଟଙ୍କା ରଖାଯାଇଛି। ଏହି କାଟେଗୋରିରେ ସେମିଫାଇନାଲିଷ୍ଟଙ୍କ ଲାଗି ୨୦୦୦ ଟଙ୍କା ଏବଂ ଚାମ୍ପିୟନ ଓ ରନର୍ସ ଅପ୍‌ଙ୍କ ଲାଗି ଯଥାକ୍ରମେ ୫୦୦୦ ଟଙ୍କା ଓ ୩୦୦୦ ଟଙ୍କା ରଖାଯାଇଛି। ଏତଦ୍‌ବ୍ୟତୀତ ସମସ୍ତ ଭେଟେରାନ କାଟେଗୋରି ଲାଗି ଏଣ୍ଟ୍ରି ଫି ୫୦୦ ଟଙ୍କା ରହିଥିବାବେଳେ ୧୦,୦୦୦ ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି। ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ଲବର ସଭାପତି ପ୍ରକାଶ ଚାନ୍ଦ ଭୁରା, ଅର୍ଗାନାଇଜିଂ ଚେୟାରମ୍ୟାନ ବିଶ୍ୱଜିତ୍‌ ମିଶ୍ର, ଯୁଗ୍ମ ସମ୍ପାଦକ ଗୌରବ ଦାସଙ୍କ ବ୍ୟତୀତ ରିତେଶ ରୟ, ଧୀରଜ ପଣ୍ଡା ଓ ଦୀପକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share