Categories: ଖେଳ

ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: କ୍ୱାର୍ଟର ଫାଇନାଲରେ ଆଶୁତୋଷ

ଚେନ୍ନାଇ, ୩।୮(ପି.ଟି.)-
ଏଠାରେ ଚାଲିଥିବା କ୍ୟୁ-ଲଙ୍ଗ୍‌ ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶା କ୍ୟୁ ସ୍ପୋଟର୍‌ସ ତାରକା ଆଶୁତୋଷ ପାଢ଼ୀଙ୍କ ଆକର୍ଷଣୀୟ ପ୍ରଦର୍ଶନ ଅବ୍ୟାହତ ରହିଛି। ଶୁକ୍ରବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ଏହି ଓଡ଼ିଆ ଖେଳାଳି ଜାତୀୟ ଜୁନିୟରର ୨ ନମ୍ବର ର଼୍ୟାଙ୍କ୍‌ରେ ଥିବା ମହାରାଷ୍ଟ୍ରର କ୍ରିଶ୍‌ ଗୁରବକ୍ସାନିଙ୍କୁ ୪-୨ ଫ୍ରେମ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ଗେମ୍‌କୁ ୨୮-୯୯ରେ ହାରିଥିଲେ ହେଁ ଏକାଗ୍ରତା ନ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଆଶୁତୋଷ। ଦ୍ୱିତୀୟ ଓ ତୃତୀୟ ଗେମ୍‌ରେ ସେ ଯଥାକ୍ରମେ ୭୦-୧୫, ୭୭-୦ରେ ଜିତି ଅଗ୍ରଣୀ ହାସଲ କରିଥିଲେ। ଗୁରବକ୍ସାନି ୪ର୍ଥ ଗେମ୍‌କୁ ୬୦-୨୦ରେ ଜିତି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ ହେଁ ଅଭିଜ୍ଞତାର ଉପଯୋଗ କରି ଆଶୁତୋଷ ପରବର୍ତ୍ତୀ ୨ ଗେମ୍‌କୁ ଯଥାକ୍ରମେ ୭୪-୭୨ ଓ ୬୨-୨୩ ପଏଣ୍ଟରେ ଜିତି ମ୍ୟାଚ୍‌ ବିଜୟୀ ହୋଇଥିଲେ। କ୍ୱାର୍ଟର ଫାଇନାଲରେ ଏହି ଓଡ଼ିଶା ଖେଳାଳି ଲକ୍ଷ୍ମଣ ରାଓ୍ବତଙ୍କୁ ଭେଟିବେ। ରାଓ୍ବତ ପ୍ରି-କ୍ୱାର୍ଟର ଫାଇନାଲରେ ୪-୦ ଫ୍ରେମ୍‌ରେ ହରି ରାଜାମଣିଙ୍କୁ ପରାସ୍ତ କରିଥିଲେ। ଅନ୍ୟ ୩ଟି କ୍ୱାର୍ଟର ଫାଇନାଲ ରାଫାତ ହବିବ-ପଣ୍ଡୁରଙ୍ଗିଆ, ଗିରିଶ-ବରୁଣ କୁମାର, ଦିଲୀପ କୁମାର-ଯୋଗେଶ କୁମାରଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରି-କ୍ୱାର୍ଟରରେ ବରୁଣ ୪-୨ରେ ଅନୁଜ ଉପ୍ପଲ, ପଣ୍ଡୁରଙ୍ଗିଆ ୪-୨ରେ ଦକ୍ଷ ରେଡ୍ଡୀ, ଦିଲୀପ କୁମାର ୪-୨ରେ ନିଖିଲ, ଗିରିଶ ୪-୨ରେ ବିଜୟ ନିଚାନି ଏବଂ ଯୋଗେଶ ୪-୦ ଫ୍ରେମ୍‌ରେ ପିଟର ପଲ୍‌ଙ୍କୁ ପରାସ୍ତ କରିଥିଲେ।

Share