Categories: ଖେଳ

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ଓହରିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୬ା୩ (ପି.ଟି.)-କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଭାରତର କେତେଜଣ ବ୍ୟାଡମିଣ୍ଟନ ଖେଳାଳି ଆସନ୍ତା ସପ୍ତାହରେ ହେବାକୁଥିବା ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରୁ ଓହରିଯାଇଛି। ମାର୍ଚ୍ଚ ୧୧ରୁ ଆରମ୍ଭ ହେବାକୁଥିବା ସମ୍ମାନଜନକ ପ୍ରତିଯୋଗିତା ସିଜନର ପ୍ରଥମ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟ। ଏହାକୁ ଟୋକିଓ ଅଲିମ୍ପିକ୍ସ ୨୦୨୦ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଭାବେ ବିବେଚନା କରାଯାଏ। ଭାରତୀୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ବାଇ)ର ସମ୍ପାଦକ ଅଜୟ ସିଂଘାଣିଆଙ୍କ ସୂଚନା ଅନୁସାରେ ଟପ୍‌ ଡବଲ୍ସ ଯୋଡ଼ି ଚିରାଗ ଶେଟ୍ଟି ଓ ସାତ୍ତ୍ମିକ ସାଇରାଜ ରାଙ୍କିରେଡ୍ଡୀ, ମନୁ ଅତ୍ରୀ ଓ ବି. ସୁମିତ ରେଡ୍ଡୀ, ଏଚ୍‌.ଏସ. ପ୍ରଣୟ, ସମୀର ବର୍ମା ଏବଂ ସୌରଭ ବର୍ମା ପ୍ରମୁଖ ଏହି ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ତେବେ ସାଇନା ନେହ୍ବାଲ, ପି. ଭି. ସିନ୍ଧୁ, କିଡାମ୍ବି ଶ୍ରୀକାନ୍ତ, ଅଶ୍ୱିନ ପୋନ୍ନାପ୍ପା ଓ ଏନ. ସିକ୍କି ରେଡ୍ଡୀ ଏବଂ ପ୍ରଣବ ଜେରି ଚୋପ୍ରା ପ୍ରମୁଖ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ, କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଇତିମଧ୍ୟରେ ସମଗ୍ର ବିଶ୍ୱରେ ୩,୧୦୦ ଲୋକ ମୃତ୍ୟୁ ବରଣ କରିସାରିଥିବାବେଳେ ୯୧,୦୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି।

Share