ଅଲୌକିକ ଦେବତା

ଡ. ତ୍ରିନାଥ ପଟ୍ଟନାୟକ
ଓଡ଼ିଆ ଜାତି ଓ ଉତ୍କଳୀୟ ସଂସ୍କୃତିର ଚିର ନମସ୍ୟ ଶ୍ରୀଜଗନ୍ନାଥ। କଳିଙ୍ଗ ସାଗର ଉପକୂଳରେ ଅବସ୍ଥିତ ନୀଳଶୈଳ ଉପରେ ଶ୍ରୀଜଗନ୍ନାଥଙ୍କ ସୁଦୃଶ୍ୟ ମନ୍ଦିର ପ୍ରତିଷ୍ଠିତ। ଏଠାରେ ଦେବତା ବଡ ଠାକୁର। ମନ୍ଦିର ଶ୍ରୀମନ୍ଦିର। କ୍ଷେତ୍ର ଶ୍ରୀକ୍ଷେତ୍ର ରୂପେ ପରିଚିତ।
ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ସମସ୍ତ ତତ୍ତ୍ୱ ଉଦ୍‌ଘାଟନ କରିବା ଶକ୍ତି କାହାରି ପାଖରେ ନାହିଁ। ବିଭିନ୍ନ ଶ୍ରୁତିରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ବିଷୟରେ ମାତ୍ର ଗୋଟିଏ ପଦ କୁହାଯାଇଛି-ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ ଦେବାଃ ନ ଜାନନ୍ତି କୁତୋ ମନୁଷ୍ୟାଃ? ଯେଉଁ ପୁରୁଷୋତ୍ତମଙ୍କର ରହସ୍ୟ ଦେବତାମାନେ ଜାଣିନାହାନ୍ତି, ମନୁଷ୍ୟ କି ଛାର!
ଦର୍ଶନ ଶାସ୍ତ୍ରରେ ‘ପୁରୁଷ’ ଶବ୍ଦ ପରମାତ୍ମା ଅର୍ଥରେ ପ୍ରୟୋଗ କରାଯାଇଛି। ଋକ୍‌ବେଦ ସେହି ପୁରୁଷଙ୍କ କଥା ପୁରୁଷ ସୂକ୍ତରେ ପ୍ରତିପାଦନ କରିବାକୁ ଯାଇ କହିଛନ୍ତି- ସେ ପୁରୁଷଙ୍କର ସହସ୍ର ଶୀର୍ଷ, ସହସ୍ତ୍ରାକ୍ଷ, ସହସ୍ତ୍ରପାଦ ଇତ୍ୟାଦି ରହିଛି। ସେହି ପୁରୁଷ ହିଁ ଶ୍ରୀଜଗନ୍ନାଥ, ଯିଏ କି ସମଗ୍ର ଜଗତର ନାଥ। ଗୌତମ ବୁଦ୍ଧଙ୍କୁ ମଧ୍ୟ ଜଗନ୍ନାଥ ବୋଲି କୁହାଯାଇଛି। ମାତ୍ର ଏଠାରେ କେବଳ ଜଗତ ରୂପ ପୁରୁଷ ହେଉଛନ୍ତି ଶ୍ରୀଜଗନ୍ନାଥ। ଜଗତ ହେଉଛି ଉପାସ୍ୟ ପୁରୁଷ। ଜୈନମାନେ ମଧ୍ୟ ସେମାନଙ୍କ ଉପାସ୍ୟ ପୁରୁଷଙ୍କୁ ନାଥ ବୋଲି କୁହନ୍ତି। ବୌଦ୍ଧ ଓ ଜୈନ ଧର୍ମର ଛାୟା ମଧ୍ୟ ଜଗନ୍ନାଥ ଧର୍ମ ଉପରେ ପଡିଥିବା କଥା ବହୁ ପଣ୍ଡିତ କହୁଛନ୍ତି। ମାତ୍ର ଜଗନ୍ନାଥ ଧର୍ମର ଲକ୍ଷ୍ୟ ହେଉଛି ବିଶ୍ୱମୈତ୍ରୀ। ଏଣୁ ବିଶ୍ୱମୈତ୍ରୀର ପରମ ପୀଠ ହେଲା ଶ୍ରୀଜଗନ୍ନାଥ ଧାମ।
ପୁରାଣ ମତରେ ଶ୍ରୀଜଗନ୍ନାଥ ହିଁ ଶ୍ରୀକୃଷ୍ଣ। ବଳରାମ ବଳଭଦ୍ର ରୂପରେ, ବ୍ରହ୍ମା ଭଗିନୀ ସୁଭଦ୍ରା ରୂପରେ ଶ୍ରୀମନ୍ଦିରରେ ଅବସ୍ଥାନ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାକୁ ଜଳରେ ବୁଡାଇ ଦେବା ପରେ କଳିଙ୍ଗସାଗର କୂଳରେ ପୁରୀ କ୍ଷେତ୍ରର ମାହାତ୍ମ୍ୟ ବୃଦ୍ଧି ପାଇଲା। ଏଣୁ କଳିଯୁଗରେ ପୁରୀକୁ ଦ୍ୱିତୀୟ ଦ୍ୱାରକା କୁହାଯାଏ। କେହି କେହି ପୁରାଣକାର କୁହନ୍ତି, ଶ୍ରୀକୃଷ୍ଣଙ୍କ ଅପୋଡା ଶରୀରାଂଶ ପୁରୀରେ ପୂଜା ପାଉଛନ୍ତି। ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ନୀଳମାଧବ ରୂପେ ଶବରମାନଙ୍କ ଦ୍ୱାରା ପୂଜା ପାଉଥିଲେ। ନୀଳମାଧବ ଅନ୍ତର୍ଦ୍ଧାନ ହେବା ପରେ ଶ୍ରୀକ୍ଷେତ୍ରରେ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ଶ୍ରୀକୃଷ୍ଣ ଜଗନ୍ନାଥ ରୂପରେ ଆବିର୍ଭୂତ ହୋଇଛନ୍ତି। ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ଶିବ, ବ୍ରହ୍ମା ଓ ବିଷ୍ଣୁ ରୂପରେ ଗ୍ରହଣ କରାଯାଇଛି।
ପ୍ରେମଭକ୍ତି ଗୀତାରେ ଯଶୋବନ୍ତ ଦାସ ଉଲ୍ଲେଖ କରିଛନ୍ତି- ପୂର୍ବେ ବ୍ରହ୍ମା ଅଭିଶାପ ଯୋଗୁ ଦ୍ୱାପର ଯୁଗରେ ସୁଭଦ୍ରା ରୂପ ଗ୍ରହଣ କରିଛନ୍ତି। ସୃଷ୍ଟିର ଆରମ୍ଭ ପୂର୍ବରୁ ଯୋଗମାୟାଙ୍କଠାରୁ ବ୍ରହ୍ମା, ବିଷ୍ଣୁ, ଶିବ ଜନ୍ମଗ୍ରହଣ କଲେ। ବ୍ରହ୍ମା ପୃଥ୍ବୀ ସ୍ଥାପନା କଲେ। ବିଷ୍ଣୁ ସର୍ବତ୍ର ବ୍ୟାପିଲେ। ରୁଦ୍ର ଯୋଗମୁଦ୍ରାରେ ବହୁ କାଳ ରହିଲେ। ଏହିପରି କିଛି ସମୟ ଗତ ହେବା ପରେ ବାଳସ୍ବରୂପ ରୁଦ୍ରଙ୍କ ସହିତ ଯୋଗମାୟା ରତିକ୍ରୀଡା ରଚନା କଲେ। ଏହି କୁତ୍ସିତ କାର୍ଯ୍ୟ ନିମନ୍ତେ ବ୍ରହ୍ମା ଓ ବିଷ୍ଣୁ ମାତାଙ୍କୁ ନିନ୍ଦା କଲେ। ମାତା ଯୋଗମାୟା କ୍ରୋଧରେ ଏ ଦୁହିଁଙ୍କୁ ଅଭିଶାପ ଦେଲେ। ଯେଉଁ ଯୋନିରୁ ଜନ୍ମଲାଭ କରିଛ, ତାହାକୁ ନିନ୍ଦା କରୁଥିବା ଯୋଗୁ, ସେହି ଯୋନିରେ ଯୁଗ ଯୁଗ ଧରି ଜନ୍ମଗ୍ରହଣ କରୁଥାଅ। ବ୍ରହ୍ମା ସ୍ତ୍ରୀ ଯୋନି ହେବେ ଓ ଅପୂଜା ରହିବେ। ଏହାପରେ ତିନି ଭ୍ରାତା ଏକାନ୍ତରେ ଗୁପ୍ତରେ ନିତ୍ୟରାସ ସ୍ଥଳୀ ପୁରୁଷୋତ୍ତମ କ୍ଷେତ୍ରରେ ରହିଲେ।
ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ଏହି ମୂର୍ତ୍ତିଚତୁଷ୍ଟୟ ବିଷ୍ଣୁଙ୍କର ରୂପ ବୋଲି ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ଏହି ଚାରି ମୂର୍ତ୍ତିକୁ ଚାରି ଦେବ ବୋଲି ବଳରାମ ଦାସ ଗୁପ୍ତଗୀତାରେ ଉଲ୍ଲେଖ କରିଛନ୍ତି। ଗୁପ୍ତରେ ନିତ୍ୟ ରାସସ୍ଥଳୀ ପୁରୁଷୋତ୍ତମ କ୍ଷେତ୍ରରେ ରହିଲେ-
ବଳଭଦ୍ର ଯେ ସାମ ହୋଇ। ଋକ ଯେ ସୁଭଦ୍ରା ଅଟଇ।
ଯଜୁର୍ବେଦ ଶ୍ରୀଜଗନ୍ନାଥ। ଅଥର୍ବ ସୁଦର୍ଶନ ପାର୍ଥ।
ବିଷ୍ଣୁ ପୁରାଣ, କୁର୍ମ ପୁରାଣ, ନାରଦ ପୁରାଣ, ସ୍କନ୍ଦ ପୁରାଣ ଓ ନୀଳାଦ୍ରି ମହୋଦୟ, କ୍ଷେତ୍ରମାହାତ୍ମ୍ୟ ପ୍ରଭୃତି ପୁରାଣରେ ଶ୍ରୀଜଗନ୍ନାଥଙ୍କ ପ୍ରଶସ୍ତି ବର୍ଣ୍ଣନା କରାଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିର, ମୂର୍ତ୍ତି ପ୍ରତିଷ୍ଠାରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଭୂମିକା ଅବର୍ଣ୍ଣନୀୟ। ସେ ପ୍ରଭୁଙ୍କୁ ତିନିଗୋଟି ବର ମାଗିଥିଲେ, ଯାହାକି ସର୍ବ ଜନାଦୃତ ଓ ଅଲୌକିକ ମଧ୍ୟ।
୧-ପ୍ରତିବର୍ଷ ନୂତନ ରଥ ନିର୍ମାଣ ହେବ।
”ବୁଢ଼ା ବଢ଼େଇ ସନ୍ତାନ ଯୁଗେ ଯୁଗେ ଥିବ,
ବରଷକେ ତିନିରଥ ନିର୍ମାଣ ହୋଇବ।“
୨- ସର୍ବଦା ମହାପ୍ରସାଦ ଜନସାଧାରଣଙ୍କୁ ମିଳିବ।
”ରାତ୍ର ଅର୍ଦ୍ଧମାନେ ତୋ କବାଟ ପଡିଥିବ,
ରାତ୍ର ପାଞ୍ଚ ଘଡି ଥାଉ କବାଟ ଫିଟିବ।
ସବୁ ହୋଇ ତିନି ଘଡି ଶୟନ କରିବ,
ଖାଉ ଭୁଞ୍ଜୁ ଜଗନ୍ନାଥ ହାତ ନ ଶୁଖିବ।
ଦିନକ ଯାକର ଭୋଗ ଭୁଞ୍ଜୁଥିବ ରହି,
ଏହି ବର ମୋତେ ଦିଅ ତ୍ରୈଲୋକ୍ୟ ଗୋସେଇଁ।“
୩-ଗର୍ବ କରିବା ପାଇଁ ମୋ ବଂଶରେ କେହି ନ ଥିବେ।
”ତୁମେ ଯେବେ ବର ଦେବ ମାଗୁଅଛି ମୁହିଁ,
ମୋହ ବଂଶରେ କେହି ନ ଥିବେ ଗୋସାଇଁ।
ଠାକୁର ବୋଇଲେ ଏହା ମାଗୁ କାହିଁ ପାଇଁ,
ତୋତେ ଘେନି ଯୁଗ ରାଜ୍ୟ କରୁଥିବି ମୁହିଁ।
ଇନ୍ଦ୍ରଦ୍ୟୁମ୍ନ ବୋଲେ ମୋରେ ତେଣେ କାର୍ଯ୍ୟ ନାହିଁ,
ସବୁ ଦିନେ କୀରତି ମୋହର ଥିବ ରହି।
ପୁତ୍ର ନାତି ବୋଲିବେ ଯେ ଦେଉଳ ଆମ୍ଭର,
ଆମ୍ଭର ବୋଇଲେ ଧର୍ମ ଯିବ ଯେ ମୋହର।“
ସମନ୍ବୟୀ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ। ଜାତି ଧର୍ମ ବର୍ଣ୍ଣର ଭେଦ ତାଙ୍କ ପାଖରେ ନାହିଁ। ଜନସାଧାରଣଙ୍କ ନିକଟକୁ ଦେବତା ସ୍ବୟଂ ବାହାରି ଆସନ୍ତି ସୁଖଦୁଃଖ ବାଣ୍ଟିବା ପାଇଁ। ଧନ୍ୟ ଜଗନ୍ନାଥ, ଧନ୍ୟ ତୁମର ଲୀଳା।
ଆଲୋକ ନଗର, ନିଆଳି, କଟକ, ମୋ-୯୯୩୭୮୪୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri