Categories: ଖେଳ

ଅଲିମ୍ପିକ୍ସ ପ୍ରସ୍ତୁତିକୁ ଛାଡ଼ି ସବୁ ଜାତୀୟ ଶିବିର ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୩(ପି.ଟି.)- କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ଜାତୀୟ ପ୍ରଶିକ୍ଷଣ ଶିବିରକୁ ସ୍ଥଗିତ ରଖାଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ତେବେ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରଶିକ୍ଷଣ ଜାରି ରଖିଥିବା ଖେଳାଳିମାନେ ସେମାନଙ୍କ ପ୍ରସ୍ତୁତି ଜାରି ରଖିବେ ଓ ପରବର୍ତ୍ତୀ ନିର୍ଦ୍ଦେଶ ଦିଆ ନ ଯିବା ପର୍ଯ୍ୟନ୍ତ ଏପରି ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଚାଲିଥିବା ସବୁ ପ୍ରକାର ଏକାଡେମିକ୍‌ ଟ୍ରେନିଂକୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି। ଉଲ୍ଲେଖଥାଉ କି, ଅଲିମ୍ପିକ୍ସ ଜାପାନ ରାଜଧାନୀ ଟୋକିଓରେ ଚଳିତ ବର୍ଷ ଜୁଲାଇ- ଅଗଷ୍ଟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଅଲିମ୍ପିକ୍ସ ସଂକ୍ରାନ୍ତ ପ୍ରସ୍ତୁତି ତଥା ଶିବିରକୁ ବାଦ୍‌ ଦେଲେ ସବୁ ଜାତୀୟ ଶିବିରକୁ ସ୍ଥଗିତ ରଖିବାକୁ ସାଇ ତରଫରୁ କୁହାଯାଇଛି ବୋଲି ରିଜିଜୁ ଟୁଇଟ୍‌ କରିଛନ୍ତି। ତେବେ ଏହି ନିଷ୍ପତ୍ତି ଅସ୍ଥାୟୀ ଓ ଯଦି ପରିସ୍ଥିତିରେ ଉନ୍ନତି ଘଟେ ତାହାଲେ ଟ୍ରେନିଂକୁ ପୁଣି ଥରେ ଆରମ୍ଭ କରାଯିବ ବୋଲି ରିଜିଜୁ ଟୁଇଟ୍‌ କହିଛନ୍ତି। କ୍ରୀଡ଼ାବିତ୍‌ଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସାବଧାନତା ଅବଲମ୍ବନ ପୂର୍ବକ ଏହି ନିଷ୍ପତ୍ତି ନେବାକୁ ହେଲା। ତେବେ ଯୁବ ଆଥଲେଟ୍‌ଙ୍କୁ ନିରାଶ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି ଓ ଏଥିରେ ଉନ୍ନତି ହେଲେ ପୁଣି ଟ୍ରେନିଂ ପୂର୍ବପରି ଆରମ୍ଭ ହେବ।
ଉଲ୍ଲେଖଥାଉ କି, ଭାରତରେ ଶୁଟିଂ ବିଶ୍ୱକପ୍‌, ଇଣ୍ଡିଆନ ଓପନ ଗଲ୍ଫକୁ ସ୍ଥଗିତ ରଖାଯାଇଛି। ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ସବୁ ପ୍ରକାର ଓ୍ବାଲର୍‌ଡ ଟୁର ଓ ଇଭେଣ୍ଟକୁ ବାତଲ କରିବା ପରେ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ମଧ୍ୟ ବାତିଲ ହୋଇଛି। କିଛିଦିନ ତଳେ ସରକାର ଆଥଲେଟମାନଙ୍କ ପାଇଁ ଟ୍ରେନିଂ ଓ କମ୍ପିଟିଶନ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ଜାରି କରିଥିଲା। ଜାତୀୟ ଇଭେଣ୍ଟଗୁଡିକୁ ବାତିଲ କରାଯାଇନାହିଁ ଓ ଏଗୁଡିକ ବିନା ଦର୍ଶକରେ ତଥା ଫାଙ୍କା ଷ୍ଟାଡିୟମରେ ଆୟୋଜନ ହେବ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି।
ଇଣ୍ଡିଆନ ଗ୍ରାଁ ପ୍ର ସିରିଜ ଆୟୋଜନ କରିବାକୁ ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ ନିଷ୍ପତ୍ତି ନେଇଛି। ଏହି ପ୍ରତିଯୋଗିତାରୁ ଆଥଲେଟମାନେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିବେ। ବିନା ଦର୍ଶକରେ ଏହି ସିରିଜ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ପୂର୍ବରୁ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରକୁ ବନ୍ଦ କରିଦିଆଯାଇଛି। ତେବେ ଯେଉଁମାନେ ସେଣ୍ଟର ଭିତରେ ଅଛନ୍ତି ସେମାନେ ଟ୍ରେନିଂ ଜାରି ରଖିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ), ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଓ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସେମାନଙ୍କ କାର୍ଯ୍ୟ ଘରଠାରେ ଚାଲୁ ରଖିବେ। ଏହା ଅଲିମ୍ପିକ୍‌ ବର୍ଷ ହୋଇଥିଲେ ମଧ୍ୟ ଏହି ଭାଇରସ କାରଣରୁ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରଖାଯାଇଛି।

Share